ନୂଆଦିଲ୍ଲୀ: ଚୀନରେ ହିଟ୍ ଆଣ୍ଡ ରନ୍ର ଭୟଙ୍କର ଘଟଣା ସାମନାକୁ ଆସିଛି । ଦକ୍ଷିଣ ଚୀନର ଝୁହାଇ ସହରରେ ସ୍ପୋର୍ଟ୍ସ ସେଣ୍ଟର ବାହାର ବ୍ୟାୟାମ କରୁଥିବା ଶତାଧିକ ଲୋକଙ୍କ ଉପରେ ଜଣେ ଦୁବୃର୍ତ୍ତ କାର ଚଢାଇ ଦେଇଛି । ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି । ତେବେ ଏହା ଦୁର୍ଘଟଣା ଥିଲା ନା କୌଣସି ଷଡ଼ଯନ୍ତ୍ର, ପୋଲିସ ଏବେ ତାର ଯାଞ୍ଚ କରୁଛି । ଦୁର୍ଘଟଣା ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏପି ରିପୋର୍ଟ ଅନୁସାରେ ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ଆୟୋଜିତ ଝୁହାଇ ଏୟର ସୋ’ର ଗୋଟିଏ ଦିନ ପୂର୍ବର ଘଟିଛି । ଗିରଫ ଡ୍ରାଇଭରଙ୍କ ପରିଚୟ ୬୨ ବର୍ଷୀୟ ଫାନଙ୍କ ରୂପେ ହୋଇଛି । ସୋସିଆଲ୍ ମିଡିଆରେ ଦୁର୍ଘଟଣା ସମୟର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନେକ ଲୋକ ରାସ୍ତାରେ ପଡ଼ିଥିବା ନଜର ଆସୁଛନ୍ତି । ଏହାସହ ଲୋକଙ୍କ ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।
ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଫାନ ଦୁର୍ଘଟଣାସ୍ଥଳରୁ ଫେରାର ହେବା ଯୋଜନାରେ ଥିଲା କିନ୍ତୁ ପୋଲିସ ତାକୁ କାବୁ କରିଛି । ଏହି ସମୟରେ ଛୁରୀରେ ସେ ନିଜକୁ ମଧ୍ୟ ଆକ୍ରମଣ କରି କ୍ଷତି ପହଞ୍ଚାଇବାକୁ ଚାହିଁଥିଲା । ଏଥିରେ ତାର ବେକର ଆଘାତ ଲାଗିଛି । ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ ଛାଡ଼ପତ୍ର ପାଇଁ ଫାନ ରାଗରେ ଥିଲା ଏବଂ ଏହି କାରଣରୁ ଦୁର୍ଘଟଣା ଘଟାଇ ଥାଇପାରେ ।