ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ୪୨ ଦିନିଆ ଯୁଦ୍ଧବିରତି ଜାରି । ଏହି ଚୁକ୍ତି ଅନୁଯାୟୀ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଆତଙ୍କବାଦୀ ସଂଗଠନ ହମାସ । ଏହା ବଦଳରେ ଆଇଡିଏଫ ଦ୍ବାରା ବନ୍ଦୀ ହୋଇଥିବା ପାଲେଷ୍ଟାୟୀନଙ୍କୁ ଛାଡ଼ୁଛି ଇସ୍ରାଏଲ । ତେବେ ଷଷ୍ଠ ପର୍ଯ୍ୟାୟ ଅଦଳବଦଳ ପ୍ରକ୍ରିୟାରେ ଶନିବାର ହମାସ୍ ସଂଗଠନ ଆଉ ୩ଜଣ ପଣବାନ୍ଦୀଙ୍କୁ ମୁକ୍ତ କରିଛି । ଏମାନଙ୍କ ମଧ୍ୟରେ ଜଣେ ଆମେରିକୀୟ ବ୍ୟକ୍ତିଙ୍କ ସହିତ ଅନ୍ୟ ଦୁଇଜଣ ରହିଛନ୍ତି । ଇସ୍ରାଏଲ-ଆମେରିକୀୟ ନାଗରିକ ସାଗୁଇ ଡେକେଲ୍, ଇସ୍ରାଏଲ ନାଗରିକ ୟାର୍ ହର୍ନ ଏବଂ ଋଷୀୟ-ଇସ୍ରାଏଲ୍ ନାଗରିକ ଆଲେକଜାଣ୍ଡର ସସା ଟ୍ରୋଉଫନାଭ ମୁକ୍ତ ହୋଇଛନ୍ତି । ଏମାନଙ୍କୁ ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍ ଆତଙ୍କୀ ସଂଗଠନ ଅତର୍କିତ ଆକ୍ରମଣ କରି ପଣବନ୍ଦୀ କରିନେଇଥିଲା । ଅନ୍ୟପଟେ ୩ ପଣବନ୍ଦୀଙ୍କ ବଦଳରେ ଇସ୍ରାଏଲ ସରକାର ୩୬୯ଜଣ ପାଲେଷ୍ଟାୟୀନ ବନ୍ଦୀଙ୍କୁ ଛାଡ଼ିବ ବୋଲି ଆଶା କରାଯାଉଛି ।
ଜାନୁଆରୀ ମାସରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ହୋଇଥିଲା । ଏହି ଅସ୍ତ୍ରବିରତି ବୁଝାମଣା ୪୨ ଦିନ ପର୍ଯ୍ୟନ୍ତ ରହିବ । ଏହା ସହିତ ପର୍ଯ୍ୟାୟ କ୍ରମେ ପଣବନ୍ଦୀଙ୍କୁ ଛାଡ଼ୁଛି ହମାସ ସଂଗଠନ । ବର୍ତ୍ତମାନ ସୁଦ୍ଧା ୪୪ଜଣଙ୍କୁ ମୁକ୍ତ କରାଯାଇଛି । ଏହା ବଦଳରେ ପାଲେଷ୍ଟାୟୀନ କଏଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ।
୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆତର୍କିତ ଆକ୍ରମଣ କରିଥିଲା । ଏହା ସହିତ ୩ଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ନେଇଯାଇଥିଲା । ଏହାର ପାଲଟା ଜବାବରେ ଇସ୍ରାଏଲ୍ ଗାଜାରେ ନରସଂହାର କରିଥିଲା । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ୪୫,୯୩୬ଜଣ ପାଲେଷ୍ଟୀୟନ ନାଗରିକ ରହିଥିବା ବେଳେ ୧୭୦୬ଜଣ ଇସ୍ରାଏଲ୍ ନାଗରିକ ରହିଛନ୍ତି ।...