ଏକନାଥ ସିନ୍ଦେଙ୍କ ସରେଣ୍ଡର, ଫଡ଼ନବିସଙ୍କ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ! ଜାଣନ୍ତୁ ଏହା ପଛର ପୂରା କାହାଣୀ

Published By : Prameya-News7 Bureau | November 27, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ଏହି ପ୍ରଶ୍ନ ଭିତରେ ଏକନାଥ ସିନ୍ଦେ ଏକ ପ୍ରକାର ସରେଣ୍ଡର କରିଛନ୍ତି । ଠାଣେରେ ସମ୍ୱାଦିକ ସମ୍ମିଳନୀ କରି ପୂରା ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପରେ ଛାଡ଼ିଛନ୍ତି । ସେ କହିଛନ୍ତି 

ଯେ ମୁଁ ରାଜ୍ୟ ପାଇଁ କାମ କରିଛି ଏବଂ ଆଗକୁ ମଧ୍ୟ କରିବି । ବିଜେପି ନେତା ମୁଖ୍ୟମନ୍ତ୍ରୀ ହେଲେ ବି ମୋର ପୂର୍ଣ୍ଣ ସମର୍ଥନ ରହିବ । ତେବେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ଏବେ ବି ସସପେନ୍ସ ରହିଛି । ତେବେ ରାଜନୀତି ପଣ୍ଡିତଙ୍କ ମତରେ ମୁଖ୍ୟମନ୍ତ୍ରୀ ଦୌଡରୁ ଏକନାଥ ସିନ୍ଦେଙ୍କ ପଛକୁ ହଟିବା, ଦେବେନ୍ଦ୍ର ଫଡ଼ନବିଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟକୁ ପ୍ରଶସ୍ତ କରିଛି । ମହାରାଷ୍ଟ୍ରର ପ୍ରାୟ ସବୁ ବିଜେପି ନେତା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ପଡ଼ନବିସଙ୍କ ନାଁକୁ ସମର୍ଥନ ଜଣାଇସାରିଛନ୍ତି । ଆରଏସ୍‌ଏସ୍‌ ମଧ୍ୟ ଦେବେନ୍ଦ୍ର ଫଡନବିସଙ୍କ ପାଇଁ ସମର୍ଥନ ଜଣାଇଥିବା ଚର୍ଚ୍ଚା ହେଉଛି ।

କାହିଁକି ଆତ୍ମସମର୍ପଣ କଲେ ସିନ୍ଦେ ?

ଏକନାଥ ସିନ୍ଦେଙ୍କ ପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୫୭ ଆସନରେ ବିଜୟୀ ହୋଇଛି । ମହାୟୁତିର ସବୁଠୁ ବଡ଼ ସହଯୋଗୀ ବିଜେପି ୧୩୨ ଆସନ ଜିତିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ଆବଶ୍ୟକ ପଡ଼େ । ମ୍ୟାଜିକ୍ ନମ୍ୱରଠାରୁ ବିଜେପି କେବଳ ୧୩ ଆସନ ଦୂରରେ ରହିଛି । ବିଜେପିକୁ ୫ ନିର୍ଦଳୀୟ ବିଧାୟକ ଏବଂ ୪୧ ଏନସିପି ବିଧାୟକଙ୍କ ସମର୍ଥନ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରୁ ଅଜିତ୍ ପାୱାର ଆରମ୍ଭରୁ ହିଁ ନିଜକୁ ଅଲଗା ରଖି ଦେବେନ୍ଦ୍ର ଫଡ଼ନବିସଙ୍କ ପାଇଁ ସମର୍ଥନ ଦେଇସାରିଛନ୍ତି । ତେଣୁ ସଂଖ୍ୟା ହାସଲ କରିବା ବିଜେପି ପାଇଁ ଚିନ୍ତାର କାରଣ ନୁହେଁ । ବିଜେପି ସବୁଠୁ ବଡ଼ ଦଳ ହେବା କାରଣରୁ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦାବି କରୁଛି । ଏଭଳି ସ୍ଥିତିରେ ଏକନାଥ ସିନ୍ଦେଙ୍କ ପାଖରେ ବିଜେପିର ଫର୍ମୁଲାକୁ ସ୍ୱୀକାର କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ଯଦି ସିନ୍ଦେ କ୍ଷମତାରେ ନରୁହନ୍ତି ତେବେ ଆଗାମୀ ମୁମ୍ୱାଇ ମହାନଗର ନିର୍ବାଚନରେ ତାଙ୍କ ସ୍ଥିତି ଦୁର୍ବଳ ହୋଇପାରେ ।

ମୁମ୍ୱାଇରେ ଖୁବଶୀଘ୍ର ନଗର ନିଗମ ନିର୍ବାଚନ ହେବ । ବିଏମସିକୁ ଶିବସେନାର ଗଡ଼ ବୋଲି କୁହାଯାଏ । ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ଏବେ ଏକନାଥ ସିନ୍ଦେ ସ୍ଥାନୀୟ ନିର୍ବାଚନରେ ବି ନଜ ଦମ ଦେଖାଇବା ପାଇଁ ଉଦ୍ୟମ କରିବେ । 

ପଢନ୍ତୁ: 'ପ୍ରଧାନମନ୍ତ୍ରୀ ମୋଦୀ ଯାହା ନିଷ୍ପତ୍ତି ନେବେ ଆମେ ରାଜି, ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ଆମେ ସ୍ୱୀକାର କରିବୁ'; ଏକନାଥ ସିନ୍ଦେ

ସବୁ ସମୀକରଣକୁ ଦେଖିବାକୁ ଗଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡ଼ନବିସ ବାଟ ଅଧିକ ପ୍ରଶସ୍ତ ଥିଲା । ଅନ୍ୟପଟେ ସିନ୍ଦେଙ୍କ ଜିଦ୍‌ କେବେଳ ସମ୍ପର୍କକୁ ଖରାପ କରିଥାନ୍ତା । ତେଣୁ ଏହା ପୂର୍ବରୁ ଏକନାଥ ସିନ୍ଦେ ସମୟ ଥାଉ ଥାଉ ସରେଣ୍ଡର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସିନ୍ଦେଙ୍କ ଆଜିର ଘୋଷଣା ହଠାତ୍ ହୋଇ ନାହିଁ ବରଂ ପରଦା ପଛରେ ଏଥିପାଇଁ ପୂର୍ବରୁ କୌଣସି ଡିଲ୍ ହୋଇଥାଇପାରେ । ଏହାର ସଂକେତ ବି ଏକନାଥ ସିନ୍ଦେ ଏବଂ ତାଙ୍କ ସମର୍ଥକଙ୍କ ଠାରୁ ମିଳିଥିଲା । ଘର ବାହାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶକ୍ତି ପ୍ରଦର୍ଶନ ନକରିବା ପାଇଁ ଏକନାଥ ସିନ୍ଦେ କହିଥିଲେ । ସେହିପରି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ କରିଥିବା ଏକ୍ସ ପୋଷ୍ଟକୁ ପୁଅ ଶ୍ରୀକାନ୍ତ ହଟାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.