ସମ୍ଭଲରେ ହୋଲି ପୂର୍ବରୁ ପାଲରେ ଢଙ୍କା ଗଲା ମସଜିଦ୍

Published By : Prameya-News7 Bureau | March 12, 2025 IST

ସମ୍ଭଲ ୧୨।୩: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏଥି ପାଇଁ ପୁରା ଉତ୍ତରପ୍ରଦେଶ ପୋଲିସ ଓ ପ୍ରଶାସନ ଏବେ ଆଲର୍ଟ ମୋଡରେ। ହୋଲି ପୂର୍ବରୁ ମସଜିଦମାନଙ୍କୁ ଏବେ ପାଲରେ ଘୋଡାଇ ଦିଆଯାଉଛି। ଯାହା ଦ୍ୱାରା ହୋଲି ଉତ୍ସବ ପାଳନ ବେଳେ ଅନ୍ୟ ଧର୍ମର ଧାର୍ମିକ ଅନୁଷ୍ଠାନ ଉପରେ ରଙ୍ଗ ନ ପକାନ୍ତି। କିଛିଦିନ ପୂର୍ବେ ମସଜିଦକୁ ନେଇ ସମ୍ଭଲରେ ସାମ୍ପ୍ରଦାୟିକ ସଦଭାବ ବିଗିଡି ଯାଇଥିଲା। ଏଣୁ ପ୍ରଶାସନ ଏଠାରେ ଏବେ ହାତେ ମାପି ଚାଖଣ୍ଡେ ନୀତିରେ କାମ କରୁଛି। 

ସମ୍ଭଲ ଜିଲ୍ଲାରେ ମୁଖ୍ୟ ମାର୍ଗମାନଙ୍କ କଡରେ ଥିବା ମସଜିଦମାନଙ୍କୁ ଢାଙ୍କିବା ପାଇଁ ମୁସ୍ଲିମପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯାହା ଦ୍ୱାରା କୌଣସି ପ୍ରକାରର ଅଘଟଣକୁ ଟାଳି ଦିଆଯାଇ ପାରିବ ଓ ଲୋକେ ମସଜିଦ ଉପରକୁ ରଙ୍ଗ ନ ପକାଇବେ। ସମ୍ଭଲର ଖଗୁସରାୟ ସ୍ଥିତ ଲଧନିୟା ମସଜିଦ୍ ପୂର୍ବରୁ ବିବାଦରେ ରହିଛି। ଏଣୁ ସତର୍କତା ଦୃଷ୍ଟିରୁ ପୋଲିସ ପ୍ରଶାସନ ଓ ସ୍ଥାନୀୟ ମସଜିଦ କମିଟି ମିଳିତ ମସଜିଦକୁ ପାଲରେ ଢାଙ୍କିବାକୁ ନିଷ୍ପତ୍ତି ନେଇଛନ୍ତି। ମସଜିଦ ପ୍ରବନ୍ଧନ ସ୍ୱେଛାରେ ଏହି ନିଷ୍ପତ୍ତି ନେଇଛି। 

ମସଜିଦର ମୌଲବୀ ଗଣମାଧ୍ୟମରେ କହିଛନ୍ତି ଯେ ମସଜିଦକୁ ଘୋଡାଇବାର ନିଷ୍ପତ୍ତି ବିନା କୌଣସି ଚାପରେ ନିଆଯାଇଛି। ଯାହା ଦ୍ୱରା କ୍ଷେଚ୍ରରେ ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରା କାୟମ ରହିପାରିବ। ହୋଲି ବେଳେ ଅସମାଜିକ ତତ୍ୱ ମଦ୍ୟପାନ କରି ଉତ୍ପାତ କରନ୍ତି, ଏଣୁ ମସଜିଦ କାନ୍ଥରେ ରଙ୍ଗ ପଡିବା ସହ ପାରସ୍ପରିକ ସୌହାର୍ଦ୍ଦ୍ୟ ବିଗିଡିଥାଏ। ଖଗୁ ମସଜିଦ ସାମ୍ନା ଦେଇ  ଶୋଭାଯାତ୍ରା ଯାଇଥାଏ। ଏତିକି ବେଳେ ଅସାମାଜିକ ତତ୍ୱ ମସଜିଦ ଉପରକୁ ରଙ୍ଗ ଫିଙ୍ଗନ୍ତି। ଏଠାରେ ମସଜିଦରେ ରଙ୍ଗପଡିବା ଯୋଗୁ ପୂର୍ବରୁ ବି ବିବାଦ ହୋଇଛି। ତେବେ ସମ୍ଭଲରେ ଲୋକେ ସୁସ୍ଥ ବାତାବରଣରେ ଏଥର ହୋଲି ପର୍ବ ପାଳିବାକୁ ଉଦ୍ୟମ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.