ପାଟନା ୧୫।୩: ବିହାରରେ ହୋଲି ଉତ୍ସବ ପାଳନ ବେଳେ ଦୁର୍ଘଟଣାର ଖବର ଆସୁଛି। ବିଭିନ୍ନ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ଅଧିକ ମୃତ୍ୟୁ ମଧୁବନୀ ଓ ବେଗୁସରାୟରେ ହୋଇଛି। ଏହି ଦୁଇ ଜିଲ୍ଲାରେ ୪ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ମୁଜଫରପୁରେ ୩, ସୁପୌଲରେ ୨ ଓ ସମସ୍ତିପୁରରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ବିହାରର ଅନେକ ଜିଲ୍ଲାରେ ଶୁକ୍ରବାର ହୋଲି ପାଳନ ହୋଇଥିଲା ଆଉ କିଛି ଜିଲ୍ଲାରେ ଶନିବାର ଲୋକେ ହୋଲି ଉତ୍ସବ ପାଳନ କରୁଛନ୍ତି।
ବିହାର ମଧୁବନୀ ଜିଲ୍ଲା ଦହିଲା ଗାଁରେ ପୋଖରୀରେ ବୁଡି ୪ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ହୋଲି ଖେଳ ସରିବା ପରେ ଯୁବତୀମାନେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। କିଛିଦିନ ପୂର୍ବରୁ ଏହି ପୋଖରୀରୁ ଜେସିବି ଲଗାଇ ମାଟି ବାହାର କରାଯାଇଥିଲା। ଏଣୁ ପୋଖରୀ ଗଭୀର ହୋଇଯାଇଥିଲା। ଏହି ଘଟଣା ପରେ ଦହିଲା ଗାଁରେ ହୋଲିର ରଙ୍ଗ ଫିକା ହୋଇଯାଇଛି। ମୃତ ଯୁବତୀଙ୍କ ମଧ୍ୟରେ ୨ ଭଉଣୀ ଅଛନ୍ତି।
ସେହିପରି ବେଗୁସରାୟରେ ପୃଥିକ ପୃଥକ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରଥମ ଘଟଣା ମହ୍ଲିପୁର ଗଙ୍ଗା ଘାଟରେ ହୋଇଛି। ମଧ୍ୟାହ୍ନରେ ହୋଲି ଖେଳି ନଦୀକୁ ଗାଧୋଇ ଯାଇଥିବା ରାଜକୁମାର ରାୟଙ୍କ ୧୪ ବର୍ଷର ପୁଅ ଦେବରାଜଦ କୁମାର ଓ ସ୍ୱର୍ଗତ ଅରୁଣ ରାୟଙ୍କ ୧୬ ବର୍ଷର ପୁଅ ଅଭିନବ କୁମାର ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ସ୍ଥାନୀୟ ବୁଡାଳୀ ଦୁଇ ବାଳକଙ୍କ ଶବ ଉଦ୍ଧାର କରିଥିବା ବେଳେ ପୋଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଏକ ଅନ୍ୟଘଟଣାରେ ବେଗୁସରାୟ ଥାନା ଖାଞ୍ଜହାଁପୁର ପଞ୍ଚାୟତରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ବାଳିକାର ମୃତ୍ୟୁ ହୋଇଛି। ସେହିପରି ଶିବହର ଜିଲ୍ଲା ତରିୟାନୀ ଥାନା ମୋତନାଜେ ଗାଁରେ ବାଗମତୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ କିଶୋର ପ୍ରାଣ ହରାଇଛି। ଅନ୍ୟପକ୍ଷରେ ମୁଜଫରପୁରରେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଅହିୟାରପୁର ଥାନା ମହମ୍ମଦପୁର ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି। ମୋଟର ସାଇକେଲର ହୋଲି ଖେଳିବାକୁ ଯାଉଥିବା ୩ ଜଣ ଯୁବକଙ୍କୁ ଅଜ୍ଞାତ ଗାଡ଼ି ଧକ୍କା ଦେଇ ଚାଲିଯାଇଛି। ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ ଆରୋହୀମାନଙ୍କ ମୃତ୍ୟୁ ହୋଇଛି।
ସମସ୍ତିପୁର ବାରିସନଗର ଥାନା କିଶନପୁର ରେଳ ଷ୍ଟେସନ ନିକଟରେ ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛି। ଯୁବକଙ୍କ ବାଇକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଦୋକାନରେ ପିଟି ହୋଇଯାଇଥିଲା। ଫଳରେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ସେହିପରି ସୁପୌଲ ଜିଲ୍ଲା ତ୍ରିବେଣୀଗଞ୍ଜରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ଲାଗିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବିହାର ସରକାରରେ ପୂର୍ବତନ ମନ୍ତ୍ରୀଙ୍କ ପିତା ମଧ୍ୟ ଅଛନ୍ତି।
ବିହାର ମୁଙ୍ଗେରରେ ହୋଲି ପାଳନ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଗୁଳି ଫୁଟିଛି। ଫଳରେ ଗୁଳି ଜଣେ ବାଳକଙ୍କ ଦେହରେ ବାଜିବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲାର ମୁଫସିଲ ଥାନା ଶଙ୍କରପୁର ମିଲ୍କି ଗାଁରେ ହୋଲି ବେଳେ ଗୀତ ବଜାଇବାକୁ ନେଇ ଏହି ସଂଘର୍ଷ ଘଟିଛି। ସେହିପରି ସୀତାମଢୀ ଓ ଶିବହର ଜିଲ୍ଲାରେ ଉତ୍ସାହର ସହ ଲୋକେ ହୋଲି ପାଳନ କରୁଥିବା ବେଳେ ବିଭିନ୍ନ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରଥମ ଘଟଣାରେ ଦ୍ରୁତଗାମୀ ସ୍କୋର୍ପିୟୋ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହୋଲିକା ଦହନ ପାଇଁ ଶିଶୁ ଗଛ କାଟିବା କାରଣରୁ ଜଣେ ବ୍ୟକ୍ତିକୁ ହତ୍ୟା କରାଯାଇଛି। ଶିବହର ଜିଲ୍ଲାରେ ପତ୍ନୀଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।