ନୂଆଦିଲ୍ଲୀ ୧୨।୩: ଲୋକସଭାରେ ତୈଳ କ୍ଷେତ୍ର (ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ସଂଶୋଧନ ବିଧେୟକ ୨୦୨୪ ଗୃହୀତ ହୋଇଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର ଲୋକସଭାରେ ବିଧେୟକ ଉପସ୍ଥାପନ କରି କହିଛନ୍ତି ଯେ ଏବେ ଦିନକୁ ଦିନ ଅଶୋଧିତ ତୈଳର ଆବଶ୍ୟକତା ବଢୁଛି ଓ ଏହି କ୍ଷେତ୍ରର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ତୈଳ ଏବଂ ଗ୍ୟାସ୍ ବ୍ୟବସାୟ ଦେଶର ଅର୍ଥବ୍ୟବସ୍ଥା ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ବିଧେୟକର ଉଦ୍ଦେଶ୍ୟ ଦେଶରେ ତୈଳ ଓ ଗ୍ୟାସ୍ କ୍ଷେତ୍ରର ବିକାଶକୁ ଗତି ଦେବା ଓ ଏହାର ରେଗୁଲେସନକୁ ଅଧିକ ପ୍ରଭାବୀ କରିବା। ଏହି ସଂଶୋଧନ ବିଧେୟକରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ପ୍ରବନ୍ଧନ, ଉତ୍ପାଦନ ଓ ବିତରଣକୁ ଅଧିକ ପାରଦର୍ଶୀ ଏବଂ ଦକ୍ଷ କରିବା ଲାଗି ଆଇନଗତ ବ୍ୟବସ୍ଥାକୁ ମଜଭୁତ କରାଯାଇଛି। ସରକାରଙ୍କ କହିବା କଥା ହେଉଛି ଏହି ବିଧେୟକ ଶକ୍ତି କ୍ଷେତ୍ରରେ ନିବେଶ ବଢାଇବା ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ଗତି ଦେବାରେ ସହାୟତା କରିବ।
ଏହି ବିଧେୟକକୁ ସରକାର ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଏହା ଦ୍ୱାରା ଭାରତର ଶକ୍ତି ସଂସାଧନର ଦ୍ରୁତ ଉପଯୋଗ ହେବ। ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ଏହି ସଂଶୋଧନ ଭାରତକୁ ଶକ୍ତି ସୁରକ୍ଷା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଓ ନିବେଶକଙ୍କ ନିମନ୍ତେ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବ। ତେବେ ସଂଶୋଧନରେ ବିରୋଧୀ ଦଳ କିଛି ପ୍ରାବଧାନକୁ ନେଇ ନିଜର ଆପତ୍ତି କରିଥିଲେ। ଏଥିରେ ତୈଳ କ୍ଷେତ୍ରର ପାରଦର୍ଶିତା ସହ ପରିବେଶ ଚିନ୍ତା ଉପରେ ଅଧିକ ଧ୍ୟାନ ଦେବାକୁ ଦାବି କରିଥିଲେ। ତେବେ ଶେଷରେ ବିଧେୟକ ବହୁମତରେ ଗୃହୀତ ହୋଇଛି।
ଏବେ ଏହି ବିଧେୟକକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ, ଯେଉଁଠି ଏହା ଉପରେ ଅଧିକ ଚର୍ଚ୍ଚା ହେବ। ଏହି ସଂଶୋଧନକୁ ଭାରତରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ବଡ଼ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି।