ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଫେବ୍ରୁଆରୀ ୧୫ରେ ହୋଇଥିବା ଦଳାଚକଟାରେ ୧୮ ଜଣଙ୍କ ଜୀବନ ଯାଇଥିଲା । ଏଥିରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ । ଦୁର୍ଘଟଣା କିପରି ଘଟିଥିଲା ଏବଂ କାହିଁକି ଘଟିଲା ଏହାକୁ ନେଇ ଆରପିଏଫ୍ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁସାରେ ରାତି ୮ଟାରେ ଶିବଗଙ୍ଗା ଏକ୍ସପ୍ରେସ୍ ପ୍ଲାଟପର୍ମ ନଂ ୧୨ରୁ ଯିବା ପରେ ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ଅଧିକ ହୋଇଥିଲା । ପ୍ଲାଟଫର୍ମ ନଂ ୧୨, ୧୩, ୧୪, ୧୫, ୧୬କୁ ଯିବାକୁ ଥିବା ରାସ୍ତା ସମ୍ପୂର୍ଣ୍ଣ ଜାମ ହୋଇଥିଲା ।
ରିପୋର୍ଟ ଅନୁସାରେ ଆରପିଏଫ୍ ଇନ୍ସପେକ୍ଟର ଷ୍ଟେସନ ଡାଇରେକ୍ଟରଙ୍କୁ ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ପରାମର୍ଶ ଦେଇଥିଲେ । ଇନସ୍ପେକ୍ଟର ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ୧୫୦୦ ଟିକେଟ୍ ବିକ୍ରି କରୁଥିବା ରେଲୱେ ଟିମକୁ ଟିକେଟ୍ ବିକ୍ରି କରିବା ଉପରେ ରୋକ ଲଗାଇବା ପାଇଁ କହିଥିଲେ । ରାତି ୮.୪୫ ମିନିଟ୍ରେ ଘୋଷଣା ହେଲା ଯେ ପ୍ରୟାଗରାଜ ପାଇଁ ଯିବାକୁ ଥିବା କୁମ୍ଭ ସ୍ପେଶାଲ ଟ୍ରେନ୍ ପ୍ଲାଟଫର୍ମ ନଂ ୧୨ରେ ଆସିବ । କିନ୍ତୁ ଏହାର କିଛି ସମୟ ପରେ ପୁଣି ଷ୍ଟେସନ୍ରେ ଘୋଷଣା ହେଲା ଯେ କୁମ୍ଭ ସ୍ପେଶାଲ ଟ୍ରେନ୍ ପ୍ଲାଟଫର୍ମ ନଂ ୧୬ରେ ଆସିବ । ଏହି କାରଣରୁ ପ୍ଲାଟପର୍ମରେ ଦଳାଚକଟା ସ୍ଥିତି ସୃଷ୍ଟି ହେଲା ।
ରିପୋର୍ଟ ଅନୁସାରେ ଘୋଷଣା ଶୁଣିବା ପରେ ପ୍ଲାଟଫର୍ମ ୧୨-୧୩ ଏବଂ ୧୪-୧୫ରୁ ସ୍ପେଶାଲ ଟ୍ରେନ ଧରିବା ପାଇଁ ଯାତ୍ରୀ ଫୁଟ୍ ଓଭରବ୍ରିଜ ୨ ଏବଂ ୩ରେ ଚଢିବାକୁ ଲାଗିଥିଲେ । ଏହି ସମୟରେ ଅନ୍ୟ ଏକ ଟ୍ରେନରୁ ଯାତ୍ରୀ ସିଢି ଦେଇ ଓହ୍ଲାଉଥିଲେ । ରାତି ୮ଟା ୪୮ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା । ସୂତ୍ର ଅନୁସାରେ, ପ୍ରଥାମିକ ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁସ୍ଥାନରେ ଦଳାଚକଟା ହୋଇଥିଲା ସେହି ବ୍ରିଜ ଏବଂ ସିଢିରେ ଲାଗିଥିବା ସିସିଟିଭି କ୍ୟାମେରା ଖରାପ ଥିଲା । ଏହି କାରଣରୁ ଦୁର୍ଘଟଣା ବେଳର କୌଣସି ଫୁଟେଜ୍ ଉପଲବ୍ଧ ନାହିଁ । ନୂଆଦିଲ୍ଲୀ ଷ୍ଟେସନରେ ଭିଡ଼ ପରିଚାଳନା ପାଇଁ ଆରପିଏଫର ୨୭୦ ଯବାନ ମୁତୟନ ଅଛନ୍ତି, କିନ୍ତୁ ସେହି ଦିନ କେବଳ ୮୦ ଯବାନ ଥିଲେ ।