‘୩ଘଣ୍ଟାର ଚମତ୍କାର ଆଲୋଚନା’, ପିଏମ୍ ମୋଦୀଙ୍କ ସହ ପୋଡ୍‌କାଷ୍ଟ ରିଲିଜ୍ ପୂର୍ବରୁ ଏକ୍ସରେ ଭାବନା ପ୍ରକାଶ କଲେ ଲେକ୍ସ ଫ୍ରିଡ୍‌ମ୍ୟାନ୍

Published By : Prameya-News7 Bureau | March 15, 2025 IST

ନୂଆଦିଲ୍ଲୀ: ଲୋକପ୍ରିୟ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡ୍‌ମ୍ୟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତକାର କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପ୍ରଧାନମନ୍ତ୍ରୀଙ୍କର ସବୁଠାରୁ ଲମ୍ବା ସାକ୍ଷାତକାର ହେବାକୁ ଯାଉଛି । ଏହି ପୋଡ୍‌କାଷ୍ଟ ରବିବାର (ମାର୍ଚ୍ଚ ୧୬) ସନ୍ଧ୍ୟା ୫:୩୦ରେ ଭାରତରେ ରିଲିଜ୍ ହେବ । ଲେକ୍ସ ଫ୍ରିଡ୍‌ମ୍ୟାନ୍ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବାର ଅଭିଜ୍ଞତା ସେୟାର କରି ଲେଖିଛନ୍ତି, ‘ତିନି ଘଣ୍ଟାର ଚମତ୍କାର ଆଲୋଚନା’ କରିଛି । ସେ ଏହାକୁ ଏକ "ମହାକାବ୍ୟର ଆଦାନପ୍ରଦାନ" ବୋଲି କହିଛନ୍ତି । 

ଲେକ୍ସ ଫ୍ରିଡମ୍ୟାନ୍ କହିଥିଲେ, "ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଏକ ବହୁତ ଶକ୍ତିଶାଳୀ ତିନି ଘଣ୍ଟାର ପୋଡ୍‌କାଷ୍ଟ କରିଛି । ଯାହା ମୋ ଜୀବନର ସର୍ବୋତ୍ତମ ପୋଡ୍‌କାଷ୍ଟ ମଧ୍ୟରୁ ଗୋଟିଏ । ଏହାକୁ ଆସନ୍ତାକାଲି ଶୁଣିପାରିବେ।" ପ୍ରିଡମ୍ୟାନଙ୍କ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ସାକ୍ଷାତକାର ତାଙ୍କ ଜୀବନର ଅନେକ ଦିଗକୁ ସ୍ପର୍ଶ କରିଛି । ଏହି ପୋଡ୍‌କାଷ୍ଟ ଗତ ଫେବ୍ରୁଆରୀରେ ରେକର୍ଡ କରାଯାଇଥିଲା । 

ପୋଡ୍‌କାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପିଲାଦିନର ଅନୁଭୂତିଠାରୁ ଆରମ୍ଭ କରି ହିମାଳୟରେ ବିତାଇଥିବା ସମୟ ଏବଂ ତାଙ୍କ ରାଜନୈତିକ ଯାତ୍ରା ପର୍ଯ୍ୟନ୍ତ ସବୁକିଛି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲୋକମାନଙ୍କୁ ଏହି ଆଲୋଚନାରେ ଭାଗ ନେବାକୁ ନିମନ୍ତ୍ରଣ କରିଛନ୍ତି । ଏହି ପୋଡକାଷ୍ଟରେ, ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି । 

ପ୍ରଧାନମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି, "ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏହା ଏକ ଆକର୍ଷଣୀୟ ଆଲୋଚନା ଥିଲା, ଯେଉଁଥିରେ ମୋର ପିଲାଦିନର ଅଭିଜ୍ଞତା, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ମୋର ଯାତ୍ରା ବିଷୟରେ ଆଲୋଚନା କରାଯାଇଛି । ଏହାକୁ ଶୁଣନ୍ତୁ ଏବଂ ଏହି ଆଲୋଚନାର ଏକ ଅଂଶ ହୁଅନ୍ତୁ।" 

ଲେକ୍ସ ଫ୍ରିଡମ୍ୟାନ୍ ଜଣେ ଆମେରିକୀୟ ଏବଂ ବୃତ୍ତିରେ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ପୋଡକାଷ୍ଟର । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଟେସଲା ସିଇଓ ଏଲନ୍ ମସ୍କ, ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକିଙ୍କ ସମେତ ଅନେକ ବ୍ୟକ୍ତିତ୍ୱଙ୍କ ସହ ଲେକ୍ସ ଫ୍ରିଡମ୍ୟାନ୍ ପୋଡକାଷ୍ଟ କରିସାରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.