'ଲାଡ୍‌ଲି ବେହେନ' ଯୋଗୁଁ ଚିନ୍ତାରେ ବ୍ୟାଙ୍କ୍ କର୍ମଚାରୀ; ନଭେମ୍ବର ୧୬ରୁ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା !

Published By : Prameya-News7 Bureau | October 22, 2024 IST

ମୁମ୍ବାଇ: ମହାରାଷ୍ଟ୍ରରେ ଯେଉଁ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଏକନାଥ ସିନ୍ଦେଙ୍କ ମହାୟୁକ୍ତି ମେଣ୍ଟ ସରକାର ପୁଣି ଥରେ ଶାସନ କ୍ଷମତାକୁ ଫେରିବାକୁ ପ୍ରୟାସ କରୁଛି, ସେହି ସମାନ ଯୋଜନା ଏବେ ମହାରାଷ୍ଟ୍ର ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମହତ୍ବକାଂକ୍ଷୀ 'ଲାଡ୍‌ଲି ବେହେନ' ଯୋଜନା ଲାଗୁ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ଏହି ଜନକଲ୍ୟାଣକାରୀ ଯୋଜନା ଯୋଗୁ ହିତାଧିକାରୀଙ୍କ ଫାଇଦା ହେଉଛି, ମାତ୍ର ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ବ୍ୟାଙ୍କ ଷ୍ଟାଫ୍ । ଏହାକୁ ନେଇ ସେଣ୍ଟ୍ରାଲ୍ ଏସୋସିଏସନ ଅଫ୍ ବ୍ୟାଙ୍କ ଏମ୍ଲୋଇଜ୍ ଆନ୍ଦୋଳନ ରାସ୍ତା ଆପଣାଇଛି  । ୨୧ ତାରିଖରେ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଙ୍କ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାର ସମାଧାନ ଏବଂ ବ୍ୟାଙ୍କ ଷ୍ଟାଫକୁ ସୁରକ୍ଷା ନମିଳିଲେ ଆସନ୍ତା ନଭେମ୍ବର ୧୬ ତାରିଖରେ ମୋଟ୍ ୯ଟି ବ୍ୟାଙ୍କର କର୍ମଚାରୀ ସମୂହ ଭାବେ ଧର୍ମଘଟକୁ ଓହ୍ଲାଇବେ । 

ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ବ୍ୟାଙ୍କ କର୍ମଚାରୀମାନେ ୨୨ ଅକ୍ଟୋବର ଯାଏଁ ପ୍ରତିଦିନ ଏକ ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ । ୨୧ ତାରିଖରୁ ୨୫ ଯାଏ ବିରୋଧ ପ୍ରଦର୍ଶନ କରିବେ । ଅକ୍ଟୋବର ୨୫ ତାରିଖରେ ମୁମ୍ବାଇର ଆଜାଦ ମୈଦାନରେ ଆନ୍ଦୋଳନ କରିବେ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ପ୍ରମୁଖ ସହରରେ ବ୍ୟାଙ୍କକର୍ମଚାରୀ ମହମବତୀ ଶୋଭାଯାତ୍ରା କରିବେ । ୟୁଏଫବିୟୁର ସଂଯୋଜକ ଦେବୀଦାସ ତୁଲଜାପୁରକର କହିଛନ୍ତି, ନଭେମ୍ବର ୧୫ ତାରିଖରେ ବ୍ୟାଙ୍କ ଆନ୍ଦୋଳନ ହେବ ଏବଂ ୧୬ ତାରିଖରେ ସାରା ରାଜ୍ୟରେ ବ୍ୟାଙ୍କ  କର୍ମଚାରୀ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି । 

ୟୁଏଫବିୟୁର ସଂଯୋଜକ ଦେବୀଦାସ କହିଛନ୍ତି, ମହାରାଷ୍ଟ୍ର ସରକାର ବିନା କୌଣସି ପ୍ଲାନିଂରେ ରାଜ୍ୟରେ ‘ଲାଡଲି ବେହେନ’ ଯୋଜନାକୁ ଲାଗୁ କରିଛନ୍ତି । ଫଳରେ ବ୍ୟାଙ୍କ କାର୍ଯ୍ୟକରିବାରେ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାମ ବିଳମ୍ବ ହେଲେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ବ୍ୟାଙ୍କ୍ ଷ୍ଟାଫଙ୍କୁ ଗାଳିଗୁଲଜ ଏବଂ ମାରପିଟ୍ କରିବାକୁ ପଛଉନାହାନ୍ତି ଲୋକେ । ଯାହାକୁ ନେଇ ମହାରାଷ୍ଟ୍ର ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ଥାନାରେ ୧୨ଟି ମାମଲା ରୁଜୁ ହୋଇଛି । ମାତ୍ର ସାଧାରଣ ମାମଲା ପାଇଁ ଅଭିଯୁକ୍ତଙ୍କୁ ଶୀଘ୍ର ଜାମିନ୍ ମିଳିଯାଇଛି । ସେମାନେ ପୁଣି ଥରେ ଉତ୍ପାତ କରୁଛନ୍ତି ବୋଲି ଦେବୀଦାସ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.