ଲକ୍ଷ୍ନୌ୨୭।୧୧: ଉତ୍ତରପ୍ରଦେଶ ସମ୍ଭଲରେ ହିଂସା ଘଟଣାକୁ ବୁଧବାର୪ ଦିନ ପୁରିଛି। ଏବେ ସହରରେ ସ୍କୁଲ ଓ କଲେଜ ଖୋଲିଗଲାଣି, ହଲେ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି। ହିଂସା ପ୍ରଭାବିତ ଅଞ୍ଚଳର ପରିସ୍ଥିତିରେ ଏପର୍ଯ୍ୟନ୍ତ ସୁଧାର ଆସିନି। ଅଧିକାଂଶ ଲୋକେ ଗିରଫ ଭୟରେ ଘରଛାଡି ପଳାୟନ କରିଛନ୍ତି। ଏଣୁ ଘରମାନଙ୍କ ଦ୍ୱାରରେ ତାଲା ଟଙ୍ଗା ହୋଇଥିବା ଦେଖାଯାଉଛି। ଏହି ମାମଲାରେ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ଟେକାପଥର ମାଡ଼ କରିଥିବା ୧୦୦ ଜଣଙ୍କ ପୋଷ୍ଟର ଜାରି କରିଛି।
ଟେକାପଥର ମାଡ଼ କରିଥିବା ଅଧିକାଂଶ ଯୁବକ ସେମାନଙ୍କ ମୁହଁ ଘୋଡ଼ାଇ ରଖିଛନ୍ତି। ଏଥିରେ ଅବକାରୀ ରାଜ୍ୟମନ୍ତ୍ରୀ ନିତିନ ଅଗ୍ରୱାଲ କହିଛନ୍ତି ଯେ ଯିଏ ଦଙ୍ଗା ସୃଷ୍ଟି କରିଥିଲା ତାର ପୋଷ୍ଟର ମଧ୍ୟ ଜାରି ହେବ। ଏହି ଦଙ୍ଗା କାଳରେ ସାର୍ବଜନିକ ସମ୍ପତ୍ତିର ଯେଉଁ କ୍ଷତି ହୋଇଛି ତାହା ମଧ୍ୟ ଏମାନଙ୍କଠାରୁ ଭରଣା ହେବ। ଏହା ପୂର୍ବରୁ ଜୋନ ଏଡିଜି ରମିତ ଶର୍ମା କହିଥିଲେ ଯେ ଯାହା ହାତରେ ପଥର ଦେଖାଯାଇଛି ତାଙ୍କୁ ଛଡାଯିବ ନାହିଁ।
ରବିବାର ସମ୍ଭଲରେ ହୋଇଥିବା ହିଂସାରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ଜାମା ମସଜିଦର ସର୍ଭେକୁ ବିରୋଧ କରୁଥିବା ବିକ୍ଷୋଭକାରୀ ଜୋରଦାର ହଙ୍ଗାମା କରିଥିଲେ ଓ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଘରର ଛାତମାନଙ୍କ ଉପରୁ ମହିଳା, ପୁରୁଷ ଓ ପିଲାମାନେ ଟେକା ପଥର ଫିଙ୍ଗୁଥିବାର ଦେଖାଯାଇଥିଲା। ଏହି ମାମଲାରେ ଏ ପର୍ଯ୍ୟନ୍ତ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଏଥିରେ ୨ ଜଣ ମହିଳା ମଧ୍ୟ ଅଛନ୍ତି। ଏହି ଘଟଣା ପରେ ରାଜ୍ୟରେ ଜୋରଦାର ରାଜନୀତି ଆରମ୍ଭ ହୋଇଯାଇଛି।