ଗୋଟିଏ ଦିନରେ ୨ ହ୍ୟାଟ୍ରିକ, ପାଟ୍ କମିନ୍ସଙ୍କ ପରେ କ୍ରିସ୍ ଜୋର୍ଡାନଙ୍କ କମାଲ; ଟି-୨୦ ବିଶ୍ଵକପ୍‌ରେ ସୃଷ୍ଟି ହେଲା ଇତିହାସ

Published By : Prameya-News7 Bureau | June 23, 2024 IST

aajtak

ବାର୍ବାଡୋସ: ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜର ମିଳିତ ଆନୁକୂଲ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ଵକପ୍‌ ୨୦୨୪ରେ ରବିବାର ଇତିହାସ ରଚା ଯାଇଛି। ଗୋଟିଏ ଦିନରେ ଦୁଇ ଦୁଇ ବୋଲର ହ୍ୟାଟ୍ରିକ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ନେଇଥିବା ବେଳେ  ଦିନର ଦ୍ଵିତୀୟ ମ୍ୟାଚ୍‌ରେ ଇଂଲଣ୍ଡର ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନ ଆମେରିକା ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରି ଇତିହାସ ରଚିଛନ୍ତି। 

ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ୧୮.୫ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ନୀତିଶ କୁମାର ୩୦ ଓ କୋରି ଆଣ୍ଡରସନ ୨୯ ରନ କରିଥିଲେ। ଜୋର୍ଡାନ ୨.୫ ଓଭର ବୋଲିଂ କରି ୧୦ ରନ ଦେଇ ୪ ସଫଳତା ହାସଲ କରିଛନ୍ତି। ଏହି ସମୟରେ ସେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଜୋର୍ଡାନ ଏହି ଉପଲବ୍ଧି ଇନିଂସର ୧୯ତମ ଓଭରରେ ହାସଲ କରିଛନ୍ତି। ସେ ଅଲ୍ଲୀ ଖାନ, ନୋସଥୁସ କେଞ୍ଜିଗେ ଓ ସୌରଭ ନେତ୍ରଭଲକରଙ୍କୁ ଲଗାତାର ତିନୋଟି ବଲରେ ଆଉଟ୍ କରି ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି। 




୧୯ତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଜୋର୍ଡାନ ତିନି ବ୍ୟାଟରଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ଏହା ସହିତ ଜୋର୍ଡାନ ଟି-୨୦ ବିଶ୍ଵକପ୍‌ରେ ହ୍ୟାଟ୍ରିକ ନେବାରେ ଇଂଲଣ୍ଡର ପ୍ରଥମ ବୋଲର ହେବାର କୀର୍ତ୍ତିମାନ ଅର୍ଜନ କରିଛନ୍ତି। ଏହା ଟି-୨୦ ବିଶ୍ଵକପ୍‌ରେ ମୋଟାମୋଟି ୯ମ ହ୍ୟାଟ୍ରିକ। 

ଟି-୨୦ ବିଶ୍ଵକପ୍‌ ଇତିହାସରେ ଏହା ପ୍ରଥମ ଥର ଘଟିଛି, ଯେଉଁଠି ଗୋଟିଏ ଦିନରେ ଦୁଇ ବୋଲର ହ୍ୟାଟ୍ରିକ ନେଇଛନ୍ତି। ଏହା ପୂର୍ବରୁ ୨୦୨୧ ଟି-୨୦ ବିଶ୍ଵକପରେ ସର୍ବାଧିକ ୩ ହ୍ୟାଟ୍ରିକ ଦେଖିବାକୁ ମିଳିଥିଲା। ଏଥର ବିଶ୍ଵକପ୍‌ରେ ପାଟ୍ କମିନ୍ସ ୨ ଓ ଜୋର୍ଡାନ ଥରୁଟିଏ ହ୍ୟାଟ୍ରିକ ଅର୍ଜନ କରି ଏହି ରେକର୍ଡର ସମକକ୍ଷ ହୋଇଛନ୍ତି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.