ନୂଆଦିଲ୍ଲୀ: ଜୟ ଶାହ ଆଇସିସି ଚେୟାରମ୍ୟାନ ହେବା ପରେ ବିଶ୍ଵ କ୍ରିକେଟ୍ରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଟେଷ୍ଟ କ୍ରିକେଟ୍କୁ ଦୁଇଟି ସ୍ତରରେ ବିଭକ୍ତ କରାଯିବ। ଏହାକୁ ନେଇ ଜୟ ଶାହ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସହିତ ବୈଠକ କରିଛନ୍ତି। ଏଥିରେ ସମ୍ଭବତଃ ବର୍ଷ ସାରା ଅଧିକ ଟେଷ୍ଟ ସିରିଜ୍ ଆୟୋଜନ ଉପରେ ଆଲୋଚନା କରାଯାଇଛି। ବର୍ଡର-ଗାଭାସ୍କର ଟ୍ରଫିକୁ ଦେଖିବାକୁ ଆସିଥିବା ରେକର୍ଡ ଦର୍ଶକଙ୍କୁ ଦୃଷ୍ଟିରେ ରଖି ଏହା ଉପରେ ବିଚାର କରୁଛି ଆଇସିସି। ଭାରତ ବନାମ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଦେଖିବା ପାଇଁ ଷ୍ଟାଡିୟମକୁ ମୋଟ୍ ୮,୩୭, ୮୭୯ ଦର୍ଶକ ଆସିଥିଲେ।
ଟେଷ୍ଟ କ୍ରିକେଟ୍ ଫର୍ମାଟକୁ ଦୁଇଟି ସ୍ତରରେ ବିଭକ୍ତ କରାଯାଇପାରେ। ପ୍ରଥମ ସ୍ତରରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ରଖାଯାଇପାରେ। ଅନ୍ୟପଟେ ଯେଉଁ ଦଳ ଟେଷ୍ଟରେ ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି ସେହି ଦଳକୁ ସ୍ତର-୨ରେ ରଖାଯାଇପାରେ। ଏହି ପ୍ରସ୍ତାବ ଉପରେ ୨୦୧୬ରେ ବିଚାର କରାଯାଇଥିଲା। ମାତ୍ର ଏହା ଦୁର୍ବଳ ଦଳ ପ୍ରତି ଅପମାନ ଏବଂ ଏହା ଖେଳୁଆଡ଼ ମନୋଭାବର ବୀପରିତ ଦର୍ଶାଇ ସେ ସମୟରେ ବିସିସିଆଇର ତତ୍କାଳୀନ ଅଧ୍ୟକ୍ଷ ଅନୁରାଗ ଠାକୁର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ।
Also read: ଚିନ୍ତା ବଢାଇଲା ବୁମରାଙ୍କ ଆହତ ସମସ୍ୟା, ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ପଡ଼ିବେ ବାଦ୍ !
ସମଗ୍ର ଦୁନିଆରେ ଏମିତି ଅନେକ ପ୍ରସାରଣକର୍ତ୍ତା ପୂର୍ବାପେକ୍ଷା ଏବେ ଅଧିକ ଫାଇଦା ଉଠାଇବାକୁ ଚାହାନ୍ତି। ଭାରତୀୟ କ୍ରିକେଟ୍ର ପୂର୍ବତନ ବରିଷ୍ଠ ଖେଳାଳି ରବି ଶାସ୍ତ୍ରୀ କହିଥିଲେ, ବଡ଼ ଦଳ ସହିତ ଅଧିକ ମ୍ୟାଚ୍ ହେଲେ ଟେଷ୍ଟ କ୍ରିକେଟ୍କୁ ବଞ୍ଚାଯାଇ ପାରିବ।
ଟେଷ୍ଟ କ୍ରିକେଟ୍ରେ ୨ ସ୍ତର
ପ୍ରଥମ ସମ୍ଭାବିତ ସ୍ତର- ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା
ଦ୍ଵିତୀୟ ସମ୍ଭାବିତ ସ୍ତର- ଆଫଗାନିସ୍ତାନ, ବାଂଲାଦେଶ, ଓ୍ଵେଷ୍ଟଇଣ୍ଡିଜ, ଆୟରଲାଣ୍ଡ ଓ ଜିମ୍ବାଓ୍ଵେ