ଗତ ୨୪ ଘଣ୍ଟାରେ ୭୯ ବିମାନକୁ ବୋମା ଧମକ: ମଧ୍ୟପ୍ରାଚ୍ୟକୁ ଯାତ୍ରା କରୁଥିବା ଫ୍ଲାଇଟ୍‌କୁ ମିଳୁଛି ଅଧିକ ଧମକ

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ: ପୁଣି ବିମାନରେ ବୋମା ଧମକ। ସୋମବାର ରାତି ଠାରୁ ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ୭୯ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳି ସାରିଛି। ୨୩ଟି ଇଣ୍ଡିଗୋ ବିମାନ, ୨୧ ବିସ୍ତାର ବିମାନ, ୧୨ଟି ଆକାଶା ଓ ୨୩ଟି ଏୟାର ଇଣ୍ଡିଆ ବିମାନକୁ ବୋମା ଥିବାର ଧମକ ମିଳିଛି। ବିମାନକୁ ବୋମାର ମିଛ ଧମକ ସଂଖ୍ୟା ବଢ଼ିବାରେ ଲାଗିଛି। ଅଦ୍ୟାବଧି ୧୬୯ଟି ବିମାନକୁ ଧମକ ମିଳି ସାରିଲାଣି। 

ବିଶେଷ କରି ସାଉଦି ଆରବର ଜେଦାହ,ରିଆଦ ଓ ତୁର୍କୀର ଇସ୍ତାନବୁଲ ଯାଉଥିବା ବିମାନଗୁଡିକୁ ଅଧିକ ବୋମା ଧମକ ମିଳୁଛି। ପ୍ରଭାବିତ ବିମାନଗୁଡ଼ିକ ମଧ୍ୟରେ ମାଙ୍ଗାଲୁରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୧୬୪କୁ ବୋମା ଥିବା ନେଇ ସିକ୍ୟୁରିଟି ଆଲର୍ଟ ମିଳିଥିଲା। ଏହାପରେ ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇ କଡ଼ା ଯାଞ୍ଚ କରାଯାଇଥିଲା। ସେହିଭଳି ଅହମ୍ମଦାବାଦରୁ ଜେଦାହ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନର ୬ଇ ୭୫ ବିମାନକୁ ବୋମା ଧମକ ମିଳିବା ଅଲଗା ଏକ ସ୍ଥାନରେ ଏହାର ଜରୁରୀ ଅବତରଣ କରି ଚେକିଂ କରାଯାଇଥିଲା।  

ସେହିପରି ଧମକ ମିଳିଥିବା ଅନ୍ୟ ଇଣ୍ଡିଗୋ ବିମାନ ମଧ୍ୟରେ ଲକ୍ଷ୍ନୌ-ପୁଣେ ବିମାନ ୬ଆ ୧୧୮, ହାଇଦ୍ରାବାଦରୁ ଜେଦା ଯାଉଥିବା ୬ଇ ୬୭, ଇସ୍ତାନବୁଲରୁ ମୁମ୍ବାଇ ଯାଉଥିବା ୬ଇ ୧୮, ଦିଲ୍ଲୀରୁ ଦମ୍ମାମ ଯାଉଥିବା ୬ଇ ୮୩ ବିମାନ, ବେଙ୍ଗାଲୁରୁରୁ ଜେଦା ୬ଇ ୭୭ ଆଦି ବିମାନକୁ ବୋମା ଧମକ ମିଳିଥିଲା। ବାରମ୍ବାର ଏଭଳି ଘଟିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ନାଇଡୁ କହିଛନ୍ତି।

ଏହା ପୂର୍ବରୁ ଦେଶରେ ଏକାଧିକ ବିମାନକୁ ମିଛ ବୋମା ଧମକ ମିଳିଛି। କେବଳ ଅକ୍ଟୋବର ୧୯ ତାରିଖରେ ଆକାଶା ଏୟାର, ଭିସ୍ତାର, ସ୍ପାଇସ୍‌ ଜେଟ୍, ଷ୍ଟାର ଏୟର ଏବଂ ଏଲାଏନ୍ସ ଏୟାର ଆଦି ୩୦ଟି ବିମାନକୁ ବୋମା ଧମକ ମିଳିଥିଲା। 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.