ଲେବାନନରେ ଇସ୍ରାଏଲକୁ ଝଟକା, IDFର କ୍ୟାପ୍ଟେନ ସମେତ ୮ ସୈନିକଙ୍କୁ ହତ୍ୟା କଲା ହେଜବୁଲ୍ଲା

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ଆଜିର ସମୟରେ ହମାସ, ହେଜବୁଲ୍ଲା ଏବଂ ଇରାନ ସହ ସିଧା ଲଢେଇ ଲଢୁଛି । ମଙ୍ଗଳବାର ରାତିରେ ଇରାନ ଏକ ଘଣ୍ଟା ଭିତରେ ଇସ୍ରାଏଲ୍ ଉପରେ ୨୦୦ ମିସାଇଲ୍ ଆକ୍ରମଣ କରିଥିଲା । ଇସ୍ରାଏଲ୍ ମଧ୍ୟ ମୁହଁତୋଡ଼ ଯବାବ ଦେବ ବୋଲି ଘୋଷଣା କରିଛି । ଏହାରି ଭିତରେ ଇସ୍ରାଏଲକୁ ଏକ ଝଟକା ଦେଇଛି ହେଜାବୁଲ୍ଲା । ସ୍ଥଳ ମାର୍ଗର ଲଢେଇରେ ଇସ୍ରାଏଲ୍‌ର ୨୨ ବର୍ଷୀୟ କ୍ୟାପ୍ଟେନ ସମେତ ୮ ଜଣ ସୈନିକଙ୍କୁ ହତ୍ୟା କରିଛି ହେଜବୁଲ୍ଲା । ଇସ୍ରାଏଲ୍ ସେନା ମଧ୍ୟ ନିଜ ଯବାନଙ୍କ ବିୟୋଗ ଖବରକୁ ସ୍ପଷ୍ଟ କରିଛି । ଲେବାନନରେ ଚାଲିଥିବା ସଂଘର୍ଷ ମଧ୍ୟରେ ହେଜବୁଲ୍ଲା କହିଛି ଯେ ଆମେ ଇସ୍ରାଏଲୀ ସେନା ଉପରେ ବୋମା ମାଡ଼ କରିଛୁ । ନିଜ ସୈନ୍ୟ ରଣନୀତିରେ ଆଇଡିଏଫ୍‌କୁ ପଛରେ ପକାଇଥିବା ହେଜବୁଲ୍ଲା ଦାବି କରିଛି ।

ଇସ୍ରାଏଲ୍ ସେନା କହିଛି ଯେ ୨୨ ବର୍ଷୀୟ କ୍ୟାପ୍ଟେନ ଇତନ ଇଜାତକ ଓଷ୍ଟର ବୁଧବାର ହେଜବୁଲ୍ଲା ସହ ସଂଘର୍ଷରେ ସହିଦ ହୋଇଛନ୍ତି । ତେବେ ଆଇଡିଏଫ୍ ଏହା ଉପରେ ଅଧିକ ସୂଚନା ଦେଇ ନାହିଁ । ଇସ୍ରାଏଲ୍ ସେନା ଏହା ପରେ ବୟାନ ଦେଇ କହିଛନ୍ତି ଯେ ଲେବାନନରେ ଯୁଦ୍ଧ ଅଭିଯାନରେ ପ୍ରାଣ ହରାଇଥିବା ଯବାନଙ୍କ ସଂଖ୍ୟା ୮ ହୋଇଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମୃତ ସୈନିକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ହେଜବୁଲ୍ଲା ବିରୋଧରେ ସ୍ଥଳ ପଥ ଯୁଦ୍ଧରେ ଇସ୍ରାଏଲ୍ ପାଇଁ ଏକ ବଡ଼ ଝଟକା ହୋଇଛି । ସେହିପରି ହେଜବୁଲ୍ଲା ଦାବି କରୁଛି ଯେ ଦକ୍ଷିଣ ସୀମାବର୍ତ୍ତୀ ଗାଁ ନିକଟରେ ଇସ୍ରାଏଲୀ ସେନାକୁ ବିସ୍ଫୋଟକ ସହ ଟାର୍ଗେଟ୍ କରାଯାଇଛି । ଏହି ଆକ୍ରମଣ ପରେ ଇସ୍ରାଏଲୀ ସେନା ପଛଘୁଞ୍ଚା ଦେଇଥିଲେ । ହେଜବୁଲ୍ଲା କହିଛି ଯେ ଏହି ଆକ୍ରମଣ ଆଇଡିଏଫକୁ ବିଚଳିତ କରିଦେଇଛି । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧୮ ବର୍ଷ ପରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହେଜବୁଲ୍ଲା ଏବଂ ଇସ୍ରାଏଲ୍ ଲେବାନନ ମାଟିରେ ମୁହାଁମୁହିଁ ହୋଇଛନ୍ତି । ୨୦୦୬ ସଂଗ୍ରାମରେ ଇସ୍ରାଏଲ୍ ଏବଂ ହେଜବୁଲ୍ଲା ନିଜ ନିଜର ବିଜୟ ନେଇ ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.