ବେଙ୍ଗାଲୁରୁ: ଫେବ୍ରୁଆରୀ ମାସରେ ଉପସ୍ଥାପିତ ହୋଇଥିବା ପୂର୍ଣ୍ଣକାଳୀନ ବଜେଟ୍ରେ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଆୟକର ଛାଡ଼ କରିଦେଲେ। ଭାବିଲେ ମଧ୍ୟବିତ୍ତ ଏବେ ଅଧିକ କିଣାକିଣି କରିବ, ଦେଶର କଞ୍ଜପସନ(ଖର୍ଚ୍ଚ) ବଢ଼ିଲେ ଅର୍ଥନୀତିକୁ ଗତି ମିଳିବ। ହେଲେ କ’ଣ ହେବ, ମଧ୍ୟବିତ୍ତକୁ କିଣାକିଣି କରିବା ବଦଳରେ ଏବେ ଦରମା ବୃଦ୍ଧି ଚିନ୍ତା ଘାରିଛି। କାରଣ ଚାକିରିରେ ଦରମା କାମ ଓ ଆଶା ଅନୁସାରେ,ବଢ଼ୁ ନାହିଁ। ଏଥିରେ କର୍ମଚାରୀଙ୍କ ମଧ୍ୟରେ ହାତାଶା ଲାଗି ରହୁଛି।
ଦରମା ବୃଦ୍ଧି ନେଇ କର୍ମଚାରୀଙ୍କ ମଧ୍ୟରେ ଥିବା ଆଶା ଓ ଆକାଂକ୍ଷାକୁ ନେଇ ନିକଟରେ ଏକ ଗବେଷଣା ହୋଇଥିଲା। ଏହାର ରିପୋର୍ଟ ଅନୁସାରେ, ୭୭ ପ୍ରତିଶତ କର୍ମଚାରୀଙ୍କୁ ଲାଗୁଛି ତାଙ୍କର ଭଲ ଦରମା ବଢ଼ିବ। ହେଲେ ୨୦ ପ୍ରତିଶତ କହୁଛନ୍ତି କିଛି ପରିବର୍ତ୍ତନ ହେବନି। ସେହିପରି ୩ ପ୍ରତିଶତ ଦରମା ହ୍ରାସ ହେବ ବୋଲି ଅନୁମାନ କରୁଛନ୍ତି।
ତେବେ ଚାକିରି ବଜାର(ଜବ ମାର୍କେଟ୍)ରେ ଦରମା ସନ୍ତୁଷ୍ଟି ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି। ଅନେକ କର୍ମଚାରୀ ସେମାନଙ୍କର ନିଜର ଦରମା ବୃଦ୍ଧି ନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ କିଛି ଇଣ୍ଡଷ୍ଟ୍ରୀର କର୍ମଚାରୀ ଦରମା ବୃଦ୍ଧିରେ ସନ୍ତୁଷ୍ଟ ଥିବା କହିଛନ୍ତି।
ପଢନ୍ତୁ- ଭାରତରେ ୯୦% ଲୋକଙ୍କ ପାଖରେ ନାହିଁ ଇଚ୍ଛା ଅନୁସାରେ କିଣିବାର କ୍ଷମତା: ବଢୁନି ଦରମା, ଚିନ୍ତାରେ ମଧ୍ୟବିତ୍ତ
ଏନେଇ ଜବ୍ସ ପ୍ଲାଟଫର୍ମ ଫାଉଣ୍ଡଇଟ୍ (ପୂର୍ବରୁ ଏହାକୁ ମନଷ୍ଟର APAC ଏବଂ ME କୁହାଯାଉଥିଲା) ଏକ ସର୍ଭେ କରିଥିଲା। ଯେଉଁଥିରେ ଦେଶର ୪୭% କର୍ମଚାରୀ ସେମାନଙ୍କ ଦରମା ବୃଦ୍ଧିରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। କମ୍ ବୃଦ୍ଧି ହେବା କିମ୍ବା ଆଶା ଅନୁସାରେ ଦରମା ବଢ଼ୁ ନାହିଁ ବୋଲି ସେମାନେ କହିଛନ୍ତି। ସେହିପରି ଏହି ସର୍ଭେରେ ଭାଗ ନେଇଥିବା ୨୫ % କର୍ମଚାରୀ ନିରପେକ୍ଷ ରହିଥିଲେ। ଯଦିଓ ସେମାନେ ବି ସୀମିତ ଦରମା ବୃଦ୍ଧିକୁ ସ୍ୱୀକାର କରିଥିଲେ ହେଲେ ଏହାକୁ ଏକ ପ୍ରମୁଖ ଚିନ୍ତାର ବିଷୟ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି କହିଥିଲେ।
ରିପୋର୍ଟରେ କୁହାଯାଇଥିଲା ଯେ ମାତ୍ର ୪୬% କର୍ମଚାରୀ ସେମାନଙ୍କର ଦରମା ହାରାହାରିଠାରୁ ଅଧିକ ବୋଲି ବିଚାର କରୁଛନ୍ତି। ସେହିପରି ୪୦% କହିଛନ୍ତି ସେମାନଙ୍କ ଦରମା ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡାର୍ଡ ଠାରୁ ବି ନିମ୍ନରେ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୧୪ ପ୍ରତିଶତ ଲୋକ ସେମାନଙ୍କ କ୍ଷେତ୍ରରେ ଦରମା ମାନଦଣ୍ଡ ବିଷୟରେ ଜାଣନ୍ତି ନାହିଁ। ରିପୋର୍ଟ ଅନୁସାରେ, ମୋଟ ଉପରେ କହିବାକୁ ଗଲେ ଅଭିଜ୍ଞତା ହେବା ପରେ ଦରମା ବଷୟରେ ସଚେତନତା ବଢ଼ିଥାଏ ଓ ଅସନ୍ତୋଷ କମିଥାଏ। ଏଣ୍ଟ୍ରି ଲେବଲ(୦-୩ ବର୍ଷ)ରେ ୫୧ ପ୍ରତିଶତ କର୍ମଚାରୀଙ୍କ ପାଖରେ ଦରମା ବିଷୟରେ ସଚେତନତାର ଅଭାବ ରହିଛି। ଯାହା ସବୁ ଅଭିଜ୍ଞ ବର୍ଗ ଠାରୁ ବେଶି।
ପାଖାପାଖି ୩୧ ପ୍ରତିଶତ ଲୋକ କମ ଦରମା ପାଉଛନ୍ତି ବୋଲି ଅନୁଭବ କରନ୍ତି। ତେବେ ବିଏଫ୍ଏସଆଇ(ବ୍ୟାଙ୍କିଙ୍ଗ୍, ଫାଇନାନ୍ସିଆଲ ସର୍ଭିସ, ଏବଂ ଇନ୍ସୁରାନ୍ସ) ସର୍ବାଧିକ ୪୨ ପ୍ରତିଶତଙ୍କର ଦରମା ଅସନ୍ତୋଷ ରହିଛି। ମଧ୍ୟମ ସ୍ତରରେ (୭-୧୦ ବର୍ଷ) ଅସନ୍ତୋଷ ମାତ୍ର ହ୍ରାସ ପାଇ ୧୮ ପ୍ରତିଶତ ହୋଇଯାଏ। ୨୨ ପ୍ରତିଶତ ଲୋକ ସେମାନଙ୍କର ଦରମା ଶିଳ୍ପ ମାନଦଣ୍ଡଠାରୁ ଅଧିକ ବୋଲି ବିବେଚନା କରନ୍ତି। ଏମାନେ ସାଧାରଣତଃ ଆଇଟି-ସଫ୍ଟୱେର କ୍ଷେତ୍ରରେ ଚାକିରି କରିଥାନ୍ତି।
ରିପୋର୍ଟରେ ଆହୁରି କହୁଯାଇଛି ଯେ ବରିଷ୍ଠ କର୍ମଚାରୀ ଏବଂ ଏକ୍ସକ୍ୟୁଟିଭ୍ (୧୧+ ବର୍ଷ ଅଭିଜ୍ଞତା) ସ୍ତରରେ, ୧୮ ପ୍ରତିଶତ ସେମାନଙ୍କର ଦରମା ଶିଳ୍ପ ମାନଦଣ୍ଡଠାରୁ ଅଧିକ ବୋଲି ବିଶ୍ୱାସ କରନ୍ତି।
ପଢନ୍ତୁ- ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଖୁବଶୀଘ୍ର ମୁକ୍ତ ବାଣିଜ୍ୟ ବୁଝାମଣା, ଅଧିକାରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା
ସେହିପରି ଆପ୍ରାଇସାଲ(ଦରମା ବୃଦ୍ଧି ପାଇଁ କର୍ମଚାରୀଙ୍କ ମୂଲ୍ୟାଙ୍କନ) କ୍ଷେତ୍ରରେ ଦେଖିଲେ ରିପୋର୍ଟ ଅନୁସାରେ, ୩୫ ପ୍ରତିଶତ କର୍ମଚାରୀ କେବଳ ସର୍ବନିମ୍ନ ବୃଦ୍ଧି (୦-୧୦ ପ୍ରତିଶତ) ଆଶା କରନ୍ତି, ଯାହା ବିଭିନ୍ନ ଶିଳ୍ପରେ ଏକ ରକ୍ଷଣଶୀଳ ଦରମା ବୃଦ୍ଧିକୁ ଦର୍ଶାଏ। ଏବଂ ୨୯ ପ୍ରତିଶତ ମଧ୍ୟମ ଅଭିବୃଦ୍ଧି (୧୧-୨୦ ପ୍ରତିଶତ) ହେବ ବୋଲି ଆଶା ରଖନ୍ତି।
ତେବେ ସବୁଠାରୁ ଅଧିକ ଚାପରେ ରୁହଁନ୍ତି ଏଣ୍ଟ୍ରି ଲେବର କର୍ମଚାରୀ। ଏହି ଶ୍ରେଣୀୟ ୨୦ ପ୍ରତିଶତ କର୍ମଚାରୀ ସର୍ବନିମ୍ନ ଦରମା ବୃଦ୍ଧି (୦-୧୦ ପ୍ରତିଶତ) ଆଶା କରନ୍ତି। ସେହିପରି ୧୧ ପ୍ରତିଶତ ଉଚ୍ଚ ମୂଲ୍ୟାଙ୍କନ (୩୦ ପ୍ରତିଶତ ଏବଂ ତଦୁର୍ଦ୍ଧ୍ୱ) ହେବ ବୋଲି ଆଶା କରନ୍ତି। ଏହି ଗ୍ରୁପ ମଧ୍ୟରେ କ୍ୟାରିୟରର ପ୍ରାରମ୍ଭିକ ଦରମାରେ ସ୍ଥିରତା ଏବଂ ଏହାକୁ ନେଇ ଥିବା ପ୍ରବଳ ଆଶା ଓ ଉତ୍ସାହକୁ ପ୍ରତିଫଳିତ କରେ।