ନୂଆଦିଲ୍ଲୀ: ନୂଆ ଟେକ୍ନୋଲୋଜିରେ ପଛରେ ପଡ଼ିନାହିଁ ଭାରତ । ବିଜ୍ଞାନ ଓ ମହାକାଶ ଛଡ଼ା କୃତ୍ରିମ ବୁଦ୍ଧିମତାରେ ଭାରତକୁ ମିଳିଛି ସଫଳତା । AIକୁ ନେଇ ବିଶ୍ବ ସ୍ତରରେ ପ୍ରଶଂସା ସାଉଁଟିଛି ଦେଶ । ବିଦେଶରୁ ଫେରିବା ପରେ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୃଦ୍ଧ ଦେଶ ପାଇଁ ନାରୀଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ପିଏମ୍ ମୋଦି ମନ କି ବାତ୍ରେ କହିଛନ୍ତି ।
AIରେ ଭାରତକୁ ସଫଳତା:
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଭାରତ ଦ୍ରୁତଗତି ମାଡ଼ି ଚାଲିଛି । AIରେ ଭାରତକୁ ବିଶ୍ବ ସ୍ତରରେ ପରିଚୟ ମିଳିବା ସହିତ ପ୍ରଶଂସା ସାଉଁଟୁଛି । ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ପିଏମ୍ ମୋଦି ପ୍ୟାରସ୍ ଗସ୍ତର କିଛି ଅନୁଭୂତିକୁ ବଖାଣିଛନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଦୁନିଆରେ ଭାରତକୁ ସେଠାରେ ପ୍ରଶଂସା ମିଳିଛି । ଭାରତର ନୂଆ ଟେକ୍ନୋଲୋଜିକୁ ନେଇ ସବୁଠି ଆଲୋଚନା ହୋଇଥିଲା । ମହାକାଶ ଗବେଷଣା ହେଉ କି AI ହେଉ, ଏଥିରେ ଯୁବଗୋଷ୍ଠୀଙ୍କ ଭାଗିଦାରୀ ଗୁରୁତ୍ବପୂର୍ଣ୍ଣ । ଏହାର ଉଦାହରଣ ମଧ୍ୟ ଆମ ଦେଶରେ ଦେଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ନାରୀଶକ୍ତି ଗୁରୁତ୍ବ:
ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମୃଦ୍ଧ ଭାରତ ପାଇଁ ନାରୀଶକ୍ତି ଭୂମିକା ଉପରେ ଗୁରୁତ୍ବୋରାପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେବ । ଏହି ଦିନ ନାରୀଶକ୍ତିକୁ ସମ୍ମାନ ଦେବାର ସମୟ । ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଆମ ସଂସ୍କୃତରେ ଝିଅଙ୍କୁ ସମ୍ମାନ ସର୍ବୋପରି । ଦେଶର ମାତୃଶକ୍ତି ଆମ ସ୍ବାଧୀନତା ସଂଗ୍ରାମ ଓ ସମ୍ବିଧାନ ନିର୍ମାଣରେ ସାମିଲ ହୋଇଛନ୍ତି । ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ଶକ୍ତିଶାଳୀ କରିଛି । ଚଳିତବର୍ଷ ମହିଳା ଦିବସ ପାଇଁ ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟ ଯେପରି ଏକ୍ସ, ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଗୋଟିଏ ଦିନ ପାଇଁ ନାରୀଶକ୍ତିଙ୍କୁ ସମର୍ପିତ କରିବାକୁ ଯାଉଛି ବୋଲି ପିଏମ୍ ମୋଦି କହିଛନ୍ତି ।
କ୍ରୀଡାକୁ ନେଇ ମନ୍ କି ବାତରେ ପିଏମ୍ ମୋଦି କହିଛନ୍ତି, ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଚାଲିଛି । ସବୁଠି କ୍ରିକେଟର ମାହୋଲ । ହେଲେ ଆଜି ଆପଣଙ୍କୁ କ୍ରିକେଟର କଥା କହିବି ନାହିଁ । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡା ଯେଉଁଥିରେ ୧୧ ହଜାର କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ଏହି ଆୟୋଜନ ଦେବଭୂମିର ନୂଆ ସ୍ବରୁପ ପ୍ରକାଶ କରିଛି । ଆଗାମୀ ପିଢି ଏଥିରୁ ପ୍ରେରଣା ପାଇବ ବୋଲି ପିଏମ୍ ମୋଦି କହିଛନ୍ତି ।