ମୁମ୍ବାଇ: ସେଞ୍ଜୁରୀୟନ ଖେଳାଯାଇଥିବା ତୃତୀୟ ଟି-୨୦କୁ ୧୧ ରନରେ ଜିତି ନେଇଛି ଭାରତୀୟ ଦଳ। ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରି ଶେଷରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା । ଫଳରେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗରେ ରହିଛି । ଚତୁର୍ଥ ମ୍ୟାଚକୁ ଜିତି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ସୂର୍ଯ୍ୟସେନା ରହିଥିବା ବେଳେ ସିରିଜ୍ ବରାବର କରିବା ପାଇଁ ପ୍ରୟାସ କରିବ ଟିମ୍ ମାରକ୍ରମ ।
ଘରୋଇ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ଭ୍ରମଣକାରୀ ଭାରତୀୟ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ୨୧୯ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ପ୍ରଥମ ଓଭର ଦ୍ବିତୀୟ ବଲରେ ସଞ୍ଜୁ ସାମସନଙ୍କ ଓ୍ବିକେଟ୍ ଯିବା ପରେ ଦୁର୍ଦ୍ଦଶ ବ୍ୟାଟିଂ ଆରମ୍ଭ କରିଥିଲେ ଭାରତୀୟ ବ୍ୟାଟର । ଓପନ ଅଭିଷେକ୍ ଶର୍ମାଙ୍କ ସହିତ ମିଶି ୨୨ ବର୍ଷିୟ ତିକଲ୍ ବର୍ମା ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲରଙ୍କ ଉପରେ ନିର୍ଦ୍ଧୁମ ପ୍ରହାର କରିଥିଲେ । ସେଞ୍ଚୁରିଆନ୍ ସେଞ୍ଚୁରୀ ମାରି ରେକର୍ଡ ସୃଷ୍ଟି କରିଥିଲେ ତିଲକ୍ ବର୍ମା । ସେ ମାତ୍ର ୫୬ଟି ବଲ ଖେଳି ୧୦୭ ରନ ସଂଗ୍ରହ କରିଥିଲେ । ଏଥିରେ ୭ଟି ଛକା ଏବଂ ୮ଟି ଚୌକା ରହିଛି ।
ସେହିପରି ବାରମ୍ବାର ଫେଲ୍ ହେଉଥିବା ଅଭିଷେକ୍ ଶର୍ମା ମାତ୍ର ୨୫ଟି ବଲରେ ୨୦୦ ଷ୍ଟ୍ରାଇକ ରେଟରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ହାର୍ଦ୍ଦିକ୍ ପାଣ୍ଡ୍ୟା ୧୮ ରନ କରି ଆଉଟ୍ ହେବା ପରେ ଶେଷରେ ଡେବୁ ଅଲରାଉଣ୍ଡର ରମନଦୀପ୍ ସିଂହ ପାଓ୍ବାର ହିଟିଂ କରିଥିଲେ । ସେ ମାତ୍ର ୬ଟି ବଲ୍ ଖେଳି ୧୫ ରନ ଦଳୀୟ ସ୍କୋରରେ ଯୋଡ଼ି ଥିଲେ । ଫଳରେ ଟିମ୍ ଇଣ୍ଡିଆ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୯ରନର ବିଶାଳ ସ୍କୋର ଛିଡ଼ା କରିଥିଲା ।
ଦ୍ବିତୀୟ ଇନିଂସରେ ୨୨୦ ରନ୍ର ବିଶାଳ ଲକ୍ଷ୍ୟ ହାସଲ କରିବା ଘରୋଇ ଦଳ ପାଇଁ ସେତେଟା ସହଜ ନଥିଲା । ଦଳୀୟ ସ୍କୋର ୨୭ ବେଳେ ର୍ୟାନ ରିକେଲଟନ ୨୦ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ରିଜା ହେଣ୍ଡରିକ୍ସ ୨୧, ଟ୍ରିଷ୍ଟନ ଷ୍ଟବ୍ସ ୧୨ ଓ ଇଡେନ ମାରକ୍ରମ ୨୯ ରନ୍ କରି ଆଉଟ୍ ହେବା ସହ ଦକ୍ଷିଣ ଆଫ୍ରିକା ୮୪ ରନ୍ରେ ୪ଟି ୱିକେଟ୍ ହରାଇଥିଲା । ମାତ୍ର ହେନରିକ୍ କ୍ଲାସେନ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ଡେଭିଡ୍ ମିଲରଙ୍କୁ ସାଥୀ କରି ସେ ଦଳୀୟ ସ୍କୋରକୁ ୧୪୨ରେ ପହଞ୍ଚାଇଥିଲେ । ମିଲର ୧୮ ରନ୍ କରି ଆଉଟ୍ ହୋଇଥିଲେ । କ୍ଲାସେନ ଓ ମାର୍କୋ ଜାନସେନ ୧୧ଟି ବଲ୍ରୁ ୨୫ ରନ୍ ସଂଗ୍ରହ କରି ଭାରତର ଚିନ୍ତା ବଢାଇ ଦେଇଥିଲେ । ଅର୍ଶଦୀପ ସିଂହ ୧୮ତମ ଓଭରରେ କ୍ଲାସେନଙ୍କୁ ଆଉଟ୍ କରିବା ପରେ ଭାରତ ସାମାନ୍ୟ ଆଶ୍ୱସ୍ତ ହୋଇଥିଲା । କ୍ଲାସେନ ୨୨ଟି ବଲ୍ରୁ ୪୧ରନ୍ କରିଥିଲେ । ମାତ୍ର ଜାନସେନ କ୍ଷଣକ ମଧ୍ୟରେ ଆଶା ମଉଳାଇ ଦେଇଥିଲେ । ୧୯ତମ ଓଭରରେ ସେ ୨୬ ରନ୍ ସଂଗ୍ରହ କରିଥିଲେ । ଶେଷ ଓଭରରେ ଜାନସେନଙ୍କୁ ଆଉଟ୍ କରି ଦଳକୁ ବିଜୟ ଆଡ଼କୁ ନେଇଯାଇଥିଲେ ଅର୍ଶଦୀପ ସିଂହ । ସେ ମୋଟ୍ ୩ଟି ଓ୍ବିକେଟ୍ ନେଇଛନ୍ତି । ଫଳରେ ଟିମ୍ ଇଣ୍ଡିଆକୁ ତୃତୀୟ ଟି-୨୦କୁ ୧୧ରନରେ ଜିତି ନେଇଛି । ତିଲକ୍ ବର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।