ଜେରୁସାଲେମ: ଆକାଶ ମାର୍ଗରୁ ଖସୁଥିଲା ରିଲିଫ୍ ସାମଗ୍ରୀ। ଭୋକ ଆତୁରରେ ବିକଳରେ ଖାଦ୍ୟକୁ ଚାହିଁ ରହିଥିଲେ ଗାଜାର ଯୁଦ୍ଧ ବିପନ୍ନ। ହେଲେ ଇସ୍ରାଏଲ୍ ଭୋକିଲା ମୁହଁରେ ପାହାର ଦେଇ ଭୋକ ଆତୁରଙ୍କ ଉପରେ ନୃଶଂସ ଗୁଳି ଚାଳନା କରିଛି। ଏଥିରେ ୧୦୪ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଇସ୍ରାଏଲ୍ ଆକ୍ରମଣରେ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮୦ ଜଣ ଆହତ ହୋଇଛନ୍ତି। ଗାଜାର ହସ୍ପିଟାଲ୍କୁ ଏପର୍ଯ୍ୟନ୍ତ ୧୦ ମୃତଦେହ ଆସିଥିବା ବେଳେ ଏକାଧିକ ଆହତ ମଧ୍ୟ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ଘଟଣାକୁ ନେଇ ଇସ୍ରାଏଲ ସେନାର ପ୍ରବକ୍ତା ପ୍ରଥମେ କହିଥିଲେ ଯେ ଏଠାରେ ଗୁଳିକାଣ୍ଡ ନେଇ କୌଣସି ସୂଚନା ନାହିଁ। ହେଲେ ପରେ ସେନା କହିଛି ଯେ ଗାଜାରେ ରିଲିଫ୍ ସାମଗ୍ରୀ ପହଞ୍ଚିବା ପେର ବିପନ୍ନମାନେ ପରସ୍ପର ମଧ୍ୟରେ ଦଳଚକଟା ଲାଗି ଡଜନରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭିଡ଼ରେ ଯେଉଁମାନେ ଇସ୍ରାଏଲ ସେନା ଉପରେ ଆକ୍ରମଣ କରିଛନ୍ତି ସେନା ସମେମାନଙ୍କ ଉପରେ ଗୁଳି ଚଳାଇଛି ବୋଲି ଇସ୍ରାଏଲ୍ ସୂତ୍ରରୁ ଜଣାପଡ଼ିଛି।
ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଅବ୍ବାସ ଅଫିସ ପକ୍ଷରୁ ଏକ ବିବୃତ୍ତି ଜାରି କରି ଘଟଣାକୁ ନିନ୍ଦା କରାଯାଇଛି। ଯୁଦ୍ଧ ବିପନ୍ନଙ୍କ ଉପରେ ଇସ୍ରାଏଲ୍ର ଏଭଳି ଗଣହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ଗାଜା ସ୍ୱାସ୍ଥ୍ୟମନ୍ତ୍ରଣାଲୟ ପ୍ରବକ୍ତା ଅଶ୍ରଫ ଅଲ-କିଦ୍ରା କହିଛନ୍ତି ଯେ ପଶ୍ଚିମ ଗାଜା ସହର ଉତ୍ତର ଭାଗରେ ନାବୁସି ରାଉଣ୍ଡବାଉଟ୍ରେ ଏହି ଗୁଳିକାଣ୍ଡ ଘଟିଛି। ଅଲ୍ ଶିଫା ହସ୍ପିଟାଲକୁ ଏକାଧିକ ଆହତ ଆସି ପହଞ୍ଚିଛନ୍ତି।
ପଢ଼ନ୍ତୁ-ଭୁଲ ନାହିଁ, ଆମ ପାଖରେ ବି ହତିଆର ଅଛି; ପୁଣି ଚେତାବନୀ ଦେଲେ ଭ୍ଲାଦିମିର ପୁଟିନ
ତେବେ ଇସ୍ରାଏଲ୍ର ଏଭଳି ଆକ୍ରମଣ ସେନା ବନ୍ଧକକୁ ନେଇ ହୋଇଥିବା ଡିଲ୍ ଉପରେ ପ୍ରଭାବ ପଡ଼ିବ ବୋଲି ହମାସ ଚେତାବନୀ ଦେଇଛି। ଟ୍ରକ୍ଗୁଡ଼ିକରେ ମୃତଦେହ ବୁହା ହୋଇଯାଉଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।
ସୂଚନା ଥାଉକି ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ- ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ଏପର୍ଯ୍ୟନ୍ତ ଇସ୍ରାଏଲ୍ର ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୩ ଜଣଙ୍କୁ ବନ୍ଧକ ରଖାଯାଇଛି। ସେହିପରି ଗାଜା ସ୍ୱାସ୍ଥ୍ୟ ବିଭାଗ କହିଛି ଯୁଦ୍ଧ ଆରମ୍ଭ ପର ଠାରୁ ଏପର୍ଯ୍ୟନ୍ତ ପାଖାପାଖି ୩୦ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ହଜାର ହଜାର ଆହତ ହୋଇଛନ୍ତି।