ହାତରେ ଲାଠି-କୋଳରେ ପିଲା, ଡ୍ୟୁଟିରେ ସୁପର ମମ୍,ଦିଲ୍ଲୀ ଷ୍ଟେସନରେ ହୃଦୟକୁ ଛୁଇଁଲା ପରି ଦୃଶ୍ୟ

Published By : Prameya-News7 Bureau | February 18, 2025 IST

ନୂଆଦିଲ୍ଲୀ ୧୮/୨: ଗୋଟିଏ ଦୃଶ୍ୟ ଭୟଙ୍କର ଦଳାଚକଟାର । ଅନ୍ୟଟି ମମତାମୟୀ ମାଆର । ଲାଠି ଧରିଛନ୍ତି । ପିଲା ବି ସମ୍ଭାଳୁଛନ୍ତି । ଏମିତି ମାଆକୁ ସମସ୍ତେ କରୁଛନ୍ତି ସଲାମ । ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଦଳାଚକଟା ପରେ ହୃଦୟକୁ ଛୁଇଁଲା ପରି ଏକ ଦୃଶ୍ୟ ଭାଇରାଲ ହେଉଛି । ମଣିଷପଣିଆର ସବୁଠୁ ସୁନ୍ଦର ଚେହେରା । ଗୋଟିଏ ଜାଗାରେ ମାଆ-ପୋଲିସ-ସୁରକ୍ଷା । ଏହି ମାଆକୁ ଦେଖି ପ୍ରତିଟି ହୃଦୟ କହୁଛି ଏହାକୁ ହିଁ କହନ୍ତି ଅସଲି ତାକତ । ଏମିତି ଜଣେ ଦାୟିତ୍ବବାନ ମାଆ ହେଉଛନ୍ତି ଆରପିଏସ୍ଏ‌ଫ୍‌ ରୀନା । 

ଚାରିଆଡେ ଶୁଭୁଥିଲା ଆର୍ତ୍ତ ଚିତ୍କାର । ଦୌଡାଦୌଡି ଦଳାଚକଟାରେ କେତେ ଲୋକଙ୍କ ଜୀବନ ଗଲାଣି । ସବୁଆଡେ ଭୟର ବାତାବରଣ । ଆଉ ଏମିତି ଏକ ମାହୋଲରେ ଜଣେ ମାଆ କୋଳରେ କୁନି ପିଲାକୁ ଝୁଲାଇ, ହାତରେ ଲାଠି ଧରି ରେଲୱେ ଷ୍ଟେସନର ସୁରକ୍ଷାରେ ଲାଗିପଡିଛନ୍ତି । ୟେ କୌଣସି ଫିଲ୍ମ ସିନ୍‌ ନୁହେଁ । ବରଂ ଦିଲ୍ଲୀ ରେଲୱେ ଷ୍ଟେସନର ସତସତିଆ ଦୃଶ୍ୟ । ଏହି ଘଟଣା ଯିଏ ଦେଖୁଛି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଏହି ମାଆକୁ ସଲାମ କରିବା ନା ତାଙ୍କ ଦୁଃଖରେ ସମଦୁଃଖୀ ହେବା । ମହିଳାଙ୍କ ସାହସ ଓ ସମର୍ପଣକୁ ସମସ୍ତେ ପ୍ରଶଂସା କରିଛନ୍ତି । 

ଶନିବାର ଦିଲ୍ଲୀ ରେଲୱେ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କ ଜୀବନ ଚାଲିଯାଇଥିଲା । ଯେଉଁଥିରେ ୫ ଜଣ ପିଲା ସାମିଲ ଥିଲେ। ପ୍ରୟାଗରାଜ ଯାଉଥିବା ଟ୍ରେନ ପାଇଁ ଷ୍ଟେସନରେ ହଜାରେରୁ ଅଧିକ ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ବେଳେ ଅଘଟଣ ଘଟିଥିଲା । ଏହି ଅଘଟଣ ପରେ ରେଲୱେ ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଏସବୁ ଭିତରେ ଆରପିଏଫ୍‌ର ମହିଳା କନେଷ୍ଟବଳ ରୀନାଙ୍କ ଡବଲ ଡ୍ୟୁଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା  ।

 

 

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.