ମୁମ୍ବାଇ ୧୨।୩: ସପ୍ତାହର ତୃତୀୟ ଦିନ ଅର୍ଥାତ ବୁଧବାର ଆଇଟି ସେକ୍ଟରର ଦିଗ୍ଗଜ କମ୍ପାନୀ ଇନଫୋସିସ ସେୟାରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଏହି ହ୍ରାସ ଯୋଗୁ କମ୍ପାନୀର ସଂସ୍ଥାପକ ନାରାୟଣ ମୂର୍ତ୍ତି ଓ ତାଙ୍କ ପରିବାରର ମଧ୍ୟ ବ୍ୟାପକ କ୍ଷତି ହୋଇଛି। କୁହାଯାଉଛି ମୂର୍ତ୍ତି ପରିବାରର ୬,୮୭୫ କୋଟି ଟଙ୍କାର କ୍ଷତି ହୋଇଛି। ବୁଧବାର ଇନଫୋସିସ ସେୟାରରେ ପାଖାପାଖି ୬% ହ୍ରାସ ସହ ୧,୫୬୨ର ନିମ୍ନତମ ସ୍ତରକୁ ପହଞ୍ଚି ଯାଇଛି।
ଏହି ହିସାବରେ ସେୟାର ଡିସେମ୍ବର ୨୦୨୪ରେ ୫୩ ସପ୍ତାହର ଉଚ୍ଚତମ ସ୍ତର ୨,୦୦୬.୮୦ ଟଙ୍କାରୁ ପାଖାପାଖି ୨୨% ତଳକୁ ଖସିଛି। ତେବେ ଏହା ପୂର୍ବରୁ ଜୁନ ୨୦୨୪ରେ ସେୟାରର ମୂଲ୍ୟ ୧,୩୫୯.୧୦ ଟଙ୍କାର ସର୍ବନିମ୍ନ ସ୍ତରକୁ ପହଞ୍ଚିଥିଲା। ନାରାୟଣ ମୂର୍ତ୍ତିଙ୍କ ପରିବାରର ୫ ସଦସ୍ୟଙ୍କ ନିକଟରେ ୪.୦୨ ପ୍ରତିଶତ ସେୟାର ରହିଛି, ଯାହାର ମୂଲ୍ୟ ୨୬,୨୮୭.୧୯ କୋଟି ଟଙ୍କା ହୋଇଛି। ଏହା ୧୩ ଡିସେମ୍ବର ୨୦୨୪ର ୩୩,୧୬୨.୮୯ କୋଟି ଟଙ୍କା ତୁଳନାରେ ୬,୮୭୫.୭୦ କୋଟି ଟଙ୍କା କମ। ୧୩ଡିସେମ୍ବର ୨୦୨୪ରେ ସେୟାର ଉଚ୍ଚତମ ସ୍ତର ୨,୦୦୬.୮୦ ଟଙ୍କାକୁ ପହଞ୍ଚିଥିଲା।
ଡିସେମ୍ବର ତ୍ରୈମାସିକର ଶେଷ ବେଳକୁ ଇନଫୋସିସର ସହ ସଂସ୍ଥାପକ ତଥା ପ୍ରମୋଟର ନାରାୟାଣ ମୂର୍ତ୍ତିଙ୍କ ନିକଟରେ କମ୍ପାନୀର ୦.୪୦ ପ୍ରତିଶତ ଭାଗିଦାରୀ ଥିଲା। ସେତେବେଳେ ତାଙ୍କ ପତ୍ନୀ ଏନ.ମୂର୍ତ୍ତିଙ୍କ ନିକଟରେ ୦.୯୨ ପ୍ରତିଶତ ଓ ଝିଅ ଅକ୍ଷତା ମୂର୍ତ୍ତିଙ୍କ ନିକଟରେ ୧.୬୨ ପ୍ରତିଶତ ଏବଂ ୧.୦୪ ପ୍ରତିଶତ ଭାଗିଦାରୀ ଥିଲା। ଉଲ୍ଲେଖଯୋଗ୍ୟ ଯେ ଅକ୍ଷତା ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ମଧ୍ୟ ଅଟନ୍ତି। ନାରାୟଣ ମୂର୍ତ୍ତିଙ୍କ ନାତି ଏକାଗ୍ର ରୋହନ ମୂର୍ତ୍ତିଙ୍କ ପାଖରେ ଇନଫୋସିସର ମାମୁଲି ସେୟାର ୦.୦୪ ପ୍ରତିଶତ ରହିଛି।
ଏଥିରେ ସେୟାର ଦର ହ୍ରାସ ଯୋଗୁ ରୋହନ ମୂର୍ତ୍ତିଙ୍କ ୨,୭୭୧ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ଅକ୍ଷତା ମୂର୍ତ୍ତିଙ୍କ ୧,୭୭୮.୮୯ କୋଟି ଟଙ୍କା ଓ ଶୁଭା ଏନ.ମୂର୍ତ୍ତିଙ୍କ ୧,୫୭୩.୫୪ କୋଟି ଟଙ୍କାର କ୍ଷତି ହୋଇଛି। ବ୍ରୋକରେଜ ମୋତିଲାଲ ଓସୱାଲ ଇନଫୋସିସ ନିମନ୍ତେ ତାଙ୍କ ରେଟିଂକୁ ହ୍ରାସ କରି ‘ହୋଲ୍ଡ’ କରିଦେଇଛି। ଏହା ଛଡା ମର୍ଗାନ ଷ୍ଟେନଲୀ ମଧ୍ୟ ଇନଫୋସିସର ରେଟିଂ ହ୍ରାସ କରି ‘ଇକ୍ୱଲ ଭେଟ’ କରିଦେଇଛି ଓ ପୂର୍ବର୨,୧୫୦ ଟଙ୍କାରୁ ୧,୭୪୦ ଟଙ୍କାର ନୂଆ ଟାର୍ଗେଟ୍ ପ୍ରସ୍ତାବ କରିଛି।