ପାରା-ସ୍ୱିମର ମୁରଲୀକାନ୍ତ ପେଟକରଙ୍କୁ ମିଳିବ ଅର୍ଜୁନ ପୁରସ୍କାର...୫୨ ବର୍ଷ ପୂର୍ବେ ପାରାଅଲିମ୍ପିକରେ ଦେଶ ପାଇଁ ଜିତିଥିଲେ ପ୍ରଥମ ସ୍ୱର୍ଣ୍ଣ

Published By : Prameya-News7 Bureau | January 02, 2025 IST

ନୂଆଦିଲ୍ଲୀ: ପାରାଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ମୁରଲୀକାନ୍ତ ରାଜାରାମ ପେଟକରଙ୍କୁ ଅର୍ଜୁନ ପୁରସ୍କାର (ଜୀବନବ୍ୟାପୀ ସାଧାନା)ରେ ସମ୍ମାନିତ ହେବେ । ଖେଳ ମନ୍ତ୍ରଣାଳୟ ଗୁରୁବାର ଏହି ଘୋଷଣା କରିଛି । ପାରାଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବାରେ ମୁରଲୀକାନ୍ତ ରାଜାରାମ ପେଟକର ହେଉଛନ୍ତି ଭାରତର ପ୍ରଥମ ଖେଳାଳି । ୫୨ ବର୍ଷ ପୂର୍ବେ ଜର୍ମାନୀର ହିଡଲବର୍ଗରେ ସେ ଇତିହାସ ରଚି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ । ଭାରତୀୟ ସେନାର ଇଲେକ୍ଟ୍ରୋନିକ୍ସ ଏବଂ ମେକାନିକଲ ଇଞ୍ଜିନିୟର୍ସ (ଇଏସଇ)ର ଜଣେ ସୈନିକ ଥିଲେ । ଫେଟକରଙ୍କୁ ଗମ୍ଭୀର ଆଘାତ ଲାଗିବା ପରେ ସେ ପାରାଲାଇଜ୍ ହୋଇଯାଇଥିଲେ । 

ଉଲ୍ଲେଖଯୋଗ୍ୟ ଯେ ୧୯୭୨ ମସିହାରେ ଜର୍ମାନୀର ହିଡଲବର୍ଗରେ ହୋଇଥିବା ପାରାଅଲିମ୍ପିକ ଖେଳରେ ପୁରୁଷ ୫୦ ମିଟିର ଫ୍ରିଷ୍ଟାଇଲ୍ ସନ୍ତରଣରେ ପେଟକର ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅଲିମ୍ପିକ ଏବଂ ପାରାଅଲିମ୍ପିକ ଖେଳରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାରେ ମୁରଲୀକାନ୍ତ ହେଉଛନ୍ତି ପ୍ରଥମ ଭାରତୀୟ ।

ପାକିସ୍ତାନ ସହ ୧୯୬୫ ଯୁଦ୍ଧ ବେଳେ ଶ୍ରୀନଗର ସୈନ୍ୟ ଶିବିରରେ ହୋଇଥିବା ଆକ୍ରମଣର ଶିକାର ହୋଇଥିଲେ ମୁରଲୀକାନ୍ତ । ଏହାପରେ ବି ସେ ପାରାଅଲିମ୍ପିକରେ ସ୍ୱର୍ଣ୍ଣ ଜିତିବା ସହ ତିନି ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । ଏହି ସବୁ ଉପଲବ୍ଧି ସତ୍ତ୍ୱେ ଖେଳରେ ଉତ୍କୃଷ୍ଠତା ପାଇଁ ଅର୍ଜୁନ ପୁରସ୍କାର ପାଇବାରୁ ବଞ୍ଚିତ ରହିଥିଲେ । କାରଣ ସେହି ସମୟରେ ପାରାଅଲିମ୍ପିକକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉ ନଥିଲା । ଏବେ ୮୦ ବର୍ଷୀୟ ମୁରଲୀକାନ୍ତ ରାଜାରାମ ପେଟକରଙ୍କୁ ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିବେ । ପେଟକରଙ୍କୁ ୨୦୧୮ ମସିହାର ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।

ଏହି ମହାନ ପାରା-ସ୍ୱିମରଙ୍କ ଉପଲବ୍ଧି ଶଦନ୍ଧି ଦଶନ୍ଧି ଯାଏ ଅଜଣା ହୋଇ ରହିଥିଲା, କାରଣ ଆଜିଠାରୁ କିଛି ବର୍ଷ ପୂର୍ବ ଯାଏ ପାରା-ଖେଳକୁ ସରକାର ଏବଂ ଲୋକେ ଅଧିକ ଗୁରୁତ୍ୱ ଦେଉ ନଥିଲେ । କମ ସୁବିଧା ଏବଂ ସମର୍ଥନ ସତ୍ତ୍ୱେ ପେଟକର ସ୍ୱର୍ଣ୍ଣ ପଦକ ଜିତିଥିଲେ । ପେଟକର ୧୯୬୮ ଏବଂ ୧୯୭୨ର ପାରାଅଲିମ୍ପିକ ଖେଳରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୧୯୭୨ରେ ସନ୍ତରଣ ସହ ଅନ୍ୟ ତିନୋଟି ଖେଳରେ ପ୍ରତିଯୋଗୀ ଭାବେ ଭାଗ ନେଇ ଫାଇନାଲିଷ୍ଟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.