ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ବିଧାନସଭା ନିର୍ବାଚନ ଫଳଫଳା ବାହାରିବାର ୫ ଦିନ ପରେ ବି ଏହାର ଜବାବ ମିଳିପାରି ନାହିଁ । ଏହାରି ଭିତରେ ଏକନାଥ ସିନ୍ଦେ ବୁଧବାର ସାମ୍ୱାଦିକ ସମ୍ମିଳନୀ କରି ଚିତ୍ରକୁ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ସ୍ୱୀକାର ଥିବା ଏକନାଥ ସିନ୍ଦେ କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯାହା ବି ନିଷ୍ପତ୍ତି ନେବେ, ତାକୁ ସ୍ୱୀକାର କରିବେ, ବିଜେପି ନେତାଙ୍କୁ ମୁଖ୍ୟମନ୍ତ୍ରୀ କଲେ ବି ସେଥିରେ ରାଜି ହେବେ । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଜଣାଇବେ ବୋଲି ସେ କହିଛନ୍ତି ।
#WATCH | Thane: Maharashtra caretaker CM and Shiv Sena chief Eknath Shinde says, "For the past 2-4 days you must have seen rumours that someone is miffed. We are not people who get miffed...I spoke with the PM yesterday and told him that there is no obstruction from our end in… pic.twitter.com/IvFlgD5WQI
— ANI (@ANI) November 27, 2024
ଏକନାଥ ସିନ୍ଦେ କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ୍ ଶାହ ମୋ ସହ ସବୁବେଳେ ଛିଡ଼ା ହୋଇଛନ୍ତି ଏବଂ ସବୁ ପ୍ରକାର ସମର୍ଥନ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସବୁ ପକ୍ଷରୁ ସମର୍ଥନ ମିଳିଛି ।' ସେ କହିଛନ୍ତି, 'ଏତେ ବଡ଼ ଜନଦେଶ ମିଳିଥିବାରୁ, ମୁଁ ଜନତାଙ୍କୁ ଧନ୍ୟବାଦ ଜଣାଉଛି । ମହାବିକାଶ ଅଘାଡ଼ି ଯେଉଁ କାମ ଅଟକାଇଥିଲା, ଆମେ ପୁଣି ଥରେ ତାହା ଆରମ୍ଭ କରିଛୁ । ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛୁ । ଏହି କାରଣରୁ ଲୋକଙ୍କ ସମର୍ଥନ ଆମକୁ ମିଳିଛି । ଆମେ ସକାଳ ୫ଟା ଯାଏ କାମ କରିଥିଲୁ । ଆମେ ୯୦ରୁ ୧୦୦ ସଭା କରିଛୁ । ସବୁ କାର୍ଯ୍ୟକର୍ତ୍ତା କଠିନ ପରିଶ୍ରମ କରିଛନ୍ତି । ସାଧାରଣ ଲୋକଙ୍କ ସମସ୍ୟାକୁ ଆମେ ବୁଝିଛୁ ।'
ଏକନାଥ ସିନ୍ଦେ କହିଛନ୍ତି, 'ମୁଁ କେବେ ବି ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବି ନାହିଁ । ସବୁବେଳେ ଜଣେ କମନ୍ ମ୍ୟାନ୍ ଭାବେ କାମ କରିଛି । ମୁଁ ରାଜ୍ୟର ଉନ୍ନତି ପାଇଁ କାମ କରିଛି । ରାଜ୍ୟର ସବୁ ପରିବାରର ସବୁ ସଦସ୍ୟଙ୍କୁ ସରକାରଙ୍କ ତରଫରୁ କିଛି ନାଁ କିଛି ଦେବାକୁ ପ୍ରୟାସ କରିଛି । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପୂର୍ଣ୍ଣ ସମର୍ଥନ ଥିଲା ଏବଂ ସେ ମୋ ପଛରେ ଛିଡ଼ା ହୋଇଥିଲେ । ଲୋକଙ୍କ ପାଇଁ କାମ କର, ଆମେ ଆପଣଙ୍କ ପଛରେ ଅଛୁ ବୋଲି ଶାହ କହିଥିଲେ । ମୋ ପରି ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ସର୍ପୋଟ୍ କଲେ । ମୋତେ ମୁଖ୍ୟମନ୍ତ୍ରୀ କଲେ ଏବଂ ଏତେ ବଡ଼ ଦାୟିତ୍ୱ ମଧ୍ୟ ଦେଲେ । ଯୋଜନା ଲାଗୁ କରିବାରେ ତାଙ୍କ ସହଯୋଗ ନେଇଛି ଏବଂ ରାଜ୍ୟର ପ୍ରଗତିକୁ ଆଗକୁ ବଢାଇଛି । ମୋଦୀ-ଶାହ ମୋତେ ସବୁ ପ୍ରକାର ସହଯୋଗ ଦେଇଛନ୍ତି ଏବଂ ମୋ ସହ ସବୁବେଳେ ଛିଡ଼ା ହୋଇ ରହିଛନ୍ତି ।'
ଉଲ୍ଲେଖଯୋଗ୍ୟ ଯେ ଶିବସେନା, ଏନସିପିର ପ୍ରମୁଖ ନେତାଙ୍କ ଏବଂ ଦେବେନ୍ଦ୍ର ଫଡ଼ନବିସଙ୍କୁ ଦିଲ୍ଲୀ ଡକାର ହୋଇଛି । ବିଜେପି ଶୀର୍ଷ ନେତୃତ୍ୱ ଆସନ୍ତାକାଲି ପ୍ରଫୁଲ ପଟେଲ, ଅଜିତ୍ ପାୱାର, ଦେବେନ୍ଦ୍ର ଫଡନବିସ ଏବଂ ଏକନାଥ ସିନ୍ଦେଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଏହି ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ହୋଇପାରେ ।
ଏହା ପୂର୍ବରୁ ଶିବସେନା ସାଂସଦ ନରେଶ ମହସ୍କେ କହିଥିଲେ ଯେ ଯଦି ମହାୟୁତି ଦ୍ୱାରା ନିଷ୍ପତ୍ତି ନିଆଯାଏ ତେବେ ସିନ୍ଦେ ଗୋଷ୍ଠୀ ଦେବେନ୍ଦ୍ର ଫଡନବିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକାର କରିବ । ମହସ୍କେ ବୁଧବାର କହିଥିଲେ, ‘ଆମେ ଉଦ୍ଧବ ଠାକରେଙ୍କ ପରି ନୁହଁ, ଯିଏ ମୁଖ୍ୟମନ୍ତ୍ରୀ ପଦ ନମିଳିଲେ ଚାଲିଯିବୁ ।‘
ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ମହାବିଜୟ ହୋଇଥିଲା । ୨୮୮ ଆସନ ମଧ୍ୟରୁ ୨୩୫ ସିଟ୍ରେ ବିଜୟୀ ହୋଇଥିଲା । ମହାୟୁତିର ସହଯୋଗୀ ଦଳ ବିଜେପି ୧୩୨, ଶିବସେନା (ସିନ୍ଦେ ଗୋଷ୍ଠୀ) ୫୭ ଏବଂ ଅଜିତ୍ ପାୱାରଙ୍କ ଏନସିପି ୪୧ ଆସନ ଜିତିଛି । ମେଣ୍ଟରେ ସାମିଲ ଅନ୍ୟ ଛୋଟ ଦଳ ୫ ଆସନ ଜିତିଛନ୍ତି ।