ଏମାନଙ୍କ ଯୋଗୁଁ ଟିମ୍‌ରେ ପଡିଛି ଫାଟ; ଯିଏ ବି ଫସିଲା, ଦଳରୁ ହେଲେ ବିଦା…

Published By : Prameya-News7 Bureau | January 04, 2025 IST

ନୂଆଦିଲ୍ଲୀ ୦୪।୦୧: ଟିମ୍‌ ଇଣ୍ଡିଆର ଡ୍ରେସିଙ୍ଗ୍ ରୁମ୍‌ ବିବାଦ । ସବୁବେଳେ ରହିଥାଏ ଚର୍ଚ୍ଚାରେ । ସେ କୋଚ୍‌–କ୍ୟାପଟେନ୍‌ ମଧ୍ୟରେ ହେଉ କିମ୍ବା ପ୍ଲେୟରଙ୍କ ମଧ୍ୟରେ । ଅନେକ ସମୟରେ ଦେଖିବାକୁ ମିଳିଥାଏ ତୁତୁମେମେ । ଯାହାକୁ ନେଇ ୨ଫାଳ ହୋଇଥାଏ ଦଳ । ଭାରତୀୟ କ୍ରିକେଟ ଟିମ୍‌ରେ ଫାଟ ପଡିବା କଥା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏପରି କିଛି ସ୍ଥିତି ସାମ୍ନା କରିଛି ଭାରତ । 

୧୯୩୬ରେ ୨ ପ୍ଲେୟରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଇଂଲଣ୍ଡ ଗସ୍ତ ସମୟରେ ବିଜୟନଗରମର ମହାରାଜା ବିଜ୍ଜି ହୋଇଥିଲେ କ୍ୟାପଟେନ । ସେତେବେଳେ ଅମରନାଥ ସମେତ ଅନେକ ପ୍ଲେୟର ତାଙ୍କ ଉପରେ ଖପ୍ପା ଥିଲେ, ଆଉ ତାଙ୍କର ସମ୍ମାନ କରୁନଥିଲେ । ଗୋଟିଏ ମ୍ୟାଚ୍‌ରେ ଅମରନାଥ ଶୀଘ୍ର ଆଉଟ ହେବା ପରେ ବିଜ୍ଜିଙ୍କୁ କଡା ଭାଷାରେ କିଛି କହିଥିଲେ । ଯାହାପରେ ଅମରନାଥ ଟିମ୍‌ରୁ ହୋଇଥିଲେ ଆଉଟ୍‌ ।  

ଏପରି ସ୍ଥିତି ମଧ୍ୟ ୨୦୧୨ରେ ସାମ୍ନାକୁ ଆସିଥିଲା । ଏମ୍‌ଏସ୍‌ ଧୋନୀଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆ ଗସ୍ତରେ ଥିଲା ଟିମ୍‌ ଇଣ୍ଡିଆ । ଫିଲ୍ଡରେ ଧୀମାଗତି ଦର୍ଶାଇ ସେହଓ୍ବାଗଙ୍କୁ ବେଞ୍ଚରେ ବସାଇଥିଲେ ଧୋନୀ । ଏହାପର ମ୍ୟାଚରେ ସେହଓ୍ବାଗ ରିଟର୍ଣ୍ଣ କରିଥିଲେ, ଆଉ କ୍ୟାଚ ନେବା ପରେ ନିଜ ଫିଲ୍ଡିଙ୍ଗକୁ ନେଇ ଧୋନୀଙ୍କୁ କିଛି କହିଥିଲେ । ଯାହାପରେ ସେହଓ୍ବାଗଙ୍କୁ ଟିମ୍‌ରୁ କରାଯାଇଥିଲା ବାହାର । 

ସେହିପରି ସଚିନ ତେନ୍ଦୁଲକର-ରାହୁଲ ଦ୍ରାବିଡଙ୍କ ମଧ୍ୟରେ ଦେଖା ଦେଇଥିଲା ଫାଟ । ପାକିସ୍ତାନ ବିପକ୍ଷରେ ମୁଲତାନ ଟେଷ୍ଟରେ ୧୯୪ ରନ ସ୍କୋର କରି ସଚିନ ତେନ୍ଦୁଲକର ବ୍ୟାଟିଂ କରୁଥିଲେ । ଏହି ସମୟରେ ଟିମ୍‌ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ୨ ଓଭର ପୂର୍ବରୁ ଷ୍ଟମ୍ପ ଘୋଷଣା କରିଥିଲେ । ଯେଉଁଥିରେ ଦ୍ବିଶତକୀୟ କରିବାରୁ ବଞ୍ଚିତ ହୋଇଥିଲେ ତେନ୍ଦୁଲକର । ଅନ୍ୟପଟେ ଏହାର ଜବାବରେ ଦ୍ରାବିଡ କହିଥିଲେ କି ଦଳର ସ୍ୱାର୍ଥରେ ନିଆଯାଇଥିଲା ଏହି ନିଷ୍ପତ୍ତି ।

୮୦ ଦଶକରେ ସୁନୀଲ ଗାଭାସ୍କରଙ୍କ ପରେ କପିଲ ଦେବ ଏକ ବଡ ଷ୍ଟାର ଭାବରେ ଉଭା ହୋଇଥିଲେ । ଗାଭାସ୍କରଙ୍କୁ ହଟାଇ କପିଲଦେବଙ୍କୁ ଦିଆଯାଇଥିଲା ଅଧିନାୟକତ୍ୱ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡା । ପରେ ୧୯୮୪ରେ ଏକ ସଟ୍ କାରଣରୁ କପିଲ ଦେବଙ୍କୁ ବେଞ୍ଚ ବସାଇ ଦିଆଯାଇଥିଲା । କାରଣ ସେ ଆଉଟ୍ ହୋଇ ଯାଇଥିଲେ ଏବଂ ଭାରତ ମ୍ୟାଚ୍ ହାରିଥିଲା।

୧୯୯୬ରେ ଅଜହରୁଦ୍ଦିନଙ୍କୁ ହଟାଇବା ପରେ ସଚିନଙ୍କୁ ଦିଆଯାଇଥିଲା ଅଧିନାୟକତ୍ୱ । ଏହାପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡା । ସଚିନ ଅନୁଭବ କରିଥିଲେ କି ଅଜହର ଜାଣିଶୁଣି ଟିମ୍‌କୁ  କ୍ଷତି ପହଞ୍ଚାଉଛନ୍ତି । ୧୯୯୮ରେ ଅଜହର ପୁନର୍ବାର ଅଧିନାୟକ ହୋଇଥିଲେ । କିନ୍ତୁ ୧୯୯୯  ବିଶ୍ୱକପ ପରାଜୟ ପରେ ସଚିନ୍ଙ୍କ ପାଖକୁ ପୁଣି ଫେରିଥିଲା ଟିମ୍‌ ଇଣ୍ଡିଆର କମାଣ । ଏହାପରେ ସେ ଅଜହରଙ୍କୁ ଟିମ୍‌ରେ ସାମିଲ କରିବାକୁ ମନା କରିଦେଇଥିଲେ। 

ବର୍ତ୍ତମାନ ପ୍ରାୟ ସମାନ ସ୍ଥିତିରେ ଟିମ୍‌ ଇଣ୍ଡିଆ । କ୍ୟାପଟେନ୍‌-କୋଚ୍‌ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ବିବାଦ । ଯଦିଓ ଏହା ପଦାକୁ ଆସିନାହିଁ କିନ୍ତୁ ସେମାନଙ୍କ ମଧ୍ୟରେ ତିକ୍ତତା ଆସି ସାରିଥିବା କୁହାଯାଉଛି । ଏହି ଫାଟରେ ବଳି ପଡିଯାଇଛନ୍ତି ହିଟମ୍ୟାନ୍‌ । ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟରୁ ବାହାର କରି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.