ମୁମ୍ବାଇ ୨୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସୋଚନୀୟ ପରାଜୟ ପରେ ମହାବିକାଶ ଅଘାଡ଼ି (ଏମଭିଏ) ସହଯୋଗୀ ଦଳମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ସାମ୍ନାକୁ ଆସିବାକୁ ଲାଗିଲାଣି। ଶିବସେନା (ୟୁବିଟି)ର ବୁଧବାର ବୈଠକରେ ମେଣ୍ଟରୁ ବାହାରି ନିଜ ବଳରେ ନିର୍ବାଚନ ଲଢିବା ପାଇଁ ଜୋରଦାର ଦାବି ହୋଇଛି। ଏ ନେଇ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ମିଳିଛି। କଂଗ୍ରେସ ନେତା ବିଜୟ ବଡେଟ୍ଟିବାର ଏଥି ପାଇଁ ତାଙ୍କ ପାର୍ଟି ରାଜି ଥିବା କହିଛନ୍ତି।
ବିଧାନପରିଷଦରେ ବିରୋଧୀ ଦଳ ନେତା ତଥା ଶିବେସେନା(ୟୁବିଟି) ନେତା ଅମ୍ବାଦାସ ଦାନବେ ବୁଧବାର ସାମ୍ବାଦିକଙ୍କ ସହ ଆଲୋଚନାରେ କହିଛନ୍ତି ଆଜି ବାନ୍ଦ୍ରା ମାତୋଶ୍ରୀରେ ପାର୍ଟି ପଦାଧିକାରୀମାନଙ୍କ ବୈଠକ ଆହ୍ୱାନ କରାଯାଇଥିଲା। ବୈଠକରେ ଉପସ୍ଥିତ ନେତା ଓ ପଦାଧିକାରୀମାନେ ଏମଭିଏ ରେ ରହି ନିର୍ବାଚନ ଲଢିବା ଯୋଗୁ ପାର୍ଟିର କ୍ଷତି ହୋଇଥିବା କହିଛନ୍ତି। ଏଣୁ ସମସ୍ତେ ଆଗାମୀ ନିର୍ବାଚନଗୁଡିକୁ ନିଜ ବଳରେ ଲଢିବା ପାଇଁ ଦାବି କରିଛନ୍ତି। ତେବେ ପ୍ରସଙ୍ଗରେ ପାର୍ଟି ଅଧ୍ୟକ୍ଷ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।
ସେପଟେ ଅମ୍ବାଦାସ ଦାନବେଙ୍କ ବୟାନର ଜବାବରେ କଂଗ୍ରେସ ନେତା ବିଜୟ ବଡେଟ୍ଟିବାର କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଏମଭିଏର ବହୁତ ବଡ଼ କ୍ଷତି ହୋଇଛି ସତକଥା, ତେବେ କ୍ଷତି କାହିଁକି ହେଲା ଏମଭିଏର ନେତାମାନେ ବୈଠକ କରି ଚର୍ଚ୍ଚା କରି ନାହାନ୍ତି। ଏଣୁ ପାର୍ଟି ନେତାଙ୍କ ବୈଠକ ପୂର୍ବରୁ ଯଦି କୌଣସି ନେତା ଏଭଳି ବକ୍ତବ୍ୟ ଦେଉଛନ୍ତି ତେବେ ଏଥି ପାଇଁ କଂଗ୍ରେସ ମଧ୍ୟ ପ୍ରସ୍ତୁତ। ବିଜୟ ବଡେଟ୍ଟିବାର କହିଛନ୍ତି ପ୍ରସଙ୍ଗରେ ପାର୍ଟିର ଅଧ୍ୟକ୍ଷ କୌଣସି ନିଷ୍ପତ୍ତି ନେଇ ପାରନ୍ତି। ଆମେ ବି ଚାହୁଁଛୁ ମେଣ୍ଟରୁ ପୃଥକ ହୋଇ ଆଗାମୀ ନିର୍ବାଚନ ସବୁ ଲଢାଯାଉ। ଏହା ଦ୍ୱାରା ପାର୍ଟି ୨୮୮ ବିଧାନସଭା ନିର୍ବାଚନମଣ୍ଡଳିରେ ମଜଭୁତ ହେବ।