ଜୁଏଲାରୀ ବନ୍ଦ କରି ଯାଉଥିଲେ, ଅଧାରାସ୍ତାରୁ ଲୁଟି ନେଲେ ୨୫ ଲକ୍ଷ ଟଙ୍କା !

Published By : Prameya-News7 Bureau | November 20, 2024 IST

ବଡ଼ବିଲ୍‌ ୨୦।୧୧ : ବନ୍ଧୁକ ଦେଖାଇ ୨୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟ୍‌ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଉର୍ତ୍ତୀ ଛକ ନିକଟରେ ଜଣେ ଜୁଏଲାରୀ ଦୋକାନୀଙ୍କ ଠାରୁ ଏପରି ଲୁଟ୍‌ ହୋଇଛି । ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଉର୍ତ୍ତୀ ଛକରେ ଥିବା ଓମ୍‌ ଜୁଏଲାରୀର ମାଲିକ ହିରଣ୍ୟମୟୀ ସାହୁ ଦୋକାନ ବନ୍ଦ କରି ଯାଉଥିଲେ । ଅଳଙ୍କାର ଭର୍ତ୍ତି ବ୍ୟାଗ୍‌  ଏବଂ ନିଜ ସାନ ପୁଅକୁ ନେଇ ଘରକୁ ଯାଉଥିଲେ । ଏହି ସମୟରେ ଦୋକାନ ଠାରୁ ମାତ୍ର ୧୦୦ ମିଟର ଦୂରରେ ପୂର୍ବରୁ ଛକି ବସିଥିବା ୬ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ହିରଣ୍ୟମୟୀଙ୍କୁ ବନ୍ଧୁକ ଏବଂ ଭୂଜାଲି ଦେଖାଇ ମାଡ ମାରିବା ସହ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌କୁ ଲୁଟି ନେଇଥିଲେ । ପ୍ରାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଥିବା ସୂଚନା ରହିଛି । 

ସେପଟେ ଲୁଟ୍‌ ପରେ ଦୋକାନ ମାଲିକ ଲୁଟେରାଙ୍କୁ ପିଛା କରିଥିଲେ, ହେଲେ ତାଙ୍କର କୌଣସି ପତ୍ତା ପାଇନଥିଲେ । ପରେ ଚମ୍ପୁଆ ଥାନାରେ ଲୁଟ୍‌ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.