ଲା ନିନା ଇଫେକ୍ଟ, ଆଗାମୀ ୩ ମାସ ପର୍ଯ୍ୟନ୍ତ ଭାରତରେ ପଡ଼ିବ ଭୀଷଣ ଥଣ୍ଡା, ସତର୍କ କଲେ IMD

Published By : Prameya-News7 Bureau | November 27, 2024 IST

ନୂଆଦିଲ୍ଲୀ ୨୭।୧୧: ନଭେମ୍ବର ଶେଷ ହେବାକୁ ଯାଉଛି। ଉତ୍ତର ଭାରତରେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଗଲାଣି। ପାର୍ବତ୍ୟାଞ୍ଚଳରେ ବରଫପାତ ଆରମ୍ଭ ହୋଇଯାଇଥିବା ବେଳେ ଖୁବ୍ ଶୀଘ୍ର କେତେକ ରାଜ୍ୟରେ କୁହୁଡ଼ି ମଧ୍ୟ ଅନୁଭୂତ ହେବ। ତେବେ ଆଗାମୀ ଡିସେମ୍ବର ସବୁଠୁ ଶୀତଳତମ ମାସ ସାବ୍ୟସ୍ତ ହେବ। ପାଣିପାଗ ବିଭାଗଙ୍କ ଅନୁସାରେ ଡିସେମ୍ବରରେ ଭୀଷଣ ଥଣ୍ଡାପଡିବ। ଉତ୍ତର ଭାରତରେ ଲୋକେ ତାପମାତ୍ରା ହ୍ରାସ ସହିତ କୁହୁଡ଼ିଆ ପାଗ ମଧ୍ୟ ଅନୁଭବ କରିବେ। 

ଦେଶରେ ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାଣିପାଗ ବିଭାଗ ଅନ୍ୟବର୍ଷମାନଙ୍କ ତୁଳନାରେ ଏଥର ଭୀଷଣ ଥଣ୍ଡା ପଡିବ ବୋଲି ପୂର୍ବାନୁମାନ କରିଥିଲେ। ଡିସେମ୍ବର ମାସ ଆସିବା ସହିତ ପାଣିପାଗ ବିଭାଗଙ୍କ ଆକଳନ ଏବେ ସତ ହେବାକୁ ଯାଉଛି। ତେବେ ଲୋକେ ଭାବୁଥିବେ ଏଥର ଶୀତ ଋତୁର ଖାସ କଥା କ’ଣ, ଯେଉଁଥି ପାଇଁ ଅନ୍ୟବର୍ଷମାନଙ୍କ ତୁଳନାରେ ଏଥର ଅଧିକ ଥଣ୍ଡା ପଡିବ। ତେବେ ଏ କଥାର ଗୋଟିଏ ମାତ୍ର ଉତ୍ତର ତାହା ହେଉଛି ‘ଲା ନିନା ଇଫେକ୍ଟ’। 

ଚଳିତବର୍ଷ ପ୍ରଶାନ୍ତ ମହାସାଗରରେ ‘ଲା ନିନା ଇଫେକ୍ଟ’ ଦେଖିବାକୁ ମିଳିଛି। ଅନୁମାନ ଅନୁସାରେ ଯେଉଁ ବର୍ଷ ପ୍ରଶାନ୍ତ ମହାସାଗର ସ୍ୱଭାବିକରୁ ଅଧିକ ଥଣ୍ଡା ରୁହେ ସେ ବର୍ଷ ଶୀତଳ ପବନ ଏସିୟ ଦେଶଙ୍କ ଆଡକୁ ମୁହାଁଇଥାଏ। ଏହାର ପ୍ରଭାବ କେବଳ ଭାରତ ନୁହେଁ ପାକିସ୍ତାନ, ଆଫଗାନିସ୍ତାନ, ମ୍ୟାଁମାର ଓ ଶ୍ରୀଲଙ୍କାରେ ମଧ୍ୟ ଅନୁଭୁତ ହୋଇଥାଏ। ଏହିସବୁ ଦେଶର ପାଗ ସ୍ୱଭାବିକରୁ ଅଧିକ ଥଣ୍ଡା ହୋଇଥାଏ ଓ ତାପମାତ୍ରାରେ ତୀବ୍ର ହ୍ରାସ ଦେଖାଯାଏ। 

ଭାରତରେ ଲା ନିନା ଇଫେକ୍ଟର ପ୍ରଭାବ ପ୍ରଥମ ଥର ନୁହେଁ ଏହା ପୂର୍ବରୁ ୨୦୦୧ ମସିହାରେ ଲା ନିନା ଇଫେକ୍ଟର ପ୍ରଭାବ ଅନୁଭୂତ ହୋଇଥିଲା, ଯାହା ପାଖାପାଖି ୭ ମାସ ପର୍ଯ୍ୟନ୍ତ ରହିଥିଲା। ଦୀର୍ଘ ୨୨ ବର୍ଷ ପରେ ଶୀତ ଋତୁରେ ଲା ନିନା ଇଫେକ୍ଟର ପ୍ରତ୍ୟାବର୍ତ୍ତନ ହୋଇଛି। ତାଜା ରିପୋର୍ଟକୁ ମାନି ନିଆଗଲେ ପ୍ରଶାନ୍ତ ମହାସାଗରରେ ହୋଇଥିବା ଲା ନିନା ଇଫେକ୍ଟର ୬୦ ପ୍ରତିଶତ ପ୍ରଭାବ ଭାରତରେ ଦେଖିବାକୁ ମିଳିବ।  ଖାସ କରି ଡିସେମ୍ବର, ଜାନୁୟାରୀ ଓ ଫେବୃଆରୀ ମାସରେ ‘ଲା ନିନା ଇଫେକ୍ଟ’ ତାର ଶିଖରରେ ରହିବ। ଏଣୁ ଏହି ୩ ମାସ ଉତ୍ତର ଭାରତୀୟ ଲୋକଙ୍କୁ ଲାଗି ଚ୍ୟାଲେଞ୍ଜିଂ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.