ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ତହବ୍ବୁର ହୁସେନ ରାଣାର ବଢ଼ିଲା ରିମାଣ୍ଡ ଅବଧି । ପଟିଆଲା ହାଉସ୍ କୋର୍ଟ ରିମାଣ୍ଡ ଆବେଦନକୁ ୧୨ଦିନ ବୃଦ୍ଧି କରିଛନ୍ତି । ମୁମ୍ବାଇ ଆତଙ୍କବାଦୀ ହମଲା ବାବଦରେ ଅଧିକ ପଚରାଉଚରା ପାଇଁ ଏନଆଇଏ ରିମାଣ୍ଡକୁ ଆଉ ୧୮ ଦିନି ବୃଦ୍ଧି କରିବାକୁ ଆବେଦନ କରିଥିଲା । ସୋମବାର ଏହାର ଶୁଣାଣି କରି ପଟିଆଲା ହାଉସ୍ କୋର୍ଟ ଏହାକୁ ୧୨ଦିନ ବଢ଼ାଇଛନ୍ତି । ବରିଷ୍ଠ ଆଇନଜୀବୀ ଦୟାନ କୀଷ୍ଣନ ଏବଂ ସ୍ବତନ୍ତ୍ର ସରକାରୀ ଅଧିବକ୍ତା ନରେନ୍ଦ୍ର ମାନ, ଚାମ୍ବର କାର୍ଯ୍ୟକୁ ପ୍ରତିନିଧିତ୍ବ କରିଥିଲେ । ସେପଟେ ଦିଲ୍ଲୀ ବିଧିକ ସେବା ପ୍ରାଧିକରଣର ଅଧିବକ୍ତା ପୀୟୂଷ ସଚଦେବା ଆତଙ୍କୀ ତହବ୍ବୁର ରାଣାର ପକ୍ଷ ରଖିଥିଲେ ।
୧୮ ଦିନ ହେପାଜତରେ ରହିସାରିଛି ରାଣା:
ଏହା ପୂର୍ବରୁ ଏପ୍ରିଲ୍ ୧୧ ତାରିଖରେ ପଟିଆଲା ହାଉସ୍ କୋର୍ଟ ତହବ୍ବୁର ରାଣାକୁ ୧୮ ଦିନିଆ ରିମାଣ୍ଡରେ ପଠାଇଥିଲେ । ଏହି ସମୟରେ ଏନଆଇଏ ଟିମ୍ ୨୦୦୮ ମୁମ୍ବାଇ ହମଲା ପଛରେ କିପରି ଷଡ଼ଯନ୍ତ୍ର ହୋଇଥିଲା ତାହା ଜାଣିବାକୁ ଚେଷ୍ଟା କରିଥିଲା ଏବଂ ଏ ବାବଦରେ ମାଷ୍ଟରମାଇଣ୍ଡକୁ ମଧ୍ୟ ପଚରାଉଚରା କରିଥିଲା । ସୂଚନା ଅନୁଯାୟୀ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲାରେ ୧୬୬ଜଣ ପ୍ରାଣ ହରାଇଥିଲେ ଓ ୩୪୮ରୁ ଅଧିକ ଆହତ ହୋଇଥିଲେ ।
ଆମେରିକାରୁ ପ୍ରତ୍ୟର୍ପିତ ହୋଇଛି ରାଣା:
୨୬/୧୧ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ତହବ୍ବୁର ହୁସେନ ରାଣା ଆମେରିକାରୁ ଭାରତକୁ ପ୍ରତ୍ୟର୍ପିତ ହୋଇଛି । ଆତଙ୍କୀ ଭାରତ ଆସିବାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନଆଇଏ ଟିମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯେଉଁ ଏଥିରେ ସାମିଲ୍ ଅଛନ୍ତି ସେମାନେ ହେଲେ ୧୯୯୭ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ ଆଶିଷ୍ ବତ୍ରା । ଛତିଶଗଡ଼ କ୍ୟାଡର ଆଇପିଏସ ଅଧିକାରୀ ପ୍ରଭାତ କୁମାର । ଏହାଛଡ଼ା ଝାଡ଼ଖଣ୍ଡ କ୍ୟାଡରର ମହିଳା ଆଇପିଏସ ଜୟା ରାୟ ସାମିଲ୍ ଅଛନ୍ତି । ଆମେରିକୀୟ କୋର୍ଟ ତହବ୍ବୁର ରାଣାକୁ ୨୦୨୩ରେ ଭାରତ ପ୍ରତ୍ୟର୍ପଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଯାହାକୁ ୨୦୨୫ ଫେବ୍ରୁଆରୀ ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତିମ ସ୍ବୀକୃତି ଦେଇଛନ୍ତି ।...