ନୂଆଦିଲ୍ଲୀ ୨୭।୧୨: ଭାରତୀୟ ରେଳବାଇ ଯାତ୍ରୀଙ୍କୁ ବାତାନୁକୂଳିତ (ଏସି) ବଗିରେ ବେଡସିଟ୍ ଓ ତକିଆ ବ୍ୟତୀତ ଏତ ବ୍ଲାଙ୍କେଟ୍ ଅର୍ଥାତ କମ୍ବଳ ମଧ୍ୟ ଉପଲବ୍ଧ କରାଇଥାନ୍ତି। ରେଳବାଇଙ୍କ କହିବା କଥା ହେଲା ପ୍ରତ୍ୟେକ ଯାତ୍ରା ପରେ ବେଡସିଟ୍ ଓ ତକିଆ ଖୋଳ ଧୁଆଯାଏ। ତେବେ କମ୍ବଳ କେବେ ଧୁଆ ଯାଏ ସେ ନେଇ ରେଳମନ୍ତ୍ରୀ ବୁଧବାର ଗୃହକୁ ସତ୍ୟତା ଜଣାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଜବାବ ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ରଖିଛନ୍ତି।
ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳ ଯାତ୍ରୀଙ୍କୁ ଦେଉଥିବା କମ୍ବଳ ମାସକରେ ଅନୁନ୍ୟ ଥରଟିଏ ଧୁଆ ହୁଏ। ସେ ଏହା ମଧ୍ୟ କହିଛନ୍ତି ଯେ ବେଡରୋଲ କିଟ୍ ରେ ଯାତ୍ରୀଙ୍କୁ ଏକ ଅତିରିକ୍ତ ଚାଦର(ବେଡସିଟ୍) ଦିଆଯାଏ, ଯାହାକୁ କମ୍ବଳ କଭର ରୂପେ ବ୍ୟବହାର କରାଯାଇ ପାରେ। ରେଳମନ୍ତ୍ରୀ ଏହି ସୂଚନା କଂଗ୍ରେସ ସାଂସଦ କୂଲଦୀପ ଇନ୍ଦୋରାଙ୍କ ପ୍ରଶ୍ନର ଜବାବରେ କହିଛନ୍ତି। ଇନ୍ଦୋରା ପଚାରିଥିଲେ ରେଳବାଇ କମ୍ବଳ କଣ ମାସକରେ ଥରେ ଧୁଆଯାଏ? କାରଣ ଯାତ୍ରୀଙ୍କ ସ୍ୱଚ୍ଛତା ମାନକ ଅନୁସାରେ ବିଛଣା ଉପଲବ୍ଧ କରାଇବା ପାଇଁ ପଇସା ନିଆଯାଏ।
ରେଳମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରେଳ ଦ୍ୱାରା ବ୍ୟବହାର ହେଉଥିବା କମ୍ବଳ ହାଲୁକା, ଧୋଇବାକୁ ସହଜ ଓ ଉତ୍ତମ ଇନସୁଲେସନ ପ୍ରଦାନ କରିଥାଏ, ଯେଉଁଥି ପାଇଁ ଯାତ୍ରୀଙ୍କୁ ଯାତ୍ରା କାଳରେ ଆରାମଦାୟକ ଅନୁଭବ ମିଳିଥାଏ। ବୈଷ୍ଣବ ତାଙ୍କ ଲିଖିତ ଉତ୍ତରରେ ରେଳ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ କହିଛନ୍ତି ଯେ ରେଳ ମନ୍ତ୍ରାଳୟ ଅଭିଯୋଗ ଉପରେ ନଜର ରଖିବା ପାଇଁ ଜୋନାଲ ଓ ଡିଭିଜନାଲ ମୁଖ୍ୟାଳୟରେ ‘ୱାର ରୁମ’ ସ୍ଥାପନା କରିଛନ୍ତି।
ରେଲ ମଦଦ ପୋର୍ଟାଲରେ ରୁଜୁ ଅଭିଯୋଗ ଯେଉଁଥିରେ ଲେନିନ ଓ ବେଡରୋଲ ନେଇ ଅଭିଯୋଗ ମଧ୍ୟ ରହୁଛି। ଏପରି ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯାଏ। ସେ ଏହା ମଧ୍ୟ କହିଛନ୍ତି ଯେ ଉନ୍ନତ ଲଜିଷ୍ଟିକର ଉପଯୋଗ କରି ଲେନିନର ଷ୍ଟୋରେଜ, ପରିବହନ, ଲୋଡିଂ ଓ ଅନଲୋଡିଂ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇଛି। ଏହା ସହିତ ଇକୋ ଫ୍ରୋଣ୍ଡଲୀ ପ୍ୟାକେଜିଂର ମଧ୍ୟ ଧ୍ୟାନ ରଖାଯାଉଛି।