ନୂଆଦିଲ୍ଲୀ: ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାରିବାର ସବୁଠୁ ବଡ଼ କାରଣ ହେଉଛି ବ୍ୟାଟରଙ୍କ ଖରାପ ପ୍ରଦର୍ଶନ। କେବଳ ଏହି ସିରିଜ୍ ନୁହେଁ ବରଂ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବି ବ୍ୟାଟରଙ୍କ ଦୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ତ୍ତମାନ ଦଳ ୮୦ ଓଭର ଖେଳିବାକୁ ବି ସକ୍ଷମ ହୋଇ ପାରୁନି। ୨୦୦ ରନ କରିବା ଭାରତୀୟ ବ୍ୟାଟରଙ୍କ ପାଇଁ କାଠିକର ପାଠ ହୋଇ ଗଲାଣି।ଗତ ୧୦ଟି ଟେଷ୍ଟରେ କେବଳ ୬ ବ୍ୟାଟର ଶତକ ହାସଲ କରି ପାରିଥିଲେ। ଏଥିରୁ ତିନୋଟି ଶତକ ଗୋଟି ମ୍ୟାଚ୍ରୁ ଆସିଥିଲା। ଭାରତ ଗତ ୧୦ଟି ଟେଷ୍ଟରୁ ୬ଟି ହାରିଥିବା ବେଳେ ତିନୋଟି ଜିତିଥିଲା ଏବଂ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟ ବ୍ୟାଟର ଗତ ୮ଟି ଟେଷ୍ଟ ମ୍ୟାଚ୍ରେ ୧୫ ଇନିଂସରୁ ୧୨ଟିରେ ୮୦ ଓଭର ବି ଖେଳି ପାରି ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୯ଟି ଇନିଂସ ଖେଳିଥିବା ବେଳେ ଏଥିରୁ ମାତ୍ର ଦୁଇ ଥର ଦଳ ୮୦ କିମ୍ବା ସେଥିରୁ ଅଧିକ ଓଭର ବ୍ୟାଟିଂ କରିବାରେ ସଫଳ ହୋଇଥିଲା। ଆଡିଲେଡ୍ରେ ଖେଳା ଯାଇଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତୀୟ ବ୍ୟାଟର ଦୁଇଟି ଇନିଂସକୁ ମିଶାଇ ୮୧ ଓଭର ଖେଳି ପାରିଥିଲେ।
Also read: ଏମାନେ ବି ମିଡ୍-ସିରିଜ୍ରୁ ହୋଇଛନ୍ତି ବିଦା, ଜାଣନ୍ତୁ ଲିଷ୍ଟରେ ଅଛନ୍ତି କିଏ କିଏ ?
କେବଳ ଏତିକି ନୁହେଁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତୀୟ ଦଲ କେବଳ ତିନି ଥର ୨୦୦ ଅତିକ୍ରମ କରି ପାରିଥିଲା। ଏହା ବ୍ୟତୀତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ ଥର ୮୦ ଓଭର ବି ଖେଳିପାରି ନ ଥିଲା। ପରିଣାମ ସ୍ଵରୂପ ଭାରତ ନ୍ୟୁଜିଲାଣ୍ଡଠୁ କ୍ଲିନ ସୁଇପର ଶିକାର ହୋଇଥିଲା।
ଭାରତୀୟ ବ୍ୟାଟରଙ୍କ ଶତକ ଗତ ୧୦ଟି ମ୍ୟାଚ୍ରେ
ବାଂଲାଦେଶ ବିପକ୍ଷ- ଆର ଅଶ୍ଵିନ, ଚେନ୍ନାଇ
ବାଂଲାଦେଶ ବିପକ୍ଷ- ଗିଲ୍ ଓ ପନ୍ତ, ଚେନ୍ନାଇ
ନ୍ୟୁଜିଲାଣ୍ଡ ବିପକ୍ଷ- ସରଫରାଜ ଖାନ, ବେଙ୍ଗାଲୁରୁ
ଅଷ୍ଟ୍ରେଲିଆ ବିପକ୍ଷ- ଯଶସ୍ଵୀ ଓ ବିରାଟ, ପର୍ଥ
ଅଷ୍ଟ୍ରେଲିଆ ବିପକ୍ଷ- ନୀତିଶ ରେଡ୍ଡୀ, ମେଲବର୍ଣ୍ଣ