ୟୁକ୍ରେନ ସଂଘର୍ଷର ସମାଧାନରେ ପୂର୍ଣ୍ଣ ସହଯୋଗ କରିବ ଭାରତ, ଦ୍ୱିପାକ୍ଷିକ ବାର୍ତ୍ତାରେ ପୁଟିନଙ୍କୁ କହିଲେ ମୋଦୀ

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷରେ ପହଞ୍ଚିଛନ୍ତି । ତେବେ କଜାନରେ ବ୍ରିକ୍ସ ସମିଟ୍ ବାହାରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ଦୁଇ ନେତା ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ ଜଣାଇଛନ୍ତି । ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହୋଇଛି । ପିଏମ୍ ମୋଦୀ କହିଛନ୍ତି ଯେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ସୁନ୍ଦର ସହର କଜାନ ଆସି ଖୁସି ଅନୁଭବ କରୁଛି । ଏହି ସହର ସହ ଭାରତର ଐତିହାସିକ ସମ୍ପର୍କ ରହିଛି । ଏଠାରେ ଭାରତର ନୂଆ ଦୂତାବାସ ଖୋଲିବା ପରେ ସମ୍ପର୍କ ଆହୁରି ମଜଭୁତ ହେବ । ପୁଟିନଙ୍କ ସହ ବାର୍ତ୍ତାରେ ପିଏମ୍ ମୋଦୀ କହିଛନ୍ତି ଯେ ଭାରତ, ୟୁକ୍ରେନ-ରୁଷ ଯୁଦ୍ଧର ସମାଧାନରେ ନିଜ ଭୂମିକା ପାଇଁ ପ୍ରସ୍ତୁତ ଅଛି ।

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ୟୁକ୍ରେନରେ ଶୀଘ୍ର ଶାନ୍ତି ସ୍ଥାପନାର ଇଚ୍ଛା ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି, 'ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଂଘର୍ଷ ବାବଦରେ ଆମେ ଲଗାତାର ଯୋଗାଯୋଗରେ ଅଛୁ । ଆମର ବିଶ୍ୱାସ ଯେ ବିବାଦର ସମାଧାନ କେବଳ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ହୋଇପାରିବ । ଶୀଘ୍ର ଶାନ୍ତି ଏବଂ ସ୍ଥିରତା ସ୍ଥାପନା ପ୍ରୟାସକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ ।'

ରୁଷ ରାଷ୍ଟ୍ରପତି ପୁଟିନ ପିଏମ୍ ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକରେ କହିଛନ୍ତି, 'ବ୍ରିକ୍ସ ଭିତରେ ଭାରତ-ରୁଷ ସହଯୋଗକୁ ଅଧିକ ଗୁରୁତ୍ୱ ଦେଉଛି, କାରଣ ଆମେ ଦୁହେଁ ସଂସ୍ଥାପକ ସଦସ୍ୟ । ପୁଟିନ ଜୋର ଦେଇ କହିଛନ୍ତି, ରୁଷ-ଭାରତ ସମ୍ପର୍କ ଅଧିକ ମଜଭୁତ ହେଉଛି ଏବଂ ମସ୍କୋ ବ୍ରିକ୍ସରେ ନୂଆଦିଲ୍ଲୀ ସହ ନିଜ ସମ୍ପର୍କକୁ ମହତ୍ୱ ଦେଉଛି ।' ପୁଟିନ କହିଛନ୍ତି, 'ଇଣ୍ଟରଗଭର୍ଣ୍ଣମେଣ୍ଟଲ କମିଶନର ପରବର୍ତ୍ତୀ ବୈଠକ ଡିସେମ୍ୱର ୧୨ରେ ନୂଆଦିଲ୍ଲୀରେ ହେବ । ଆମର ମିଳିତ ପରିଯୋଜନା ଲଗାତାର ପ୍ରଗତି କରୁଛି । କଜାନରେ ଦୂତାବାସ ଖୋଲିବା ନେଇ ଆପଣ ନିଷ୍ପତ୍ତି ନେଇଛନ୍ତି । ଏହାକୁ ମୁଁ ସ୍ୱାଗତ କରୁଛି । ଭାରତର ନୀତି ଯୋଗୁଁ ଦୁଇ ଦେଶର ସହଭାଗିତା ଏବଂ ସମ୍ପର୍କକୁ ଲାଭ ମିଳିବ ।'

କଜାନ ହେଉଛି ରୁଷର ତତାରସ୍ତାନ ପ୍ରାନ୍ତର ସବୁଠୁ ବଡ଼ ସହର ଏବଂ ପ୍ରଚାନୀ ରାଜଧାନୀ । ମଙ୍ଗଳବାର ଏବଂ ବୁଧବାର ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ସଂସ୍ଥାପକ ସଦସ୍ୟ । ଏହି ସଂଗଠନରେ ଇଥୋପିୟା, ଇରାନ, ସାଉଦି ଆରବ ଏବଂ ୟୁଏଇ ସାମିଲ ହେବା ପରେ ଏହାର ସଦସ୍ୟ ସଂଖ୍ୟା ୧୦ ହୋଇଛି । ନୂଆ ସଦସ୍ୟ ରାଷ୍ଟ୍ର ସାମିଲ ହେବା ପରେ ଏହା ବ୍ରିକ୍ସର ପ୍ରଥମ ଶିଖର ସମ୍ମିଳନୀ । ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଦୁନିଆର ଗୁରୁତ୍ୱପୂର୍ଣ୍ଣ ଅର୍ଥବ୍ୟବସ୍ଥା ଅଟନ୍ତି । ଏହାର ସଦସ୍ୟ ଦେଶରେ ବିଶ୍ୱର ୪୧ ପ୍ରତିଶତ ଜନସଂଖ୍ୟା ବାସ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.