ତେଲେଙ୍ଗାନା ୨୩/୨: ବିତିଲାଣି ୨୪ ଘଣ୍ଟା । ଆଶା ଆଶଙ୍କାରେ ଜୀବନ । ଏବେବି ତେଲେଙ୍ଗାନା ଟନେଲରେ ଫସିରହିଛନ୍ତି ଇଞ୍ଜିନିୟରଙ୍କ ସମେତ ୮ ଶ୍ରମିକ । ଜୋରସୋରରେ ଉଦ୍ଧାର କାମ ଚାଲିଛି । NDRF ଓ SDRF ସାମିଲ ହୋଇଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଘଟଣା ଉପରେ ନଜର ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଘଟଣା ସଂପର୍କରେ ପଚାରି ବୁଝିବା ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସବୁ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ଶନିବାର ତେଲେଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାର ଶ୍ରୀଶେଲମ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ ନିର୍ମାଣ କାମ ଚାଲିଥିଲା । ଟନେଲ ଛାତରୁ ପାଣି ଲିକ୍ ବନ୍ଦ କରିବାକୁ କଂକ୍ରିଟ କରାଯାଉଥିଲା । ଭିତରେ ପ୍ରାୟ ୧୨-୧୩ କିଲୋମିଟର କାମ ଚାଲିଥିବାବେଳେ ହଠାତ ଭୁଶୁଡି ପଡିଥିଲା ।
ଛାତ ଭୁଶୁଡି ପଡିବାରୁ ନିର୍ମାଣ କାମ କରୁଥିବା ଅନେକ ଶ୍ରମିକ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ପ୍ରାୟ ୮ ଜଣ ଶ୍ରମିକ ଛାତ ତଳେ ଫସି ଯାଇଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ଘଟଣାରେ ଦୁଃଖ ପ୍ରକାଶ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ।