ବ୍ରହ୍ମପୁର ୩୦/୦୧: ପୋଲିସ୍ କୁ ମିଳିଛି ବଡ଼ ସଫଳତା। ସିସିଟିଭି ଆଧାରରେ ଚୋରଙ୍କୁ ଧରିବା ସହ ଉଦ୍ଧାର କରିଛନ୍ତି ଲକ୍ଷେରୁ ଅଧିକ ଟଙ୍କା। ଜିଲ୍ଲାର ବୈଦ୍ୟନାଥପୁର ଟାଉନ ଓ ଗୋଳନ୍ଥରା ଥାନା ଅଞ୍ଚଳର ୪ଜଣ ବରିଷ୍ଠ ନାଗରିକଙ୍କ ଠାରୁ ୧ ଲକ୍ଷ ୮୩ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୁତ୍ତ। ଏବେ ତେଲେଙ୍ଗେନା ପୁଲିସ ୩ଜଣଙ୍କୁ ଗିରଫ କରିଛି।
୨୦୨୪ମସିହା ଅକ୍ଟୋବର ଓ ନଭେମ୍ବର ମାସରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୪ଟି ମାମଲା ରୁଜୁ କରି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। ଏହା ସହ ସିସିଟିଭି ଭିଜୁଆଲକୁ ଚାରିଆଡେ ପ୍ରସାରଣ କରିଥିଲେ। ସମାନ ଢଙ୍ଗରେ ହାଇଦ୍ରାବାଦର ଏକ ଏଟିଏମରେ ଦୁର୍ବୁତ୍ତ ଜଣକ ଠକେଇ କରୁଥିବା ବେଳେ ତେଲେଙ୍ଗେନା ରାଜ୍ୟର ବାହାଦୁରପୁର ପୁଲିସ ବ୍ରହ୍ମପୁର ପୁଲିସର ସିସିଟିଭି ଭିଜୁଆଲକୁ ଦେଖି ଏଟିଏମ ଲୁଟେରାକୁ ଧରିଥିଲା। ବ୍ରହ୍ମପୁର ପୁଲିସର ଏକ ସ୍ୱତନ୍ତ୍ର ଟିମ ତେଲେଙ୍ଗେନା ଗସ୍ତ କରି ଅଧିକ ତଦନ୍ତ କରିଛି।
ଠକେଇର ଶିକାର ହୋଇଥିବା ୪ ବରିଷ୍ଠ ନାଗରିକଙ୍କ ୧ ଲକ୍ଷ ୧୫ ହଜାର ଟଙ୍କା ଉଦ୍ଧାର କରି ସେମାନଙ୍କୁ ପ୍ରଦାନ କରିଛି ବ୍ରହ୍ମପୁର ପୁଲିସ। ୩ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତେଲେଙ୍ଗେନା ପୁଲିସ। ଗିରଫ ତିନି ଲୁଟେରାଙ୍କୁ ଅଧିକ ତଦନ୍ତ କରିବା ପାଇଁ ରିମାଣ୍ଡରେ ଆଣିବାକୁ ବ୍ରହ୍ମପୁର ପୁଲିସ କରିଛି ଆବେଦନ। କୋର୍ଟର ଅନୁମତି ମିଳିବା ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବେ ବୋଲି ସୂଚନା ଦେଲେ ବ୍ରହ୍ମପୁର ଏସ. ପି.।