ସୁରଟରେ ଭୂଶୁଡି ପଡିଲା ୬ ମହଲା କୋଠା, ଅନେକ ଲୋକ ଦବି ରହିଥିବା ଆଶଙ୍କା

Published By : Prameya-News7 Bureau | July 06, 2024 IST

ସୁରଟ ୬।୭:  ଗୁଜୁରାଟର ସୁରଟ ଜିଲ୍ଲା ସଚିନ ପାଲି ଅଞ୍ଚଳରେ ଶନିବାର ଏକ ୬ ମହଲା କୋଠା ଅଚାନକ ଭୁଶୁଡି ପଡିଛି। ଏହି କୋଠାରେ ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳକୁ ପୋଲିସ ଓ ଦମକଳ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସୁରଟ ପୋଲିସ କମିଶନର ଅନୁପମ ସିଂ ଗେହଲୋତ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ବିଲ୍ଡିଂରେ ରହୁଥିବା ଅନେକ ଲୋକ ଏବେବି ଧ୍ୱଂସସ୍ତୁପ ତଳେ ରହିଛନ୍ତି। 


ଧ୍ୱଂସସ୍ତୁପ ତଳୁ ଜଣେ ମହିଳାଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଛି। ଏହି ବିଲ୍ଡିଂରେ ମୋଟ ୩୦ଟି ଫ୍ଲାଟ ଥିବା ବେଳେ ଏଥିରୁ ମାତ୍ରା ୪-୫ଟିରେ ଲୋକେ ରହୁଥିଲେ ଓ ବାକି ଫ୍ଲାଟ ଖାଲି ପଡିଥିଲା। ଦୁର୍ଘଟଣା ବେଳେ ବିଲ୍ଡିଂରେ ରହୁଥିବା ଲୋକଙ୍କ ମଧ୍ୟରୁ ଅନେକ କାମ କରିବାକୁ ବାହାରକୁ ଚାଲି ଯାଇଥିଲେ ଓ ଆଉ କେତେକ ରାତି ସିଫ୍ଟରେ କାମ କରି ଘରେ ଶୋଇଥିଲେ, ଯେଉଁମାନେ ଘର ଭିତରେ ଫଶି ରହିଛନ୍ତି। ଏନଡିଆରଏଫ ଓ ଏସଡିଆରଏଫ ଟିମ୍‌ ଭଙ୍ଗା ବିଲ୍ଡିଂ ତଳୁ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନୁମାନ କରାଯାଉଛି ଘରେ ତଳେ ଏବେବି ୫-୬ ଜଣ ଫଶି ରହିଛନ୍ତି। 



ସୁରଟ ପୋଲିସ କମିଶନରଙ୍କ ଅନୁସାରେ ଏହି ବିଲ୍ଡିଂର ନିର୍ମାଣ ୨୦୧୬-୧୭ ମସିହାରେ ହୋଇଥିଲା। ଯେଉଁଥିରେ ଅଧିକାଂଶ ଏପରି ଲୋକେ ରହୁଥିଲେ ଯେଉଁମାନେ ଆଖାପାଖରେ ଥିବା କାରଖାନାମାନଙ୍କରେ କାମ କରନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ସୁ ଉଚ୍ଚ ଅଟ୍ଟାଳିକାଟି ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହୋଇଯାଇଥିଲା। ଏଣୁ ବିଲ୍ଡିଂ ଖାଲି କରିବାକୁ ପ୍ରଶାସନ ନୋଟିସ୍ ଜାରି କରିଥିଲା। ଏହା ସତ୍ତ୍ୱେ ଏଥିରେ ଲୋକେ ବସବାସ କରୁଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘର ତଳୁ କିଛି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.