ଦିଲ୍ଲୀରେ କମିଲା ଭୋଟ୍ ହାର; ଏଥର ୬୦.୪୪% ମତଦାନ, ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁଠୁ କମ୍

Published By : Prameya-News7 Bureau | February 06, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ୭୦ ଆସନର ସମସ୍ତ ଇଭିଏମ୍ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଆସନ୍ତା ଫେବ୍ରୁଆରୀ ୮ରେ ଭୋଟ୍ ଗଣତି ହେବ । ତେବେ ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁଯାୟୀ, ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ କମିଛି ଭୋଟିଂ ହାର । ୬୦.୪୪% ମତଦାନ ହୋଇଥିବା ଜଣାପଡ଼ିଛି । ସର୍ବାଧିକ ମତଦାନ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଛି । ସେଠାରେ ଭୋଟିଂ ହାର ୬୬.୨୫% ରହିଛି । ସେହିପରି ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁଠୁ କମ୍‌ ମତଦାନ ୫୬.୧୬%  ରେକର୍ଡ କରାଯାଇଛି । ନୂଆଦିଲ୍ଲୀ ଆସନରେ ୫୭% ମତଦାନ, ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୬୦.୧୯%, ପୂର୍ବ ଦିଲ୍ଲୀରେ ୬୧.୮୨%, ଉତ୍ତରରେ ୫୯.୨୮ ପ୍ରତିଶତ, ଉତ୍ତର ପଶ୍ଚିମରେ ୬୦.୩୩% ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।  

ଦିଲ୍ଲୀ ବିଧାନସଭାର ବିଗତ ୩ଟି ନିର୍ବାଚନ ତୁଳନାରେ ଏଥର କମ୍‌ ଭୋଟିଂ ହୋଇଛି । ୨୦୧୩ରେ ୬୫.୬୩% ମତଦାନ ହୋଇଥିଲା । ୨୦୧୫ରେ ୬୭.୧୨% ଓ ୨୦୨୦ରେ ୬୨.୫୯% ଭୋଟିଂ ହୋଇଥିଲା । ୨୦୧୫ରୁ ଏଠାରେ ଆମ୍‌   ଆଦ୍‌ମୀ ପାର୍ଟି ସରକାରରେ ରହିଛି । ୨୦୨୦ ବିଧାନସଭା ନିର୍ବାଚନ ସମୟରେ ମୋଟ୍ ୭୦ଟି ଆସନ ମଧ୍ୟରୁ  ଆପ୍‌ ୬୨ଟି ଆସନ ପାଇଥିବାବେଳେ ବିଜେପିକୁ ୮ଟି ଆସନ ମିଳିଥିଲା ଏବଂ କଂଗ୍ରେସ ଖାତା ଶୂନ୍ୟ ଥିଲା ।

ଦିଲ୍ଲୀର ୭୦ଟି ବିଧାନସଭା ଆସନ ଲାଗି ଏଥର ମୋଟ୍ ୬୯୯ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଦିଲ୍ଲୀରେ ଆପ୍‌, ବିଜେପି ଓ କଂଗ୍ରେସ ମଧ୍ୟରେ  ତ୍ରିମୁଖୀ ଲଢ଼େଇରେ ହେଉଛି । ଏପଟେ ଏକ୍‌ଜିଟ୍ ପୋଲ୍ ତଥ୍ୟ ଦିଲ୍ଲୀରେ ବିଜେପି ସରକାର ଗଠନ କରିବା ଆଶା ବଢ଼ାଇ ଦେଇଛି । ଦୀର୍ଘ ୨୫ ବର୍ଷ ପରେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତାକୁ ଫେରିପାରେ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.