ନୂଆଦିଲ୍ଲୀ: ତେଲଙ୍ଗାନା ସଚିବାଳୟରେ ଅଧିକାରୀ ଏବଂ କର୍ମଚାରୀଙ୍କ କାମ କରିବା ଶୈଳୀରେ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଲଙ୍ଗାନା ମୁଖ୍ୟ ସଚିବ ଶାନ୍ତି କୁମାରୀ ସଚିବାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ କିଛି ଆଦେଶ ଜାରି କରିଛନ୍ତି । ଏଥିରୁ କିଛି ବିଷୟ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷ କରି ସଚିବାଳୟରେ ଅଧିକାରୀଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ବ୍ୟବହାର ଏବଂ ଏହି ଉପକରଣ ଚାର୍ଜ କରିବା ଉପରେ ବ୍ୟାନ୍ ଲଗାଯାଇଛି ।
ଏହାସହ ମୁଖ୍ୟ ଶାସନ ସଚିବ ଶାନ୍ତି କୁମାରୀ ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ମଧ୍ୟ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରୀ ରାଜକୋଷ ଉପରେ ପଡ଼ୁଥିବା ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଅଫିସ ଖର୍ଚ୍ଚ କମ କରିବା ଏବଂ ନୂଆ ଫର୍ଣ୍ଣିଚର କିଣିବା ଉପରେ ବି କଟକଣା ଲଗାଯାଇଛି ।
ଏହାସହ କରକାରୀ ଗାଡ଼ି କିଣିବା ଉପରେ ବି ଅସ୍ଥାୟୀ ଭାବେ ରୋକ ଲଗାଯାଇଛି । ସରକାରୀ ବିଭାଗଗୁଡ଼ିକୁ ନୂଆ ଗାଡ଼ି କିଣିବା ପ୍ରସ୍ତାବକୁ ଖାରଜ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଫିସରେ ବ୍ୟକ୍ତିଗତ ଇଲେକ୍ଟ୍ରୋନିକ ଡିଭାଇସକୁ ଚାର୍ଜ ନକରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଏଭଳି ଆଦେଶ ଏବେ ସଚିବାଳୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି ।