ଚିନ୍ତା ବଢାଇଲା ବୁମରାଙ୍କ ଆହତ ସମସ୍ୟା, ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ପଡ଼ିବେ ବାଦ୍ !

Published By : Prameya-News7 Bureau | January 06, 2025 IST

abp live

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜ୍ ସଂପନ୍ନ ହୋଇ ସାରିଛି। ଏବେ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଟି-୨୦  ଓ ଦିନିକିଆ ସିରିଜ୍ ଖେଳିବ। ତେବେ ଏହି ଦୁଇ ସିରିଜ୍‌ରୁ ବାଦ୍ ପଡ଼ି ପାରନ୍ତି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା। ସିଡନୀରେ ଖେଳା ଯାଇଥିବା ଶେଷ ଟେଷ୍ଟରେ ବୁମରାଙ୍କ ପିଠିରେ ଆଘାତ ଲାଗିଥିଲା। ତେଣୁ ସେ ଶେଷ ଇନିଂସରେ ବୋଲିଂ କରି ପାରି ନ ଥିଲେ। ଏବେ ଭାରତୀୟ ଦଳର ନଜର ଚାମ୍ପିଅନ୍ସ ଟ୍ରଫି ଉପରେ ରହିଛି। ତେଣୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବୁମରା ଫିଟ୍ ରହିବା ଭାରତ ପାଇଁ ସବୁଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ।

ବୁମରାଙ୍କ ଆହତକୁ ନେଇ ବିସିସିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ବୁମରାଙ୍କ ଆହତ ସମସ୍ୟା କେତେ ଗୁରୁତର ରହିଛି ତାହା ବି ଜଣା ପଡ଼ିନି। ଯଦି ତାଙ୍କର ଆହତ ଗୁରୁତର ଥିବ ତେବେ ସେ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ି ପାରନ୍ତି। ସଂପ୍ରତି ଭାରତର ନଜର ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ଉପରେ ରହିଛି। ଯଦି ବୁମରାଙ୍କୁ ଗ୍ରେଡ ୧ର ଆଘାତ ଲାଗିଛି ତେବେ ତାଙ୍କୁ ଫିଟ୍ ହେବା ପାଇଁ  ଦୁଇରୁ ତିନି ସପ୍ତାହ ସମୟ ଲାଗିବ। ଗ୍ରେଡ ୨ର ଆଘାତ ଲାଗିଥିଲେ ଅତି କମରେ ଛଅ ସପ୍ତାହ ଏବଂ ଗ୍ରେଡ୍ ୩ର ଆଘାତ ଲାଗିଥିଲେ ଫିଟ୍ ହେବା ପାଇଂ ଅତି କମରେ ବୁମରାଙ୍କୁ ତିନି ମାସର ସମୟ ଲାଗିବ। ଗ୍ରେଡ ୧ରେ ଆହତ ସମସ୍ୟା ସାଧାରଣ ରହିଥାଏ। ଏଥିରେ ହାଲୁକା ଯନ୍ତ୍ରଣା, ଶରୀରର କୌଣସି ବି ସ୍ଥାନରେ ଫୁଲା କିମ୍ବା ସାମାନ୍ୟ କ୍ଷତ ସାମିଲ। ମାତ୍ର ଗ୍ରେଡ ୨ ଆଘାତରେ ମାଂସପେଶୀ ଟାଣି ଧରିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ।

Also read: ଦିନେ ଦର୍ଶକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଲିଜେଣ୍ଡ୍ କ୍ରିକେଟର, ନେଇଥିଲେ ବଡ ଶପଥ

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟି-୨୦ ଓ ୩ଟି ଦିନିକିଆ ଖେଳାଯିବ। ଜାନୁଆରୀ ୨୨ରୁ ଟି-୨୦ ସିରିଜ୍ ଆରମ୍ଭ  ହେଉଥିବା ବେଳେ ଫେବୃଆରୀ ୬ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ନାଗପୁର, ଦ୍ଵିତୀୟ କଟକ ଓ ତୃତୀୟ ମୁକାବିଲା ଅହମ୍ମଦାବାଦରେ ଖେଳାଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.