Retail Inflation: ୭ ମାସର ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଖାଦ୍ୟ-ପାନୀୟ ସାମଗ୍ରୀ ମୂଲ୍ୟ ୨୧ ମାସରେ ସବୁଠୁ କମ

Published By : Prameya-News7 Bureau | March 12, 2025 IST

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ପନିପରିବା ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମଗ୍ରୀ ମୂଲ୍ୟ ହ୍ରାସ ଯୋଗୁ ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ସାତ ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହାସହ ଆରବିଆଇ ଦ୍ୱାରା ସ୍ଥିର ସୀମାଠରୁ ବି ବହୁ କମ ରହିଛି । ୨୦୨୫ ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୬୧ ପ୍ରତିଶତ ରହିଛି । ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୬ ପ୍ରତିଶତ ରହିଥିଲା ।

ରୟଟର୍ସର ଏକ ସର୍ଭେକ୍ଷଣରେ ଅନୁମାନ କରାଯାଇଥିଲା ଯେ ଫେବ୍ରୁଆରୀରେ ମୁଦ୍ରାସ୍ଫୀତି ୩.୯୮ ପ୍ରତିଶତ ରହିବ । ତେବେ ଖାଦ୍ୟ-ପାନୀୟ ସାମଗ୍ରୀ ମୂଲ୍ୟ କମିବା ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ଘଟିଛି । କଞ୍ଜ୍ୟୁମର୍ ପ୍ରାଇସ୍ ଇଣ୍ଡେକ୍ସ (ସିପିଆଇ)ରେ ଖାଦ୍ୟ-ପାନୀୟ ସାମଗ୍ରୀର ଭାଗ ପ୍ରାୟ ଅଧା ରହିଥାଏ । ଫେବ୍ରୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି କମି ୩.୭୫ ପ୍ରତିଶତ ହୋଇଛି, ଯାହା ଜାନୁଆରୀରେ ୫.୯୭ ପ୍ରତିଶତ ଥିଲା ।

ସରକାରୀ ଡାଟା ଅନୁସାରେ ଫେବ୍ରୁଆରୀରେ ମୁଦ୍ରାସ୍ଫୀତି ୨୦୨୩ ମେ' ପରେ ସବୁଠୁ କମ୍ । ପନିପରିବା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଜାନୁଆରୀ ପନିପରିବାର ଦାମ ୧୧.୩୫ ପ୍ରତିଶତ ବଢିଥିଲା, ଅନ୍ୟପଟେ ଫେବ୍ରୁଆରୀରେ କେବଳ ୧.୦୭ ପ୍ରତିଶତ ବଢିଛି । ଖାଦ୍ୟାନ୍ନ ମୂଲ୍ୟରେ ୬.୧୦ ପ୍ରତିଶତ ବୃଦ୍ଧି ଘଟିଛି, ଜାନୁଆରୀରେ ଏହା ୬.୨୪ ପ୍ରତିଶତ ଥିଲା । ସେହିପରି ଡାଲି ମୂଲ୍ୟରେ ୦.୩୫ ପ୍ରତିଶତ ହ୍ରାସ ଘଟିଛି, ଗତ ମାସରେ ଏଥିରେ ୨.୫୯ ପ୍ରତିଶତ ବୃଦ୍ଧି ଘଟିଥିଲା ।

ଗାଁରେ ମୁଦ୍ରାସ୍ଫୀତି କମ ହୋଇ ୩.୭୯ ପ୍ରତିଶତ ହୋଇଛି, ଯାହା ଜାନୁଆରୀରେ ୪.୫୯ ପ୍ରତିଶତ ଥିଲା । ସହରରେ ଏହି ହାର ୩.୩୨ ପ୍ରତିଶତ ରହିଥିବା ବେଳେ ପୂର୍ବ ମାସରେ ଏହା ୩.୮୭ ପ୍ରତିଶତ ଥିଲା । ମୁଦ୍ରାସ୍ଫୀତିରେ ଏହି ହ୍ରାସ ଯୋଗୁଁ ଆଗାମୀ ମାସରେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.