ଅନ୍ତରୀଣ ସରକାରରେ ବଡ଼ କୂଟନୈତିକ ନିଷ୍ପତ୍ତି; ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଢାକା ଡାକରା

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହସିନାଙ୍କ ବିରୋଧରେ ବିଦ୍ରୋହ ପରେ ଶାସନ କ୍ଷମତା ପରିବର୍ତ୍ତନ ହୋଇଛି । ଏବେ ଅନ୍ତରୀଣ ସରକାରର ଦାୟିତ୍ବ ସମ୍ଭାଳୁଛନ୍ତି ନୋବେଲ ବିଜେତା ମହମ୍ମଦ ୟୁନୁସ । ଅନ୍ତରୀଣ ସରକାରକୁ ଦୁଇ ମାସ ହୋଇଛି । ଏହାରି ମଧ୍ୟରେ ସରକାର ବଡ଼ ଧରଣର କୂଟନୈତିକ ଫେରବଦଳ କରିଛନ୍ତି । ବିଦେଶରେ ଅବସ୍ଥାପିତ ଥିବା ୫ ରାଷ୍ଟ୍ରଦୂତଙ୍କୁ ଢାକା ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏଥିରେ ଦିଲ୍ଲୀରେ ଅବସ୍ଥାପିତ ରାଷ୍ଟ୍ରଦୂତ ମୁସ୍ତାଫିଜୁର ରହମାନ ମଧ୍ୟ ସାମିଲ ରହିଛନ୍ତି । ଏନେଇ ଗୁରୁବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  

ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେଶ ରାଷ୍ଟ୍ରଦୂତ ବେଲଜିୟମ, ଅଷ୍ଟ୍ରେଲିଆ, ପର୍ତୁଗାଲ, ଭାରତ ଏବଂ ଆମେରିକାରେ ଅବସ୍ଥାପିତ ଥିଲେ । ଏମାନଙ୍କୁ ତୁରନ୍ତ ରାଜଧାନୀ ଢାକା ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ବାଂଲାଦେଶ ନିର୍ବାଚନ ପୂର୍ବରୁ ଆସିଛି । ମାତ୍ର ରାଷ୍ଟ୍ରଦୂତଙ୍କୁ କେଉଁ କାରଣକୁ ଦେଶକୁ ଫେରିବାକୁ କୁହାଯାଇଛି ତାହା ଏବେ ସ୍ପଷ୍ଟ ରହିଛି । କୂଟନୀତିଜ୍ଞମାନଙ୍କ କହିବା କଥା, ଅନ୍ତରୀଣ ସରକାରଙ୍କ ଏହି ନିଷ୍ପତ୍ତି, ଦେଶର କୂଟନୈତିକ ପ୍ରାଥମିକତାକୁ ପୁଣି ଥରେ ତୟାର କରିବା ପ୍ରୟାସରେ ହୋଇଥାଇ ପାରେ ବୋଲି କୁହାଯାଉଛି ।  

ଦିଲ୍ଲୀରେ ଅବସ୍ଥାପିତ ଥିବା ମୁସ୍ତାଫିଜୁର ରହମାନ ୨୦୨୦ରୁ ଭାରତରେ କାର୍ଯ୍ୟ କରିଆସୁଛନ୍ତି । ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ରାଜନୈତିକ ସମ୍ପର୍କ ବଢ଼ାଇବା ସହ ଘନିଷ୍ଠତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଏଥିରେ ବ୍ୟାବସାୟ, ଯୋଗାଯୋଗ ଏବଂ ସୁରକ୍ଷା ମୁଦ୍ଦାରେ ତାଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.