ଅମ୍ୱାନୀ କି ଆଦାନୀ ନୁହନ୍ତି...ସେୟାର ମାର୍କେଟ ହ୍ରାସରେ ଏହି ବ୍ୟକ୍ତିଙ୍କୁ ହୋଇଛି ସବୁଠୁ ଅଧିକ କ୍ଷତି

Published By : Prameya-News7 Bureau | March 12, 2025 IST

ନୂଆଦିଲ୍ଲୀ: ସେୟାର ମାର୍କେଟ୍‌ରେ ଗତ କିଛି ମାସ ଧରି ବଡ଼ ଧରଣର ହ୍ରାସ ଜାରି ରହିଛି । ଏହି ହ୍ରାସ କାରଣରୁ ଅନେକ ନିବେଶକଙ୍କ ସମ୍ପତ୍ତିରେ ହ୍ରାସ ଘଟିଛି । ଅମ୍ୱାନୀଙ୍କଠାରୁ ଆରମ୍ଭ କରି ଅଦାନୀଙ୍କ ଯାଏଁ ସଭିଙ୍କ ସମ୍ପତ୍ତି କମିଛି । ଯଦି ଆମେ ସବୁଠୁ ଅଧିକ ଅଧିକ କ୍ଷତି ସହିଥିବା ବ୍ୟବସାୟୀଙ୍କ କଥା କହିବା ତେବେ, ଚଳିତ ବର୍ଷ ତାଙ୍କର ସମ୍ପତ୍ତି ପ୍ରାୟ ୨୫ ପ୍ରତିଶତ କମ ହୋଇଛି ।

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ ଚଳିତ ବର୍ଷ ଯେଉଁ ଭାରତୀୟ ବିଲେନିୟର୍ସଙ୍କ ସମ୍ପତ୍ତି ହ୍ରାସ ପାଇଛି ସେଥିରେ ମୁକେଶ ଅମ୍ୱାନୀ, ଗୌତମ ଆଦାନୀ, ଶିବ ନାଦର, ସାପୁର ମିସ୍ତ୍ରୀ ଆଦି ସାମିଲ ଅଛନ୍ତି । ତେବେ ଏଭଳି କିଛି ଭାରତୀୟ ବି ଅଛନ୍ତି, ଯାହାଙ୍କ ସମ୍ପତ୍ତି ଚଳିତ ବର୍ଷ ବୃଦ୍ଧି ପାଇଛି । ଏଥିରେ ସୁନୀଲ ମତ୍ତଲ, ଲକ୍ଷ୍ମୀ ମିତ୍ତଲ, ରାଧାକୃଷ୍ଣ ଦମାନୀ, ଉଦୟ କୋଟକ ଆଦିଙ୍କ ନାଁ ରହିଛି ।

ଚଳିତ ବର୍ଷ ସବୁଠୁ ଅଧିକ କ୍ଷତି ଆରଜେ କର୍ପର ପ୍ରତିଷ୍ଠାତା ଓ ଚେୟାରମ୍ୟାନ ରବି ଜୟପୁରିଆଙ୍କୁ ହୋଇଛି । ଆରଜେ କର୍ପ ଖାଦ୍ୟ-ପାନୀୟ, ହେଲ୍ଥ ସର୍ଭିସ୍ ଓ ଏଜୁକେସନ୍ ପରି ଅନେକ ସେକ୍ଟରରେ କାମ କରନ୍ତି । ତାଙ୍କ କମ୍ପାନି ବରୁଣ ବେବରେଜେସ୍ ଲିମିଟେଡ୍ ବଟଲିଂ କାରବାର ସହ ଜଡ଼ିତ ରହିଛି । ଏହା ପେପ୍ସିକୋ ପାଇଁ ବୋତଲ ତିଆରି କରେ । ଏହାସହ କମ୍ପାନି ଅନ୍ୟ କାରବାର ସହ ମଧ୍ୟ ଜଡ଼ିତ ରହିଛି ।

ରବି ଜୟପୁରିଆଙ୍କ ସମ୍ପତ୍ତି ଚଳିତ ବର୍ଷ ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି । ଚଳିତ ବର୍ଷ ଆରମ୍ଭରେ ତାଙ୍କ ସମ୍ପତ୍ତି ୧୭.୬ ବିଲିୟନ ଡଲାର ଥିଲା । ଚଳିତ ବର୍ତ୍ତମାନ ସୁଦ୍ଧା ତାଙ୍କ ସମ୍ପତ୍ତି ୪ ବିଲିୟନ ଡଲାର ହ୍ରାସ ପାଇଛି । ଏବେ ତାଙ୍କ ସମ୍ପତ୍ତି ୧୩.୨ ବିଲିୟନ ଡଲାର ରହିଛି । ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ରବି ଜୟପୁରିଆ ୧୭୮ତମ ସ୍ଥାନରେ ଅଛନ୍ତି । 

ରବି ଜୟପୁରିଆଙ୍କ ସମ୍ପତ୍ତିରେ ଏହି ହ୍ରାସ ପଛର ପ୍ରମୁଖ କାରଣ ହେଉଛି ବରୁଣ ବେରରେଜେସର ଖରାପ ପ୍ରଦର୍ଶନ । ଏହି କମ୍ପାନିର ସେୟାରରେ ବି ଚଳିତ ବର୍ଷ ୨୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ବର୍ଷ ଆରମ୍ଭରୁ କମ୍ପାନିର ସେୟାର ମୂଲ୍ୟ ପ୍ରାୟ ୬୫୦ ଟଙ୍କା ଥିଲା । ବୁଧବାର ଅପରାହ୍ଣ ୨ଟା ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୪୮୫ ଟଙ୍କା ଥିଲା ।

ଅନ୍ୟପଟେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ଚଳିତ ବର୍ଷ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି । ଏବେ ତାଙ୍କ ସମ୍ପତ୍ତି ୬୩.୪ ବିଲିୟନ ଡଲାର ରହିଛି । ଏଚ୍‌ସିଏଲ୍ ଟେକ୍ନୋଲଜିର ପ୍ରତିଷ୍ଠାତା ଶିବ ନାଦାରଙ୍କ ସମ୍ପତ୍ତି ୨୦ ପ୍ରତିଶତ ହ୍ରାସ ପାଇ ୩୫.୬ ବିଲିୟନ ଡଲାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.