ନୂଆଦିଲ୍ଲୀ ୧୫।୩: ବାୟୁ ପ୍ରଦୂଷଣରୁ ଦିଲ୍ଲୀ ଓ ଏନସିଆର ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ)ରେ ବେଶ୍ ସୁଧାର ହୋଇଛି। ରାଜଧାନୀ ଦିଲ୍ଲୀ ଓ ଆଖପାଖ ଜିଲ୍ଲାର ଏକ୍ୟୁଆଇ ଶନିବାର ୮୫ ରହିଛି, ଯାହା ଗତ ୩ ବର୍ଷରେ ସବୁଠୁ କମ୍। ୩ ବର୍ଷ ପରେ ଦିଲ୍ଲୀ ଏନସିଆରର ଲୋକେ ଶୁଦ୍ଧ ବାୟୁରେ ନିଶ୍ୱାସ ନେଇଛନ୍ତି। ବାୟୁ ମାନରେ ସୁଧାର ପରେ ଜାତୀୟ ରାଜଧାନୀରେ ଜାରି ଗ୍ରେଡେଡ ରେସ୍ପନସ୍ ଆକ୍ସନ ପ୍ଲାନ୍ (ଜିଆରଏପି)ର ସମସ୍ତ କଟକଣା ହଟାଇ ଦିଆଯାଇଛି।
ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ରେ ସୁଧାର ପରେ କେନ୍ଦ୍ର ସରକାରଙ୍କ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ) ଶନିବାର ଜିଆରଏପିର ସମସ୍ତ କଟକଣା ପ୍ରତ୍ୟାହାର କରିନେଇଛନ୍ତି। ପାଗରେ ଏକ୍ୟୁଆଇ ସ୍ତରରେ ବୃଦ୍ଧି ହେଲେ ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ (ଜିଆରଏପି) ଲାଗୁ ହୋଇଥାଏ। ଯଦି ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୦୧-୩୦୦ ପର୍ଯ୍ୟନ୍ତ ଯାଏ ତେବେ ଜିଆରଏପି-୧ ଲାଗୁ ହୁଏ। ସେହି ଅନୁସାରେ ବାୟୁ ମାନ ଖରାପ ହେଲେ ଜିଆରଏପି ୪ ପର୍ଯ୍ୟନ୍ତ ଲାଗୁ କରାଯାଇଥାଏ।
ରାଜଧାନୀ ଦିଲ୍ଲୀରେ ହୋଲି ଦିନ ସବୁଠୁ ଅଧିକ ଚାଲାଣ କଟିଛି। ଦିଲ୍ଲୀ ଟ୍ରାଫିକ ପୋଲିସ ହେଲମେଟ ନପିନ୍ଧି ଦୁଇ ଚକିଆ ବାହନ ଚଳାଇବା ଯୋଗୁ ୨,୩୭୬ଟି ଚାଲାଣ କାଟିଥିବା ବେଳେ ମଦ୍ୟପାନ କରି ବାହନ ଚାଳନା ନିମନ୍ତେ ୧,୨୧୩ଟି, ଦୁଇ ଚକିଆ ବାହନରେ ୩ ଜଣ ଯାତ୍ରା ନିମନ୍ତେ ୫୭୩ଟି ଓ ଟେଣ୍ଟେଡ ଗ୍ଲାସ୍ ନିମନ୍ତେ ୯୭ଟି ଚାଲାଣ କଟିଛି। ଏହା ଛଡା ଅନ୍ୟକାରଣରୁ ୨,୯୭୧ଟି ଚାଲାଣ କଟାଯାଇଛି। ଏହିକ୍ରମରେ ଦିଲ୍ଲୀ ପୋଲିସ ମୋଟ ୭,୨୩୦ଟି ଚାଲାଣ କଟେଇଛି।