ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଘଟଣ; ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା; ୧୮ ମୃତ

Published By : Prameya-News7 Bureau | February 15, 2025 IST

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ଼ ଅଘଟଣ । ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା । ପ୍ରବଳ ଭିଡ଼ ଯୋଗୁଁ ଦଳଚକଟା ହୋଇଛି । ଏଥିରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଶନିବାର ରାତି ପ୍ରାୟ ୧୦ଟାରେ ହୋଇଛି । ପ୍ରୟାଗରାଜକୁ ଟ୍ରେନ୍ ଛାଡ଼ିବା ନେଇ ଘୋଷଣା ହେବା ପରେ ୧୩ ଓ ୧୪ ନଂ ପ୍ଲାଟଫର୍ମରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାଁ ଦୌଡ଼ ହୋଇଥିଲା । ଏହି ସମୟରେ ଦଳାଚକଟାରେ ୧୮ଜଣଙ୍କ ଜୀବନ ଯାଇଛି । 

ସୂଚନା ଅନୁଯାୟୀ, ଶନିବାର ରାତିରେ ମହାକୁମ୍ଭ ଯିବା ପାଇଁ ଶ୍ରଦ୍ଧାଳୁମାନେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ । ପ୍ରୟାଗରାଜ ଯିବାକୁ ଥିବା ଦୁଇଟି ଟ୍ରେନ୍‌ ବିଳମ୍ବ ହେବାରୁ ଯାତ୍ରୀମାନଙ୍କ ସଂଖ୍ୟା ଅତ୍ୟଧିକ ବଢ଼ିଯାଇଥିଲା । ଫଳରେ ୧୩  ଓ ୧୪ ନମ୍ବର ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ହୋଇଥିଲା । ରାତି ପ୍ରାୟ ୧୦ ବେଳେ ଟ୍ରେନ୍ ପ୍ରୟାଗରାଜ ଯିବା ନେଇ ଘୋଷଣା ହେବା ପରେ ଟ୍ରେନ୍ ଧରିବାକୁ ଲୋକଙ୍କ ମଧ୍ୟରେ ଧାଁ ଦୌଡ଼ ହୋଇଥିଲା । ଫଳରେ ଅସମ୍ଭାଳ ଭିଡ଼ି ଯୋଗୁଁ ଦଳାଚକଟା ହୋଇଥିଲା । ଏହି ଅଘଟଣରେ ୧୮ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆର୍‌ପିଏଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଦିଲ୍ଲୀ ପୋଲିସ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ଭିଡ଼ରେ ଅଣନିଶ୍ବାସୀ ହୋଇ ଅଚେତ ହୋଇପଡ଼ିଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲ ଯାଇଥିଲା । 

ତେବେ ବିନା ଟିକେଟରେ ଏତେ ସଂଖ୍ୟକ ଲୋକ ଷ୍ଟେସନ ଭିତରକୁ କେମିତି ପ୍ରବେଶ କଲେ, ଦିଲ୍ଲୀ ପୋଲିସ ତାକୁ ନେଇ ତଦନ୍ତ କରୁଛି । ଦିଲ୍ଲୀ ଉପରାଜ୍ୟପାଳ ଭି କେ ସକ୍ସେନା ଓ ଦିଲ୍ଲୀର କାମଚଳା ମୁଖ୍ୟମନ୍ତ୍ରୀ ଆତିଶୀ ଏଲ୍‌ଏନ୍‌ଜେପି ହସ୍ପିଟାଲ ପରିଦର୍ଶନ କରି ଆହତଙ୍କୁ ଭେଟିଛନ୍ତି । ରେଳପଥ ଡିସିପି କେପିଏସ୍‌ ମାଲହୋତ୍ରା କହିଛନ୍ତି, ପ୍ରୟାଗରାଜ ଏକ୍ସପ୍ରେସ୍‌ ୧୪ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ବେଳେ ସେଠାରେ ବହୁ ସଂଖ୍ୟକ ଯାତ୍ରୀ ଅପେକ୍ଷା କରିଥିଲେ । ଏହି ସମୟରେ ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ବିଳମ୍ବିତ ହୋଇଥିଲା । ଫଳରେ ଯାତ୍ରୀମାନେ ୧୨, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଅପେକ୍ଷା କରି ଭିଡ଼ ଜମାଇଥିଲେ । ୧୫୦୦ ସାଧାରଣ ଶ୍ରେଣୀ ଟିକେଟ ବିକ୍ରି ହୋଇଥିଲା । ଫଳରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ସବୁଠାରୁ ଅଧିକ ଥିଲା । ଏହାଯୋଗୁ ୧୪ ଏବଂ ୧ ନମ୍ବର ପ୍ଲାଟଫର୍ମ ନିକଟରେ ଥିବା ଏସ୍‌କାଲେଟର ନିକଟରେ ଦଳାଚକଟା ସ୍ଥିତି ଉପୁଜିଥିଲା । ପ୍ରଥମେ ୧୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ପହଞ୍ଚିବା ନେଇ ଘୋଷଣା ହୋଇଥିଲା । ଏହାପରେ ଯାତ୍ରୀମାନେ ସେଠାକୁ ଧାଇଁଥିଲେ । ପରେ ୧୬ ନମ୍ବରକୁ ଟ୍ରେନ୍‌ ଆସିବା ନେଇ ଘୋଷଣା ହୋଇଥିଲା । ଏହିଭଳି ସ୍ଥିତିରେ ଯାତ୍ରୀମାନେ ଦୌଡ଼ାଦୌଡ଼ି ଯୋଗୁ ଦଳାଚକଟା ସ୍ଥିତି ଉପୁଜିଥିଲା । ଟ୍ରେନ୍‌ର ପ୍ଲାଟଫର୍ମ ନମ୍ବର ବଦଳାଯିବା ଯୋଗୁ ଏତେ ବଡ଼ ଅଘଟଣ ଘଟିଛି ।



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.