ସିଡ୍‌ନୀ ଟେଷ୍ଟରେ ଟିମ୍ ଇଣ୍ଡିଆର କମ୍‌ବ୍ୟାକ୍‌, ଅଷ୍ଟ୍ରେଲିଆ ଠାରୁ ୧୪୫ ରନ୍ ଆଗରେ ଭାରତ

Published By : Prameya-News7 Bureau | January 04, 2025 IST

CricCrazyJohns

ସିଡ୍‌ନୀ ୦୪।୦୧ : ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ । ଖୁବ୍‌ ରୋମାଞ୍ଚକର ସ୍ଥିତିରେ  ସିଡ୍‌ନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ୍‌ର ୫ମ ମ୍ୟାଚ୍‌ । ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ ୬ ଓ୍ୱିକେଟ୍‌ ହରାଇ ୧୪୧ ରନ୍‌ କରିବାରେ ସକ୍ଷମ ହୋଇଛି । ଯାହାଦ୍ୱାରା କି ଅଷ୍ଟ୍ରେଲିଆ ଠାରୁ ୨ୟ ଇନିଂସରେ ୧୪୫ ରନ୍‌ ଆଗୁଆ ରହିଛି।

ପଞ୍ଚମ ଟେଷ୍ଟରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ହେଲେ ପ୍ରଥମ ଇନିଂସରେ ଟିମ୍‌ର ଘଟିଲା ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୧୮୫ ରନ୍‌ରେ ପୁରା ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଏଥିରେ ରିଷଭ ପନ୍ଥଙ୍କ ସର୍ବାଧିକ ୪୦ ରନ୍‌ ଥିଲା । ସେହିପରି ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିଲେ । ଏହାପରେ ପ୍ରଥମ ଇନିଂସରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା କଙ୍ଗାରୁ ବାହିନୀ । ହେଲେ ଟିମ୍‌କୁ ଲାଗିଲା ଝଟ୍‌କା ପରେ ଝଟ୍‌କା ।  ଯୁବ ବ୍ୟାଟର ଓ୍ୱେବକାଷ୍ଟରଙ୍କ ଅର୍ଦ୍ଧଶତକ ବ୍ୟତୀତ ଆଉ କୌଣସି ବ୍ୟାଟର ଆଖି ଦୃଶିଆ ସ୍କୋର କରିପାରିନଥିଲେ । ଶେଷରେ ପୁରା ଟିମ୍‌ ୧୮୧ ରନ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧ୍ କ୍ରିଷ୍ଣା ଏବଂ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । 

ତେବେ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଭାରତୀୟ ବ୍ୟାଟର । ପ୍ରଥମ କିଛି ଓଭରରେ ଭଲ ଆରମ୍ଭ ହୋଇଥିଲା, ହେଲେ ଅଧିକ ସମୟ ଯାଏଁ ତିଷ୍ଠି ପାରିନଥିଲେ ବ୍ୟାଟର । ଦଳୀୟ ସ୍କୋର ୪୨ ରନ୍‌ ହୋଇଥିବା ବେଳେ ପଡିଥିଲା କେଏଲ୍‌ ରାହୁଲଙ୍କ ଓ୍ୱିକେଟ୍‌ । ଏହାପରେ ଲଗାତର ଅନ୍ତରାଳରେ ପଡିଚାଲିଲା ଓ୍ୱିକେଟ୍‌ । ହେଲେ ମଧ୍ୟକ୍ରମରେ ରିଷଭ ପନ୍ଥ ଖେଳିଥିଲେ ଧୁଆଁଧାର ପାରି । ଅଷ୍ଟ୍ରେଲିଆର ବୋଲିଂ ଆଟାକ ବିରୋଧରେ ମାତ୍ର ୩୩ ବଲ୍‌ରେ ସଂଗ୍ରହ କରିଥିଲେ ୬୧ ରନ୍‌ । ଏଥିରେ ୬ଟି ଚୌକା ଏବଂ ୪ଟି ଛକା ସାମିଲ ରହିଛି । ଶେଷରେ କମିନ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ରିଷଭ । ୨ୟ ଦିନ ଖେଳ ସୁଦ୍ଧା ଭାରତୀୟ ଟିମ୍‌ ୬ଟି ଓ୍ୱିକେଟ୍ ହରାଇ ୧୪୧ ରନ୍‌ ସଂଗ୍ରହ କରିଛି । ଯାହାଫଳରେ ଅଷ୍ଟ୍ରେଲିଆ ଠାରୁ ୧୪୫ ରନ୍‌ ଆଗରେ ରହିଛି ଟିମ୍‌ ଇଣ୍ଡିଆ । 

  • BCCI
  • Border-Gavaskar Trophy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.