ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ରେ ସଂପ୍ରତି ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ସାରିଛି। ଏହା ମଧ୍ୟରେ ଚହଲ ଓ ଧନଶ୍ରୀଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏହା ଅନୁଯାୟୀ, ଉଭୟ ଦୀର୍ଘ ସମୟରୁ ପରସ୍ପରଠୁ ଅଲଗା ରହୁଛନ୍ତି। ଦୁହିଁଙ୍କ ଅଲଗା ଅଲଗା ଘର ମଧ୍ୟ ରହିଛି। କିନ୍ତୁ ଏହା ଉପରେ ୟୁଜବେନ୍ଦ୍ର କିମ୍ବା ଧନଶ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି।
ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ଦୁହେଁ ଦୀର୍ଘ ସମୟରୁ ଅଲଗା ରହୁଛନ୍ତି। ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିବା ପରେ ଧନଶ୍ରୀ ନିଜର ଇନଷ୍ଟାଗ୍ରାମରେ ନିଜ ନାଁ ସହିତ ଚହଲ ସରନେମ ଯୋଡ଼ିଥିଲେ। ମାତ୍ର କିଛି ମାସ ପରେ ସେ ଚହଲ ଉପନାମକୁ ହଟାଇ ଦେଇଥିଲେ। ଏହା ପରଠୁ ଉଭୟଙ୍କ ସମ୍ବନ୍ଧ ଠିକ୍ ନ ଥିବା କଥା ଜଣା ପଡ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ମାମଲା ଶାନ୍ତ ପଡ଼ିଥିଲା। କିନ୍ତୁ ଏବେ ପୁଣି ଥରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ଖବର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି।
Also read: ଭାରତୀୟ ବ୍ୟାଟରଙ୍କ ବିଫଳତାର ରିପୋର୍ଟ କାର୍ଡ, ୨୦୦ ରନ ଓ ୮୦ ଓଭର ଖେଳିବା ମୁସ୍କିଲ ହେଲାଣି
ଧନଶ୍ରୀ ପେଶାରେ ଜଣେ ପେଶାଦାର ଡ୍ୟାନ୍ସର। ସେ ସର୍ବଦା ଇନଷ୍ଟାଗ୍ରାମରେ ନିଜର ଡ୍ୟାନ୍ସ ଭିଡିଓ ସେୟାର କରିଥାନ୍ତି। ଏହା ସହିତ ସେ ଅନେକ ଟିଭି ଶୋରେ ନଜର ଆସିଛନ୍ତି। ତାଙ୍କର ରୋଜଗାର ଠିକ୍ ଥିବା ବେଳେ ଆର୍ଥିକ ଭାବେ ସେ ବେଶ ସ୍ଵଚ୍ଛଳ। ଗଣମାଧ୍ୟମ ଖବର ଅନୁଯାୟୀ, ଧନଶ୍ରୀଙ୍କ ମୁମ୍ବାଇରେ ନିଜର ଘର ରହିଛି ଏବଂ ସେଠାରେ ହିଁ ସେ ରହୁଛନ୍ତି। ଚହଲଙ୍କଠୁ ସେ କିଛି ମାସ ହେବ ଅଲଗା ରହୁଛନ୍ତି। ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।
ଚହଲଙ୍କ ପୂର୍ବରୁ ଗତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡ଼ପତ୍ର ହୋଇଥିଲା। ପାଣ୍ଡ୍ୟା ନତାଶା ଷ୍ଟେଙ୍କୋଭିକଙ୍କୁ ବିବାହ କରିଥିଲେ। ମାତ୍ର ଉଭୟଙ୍କ ବୈବାହିକ ଜୀବନ ଅଧିକ ବର୍ଷ ତିଷ୍ଠି ପାରି ନ ଥିଲା। ପାଣ୍ଡ୍ୟା ଓ ନତାଶାଙ୍କ ଗୋଟିଏ ପୁଅ ରହିଛି। ତଥାପି ଦୁହେଁ ଅଲଗା ହୋଇ ଯାଇଛନ୍ତି। ଭାରତୀୟ କ୍ରିକେଟ୍ର ଶିଖର ଧାଓ୍ଵନ ଓ ମହମ୍ମଦ ଶାମିଙ୍କ ମଧ୍ୟ ଛାଡ଼ପତ୍ର ହୋଇ ସାରିଛି।