ଆମେ ଉଦ୍ଧବଙ୍କ ପରି ନୁହଁ, ସିଏମ୍‌ ଭାବେ ଫଡ଼ନବିସଙ୍କୁ ସ୍ୱୀକାର କରିବୁ; ସିନ୍ଦେ ଗୋଷ୍ଠୀ ସାଂସଦଙ୍କ ବୟାନ

Published By : Prameya-News7 Bureau | November 27, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରିଣାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ନୂଆ ସରକାରକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ନାହିଁ । ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଭାରତୀୟ ଜନତା ପାର୍ଟି ଏବଂ ଶିବସେନା (ସିନ୍ଦେ) ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଏହାରି ଭିତରେ ସିନ୍ଦେ ଗୋଷ୍ଠୀର ନେତାଙ୍କ ବଡ଼ ବୟାନ ସାମନାକୁ ଆସିଛି । ନ୍ୟୁଜ୍ 18ର ରିପୋର୍ଟ ଅନୁସାରେ ସିନ୍ଦେ ଗୋଷ୍ଠୀର ନେତା ବିଜେପି ନେତା ଦେବେନ୍ଦ୍ର ଫଡନବିସଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକାର କରିବା କଥା କହିଛନ୍ତି । ସିନ୍ଦେ ଗୋଷ୍ଠୀର ନେତା ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ତାଙ୍କ ଗୋଷ୍ଠୀର ବିଚାରଧାରା ଶିବସେନା (ୟୁବିଟି)ଠାରୁ ଅଲଗା ରହିଛି ।

ଶିବସେନା ସାଂସଦ ନରେଶ ମହସ୍କେ କହିଛନ୍ତି ଯେ ଯଦି ମହାୟୁତି ଦ୍ୱାରା ନିଷ୍ପତ୍ତି ନିଆଯାଏ ତେବେ ସିନ୍ଦେ ଗୋଷ୍ଠୀ ଦେବେନ୍ଦ୍ର ଫଡନବିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକାର କରିବ । ମହସ୍କେ ବୁଧବାର କହିଛନ୍ତି, 'ଆମେ ଉଦ୍ଧବ ଠାକରେଙ୍କ ପରି ନୁହଁ, ଯିଏ ମୁଖ୍ୟମନ୍ତ୍ରୀ ପଦ ନମିଳିଲେ ଚାଲିଯିବୁ ।' ସେ କହିଛନ୍ତି, 'ଆମେ ମହାୟୁତି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସ୍ୱୀକାର କରିବୁ ଏବଂ ଫଡନବିସକୁ ଆମ ନେତା ଭାବେ ସ୍ୱୀକାର କରିବୁ ।' ସେ କହିଛନ୍ତି,'ଏକନାଥ ସିନ୍ଦେ ଅସନ୍ତୁଷ୍ଟ ନାହାନ୍ତି ।'

ସେପଟେ ସୂତ୍ର ଅନୁସାରେ ସିନ୍ଦେ ଗୋଷ୍ଠୀ ଏବଂ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୁଝାମଣା ହୋଇପାରେ । ଦେବେନ୍ଦ୍ର ଫଡ଼ନବିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଏକନାଥ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ବିକଳ୍ପ ସାମନାକୁ ଆସିପାରେ । ସିନ୍ଦେ ଗୋଷ୍ଠୀର ନେତା ଏହା ମଧ୍ୟ କହିଛନ୍ତି ଯେକୌଣସି ସ୍ଥିତିରେ କ୍ଷମତା ଭାଗବଣ୍ଟା ଉପରେ ସହମତି ପାଇଁ ପ୍ରସ୍ତୁତ ଅଛୁ, ତେବେ ତାହା ରାଜ୍ୟବାସୀଙ୍କ ହିତରେ ରହିବା ଦରକାର ।

ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ମହାବିଜୟ ହୋଇଥିଲା । ୨୮୮ ଆସନ ମଧ୍ୟରୁ ୨୩୫ ସିଟ୍‌ରେ ବିଜୟୀ ହୋଇଥିଲା । ମହାୟୁତିର ସହଯୋଗୀ ଦଳ ବିଜେପି ୧୩୨, ଶିବସେନା (ସିନ୍ଦେ ଗୋଷ୍ଠୀ) ୫୭ ଏବଂ ଅଜିତ୍ ପାୱାରଙ୍କ ଏନସିପି ୪୧ ଆସନ ଜିତିଛି । ମେଣ୍ଟରେ ସାମିଲ ଅନ୍ୟ ଛୋଟ ଦଳ ୫ ଆସନ ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.