ବିଶ୍ୱର ସବୁଠୁ ଗରିବ ପରିବାର, ବାର୍ଷିକ ଆୟ ମାତ୍ର ୨ ଟଙ୍କା !

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ ୦୫।୧୦: ବିଶ୍ୱର ସବୁଠୁ ଗରିବ ପରିବାର । ବାର୍ଷିକ ଆୟ ମାତ୍ର ୨ ଟଙ୍କା ! ପ୍ରଶାସନ ଜାରି କରିଛି ପରିବାରର ଆୟ ପ୍ରମାଣପତ୍ର । ଏମିତିକି ତହସିଲଦାର ମଧ୍ୟ ନିଜେ ସ୍ୱାକ୍ଷର କରିଛନ୍ତି ।  ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଘଟଣାଟି ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଆସିଛି ।

ବାସ୍ତବରେ ବଣ୍ଡା ତହସିଲର ଘୋଘରା ଗାଁର ବାସିନ୍ଦା ବଲରାମ ଚଢାର । ଆୟ ପ୍ରମାଣପତ୍ର ପାଇଁ ସେ ଅନ୍‌ଲାଇନ୍‌ ଆବେଦନ କରିଥିଲେ । ଚଳିତବର୍ଷ ଜାନୁଆରୀ ୮ ଜାରି କରାଯାଇଥିଲା । ବଲରାମଙ୍କ ଅନୁସାରେ, ସେ ଅନ୍‌ଲାଇନ୍‌ ଆବେଦନ ସମୟରେ ବାର୍ଷିକ ଆୟ ୪୦ ହଜାର ଟଙ୍କା ଲେଖାଇଥିଲେ । କିନ୍ତୁ ତହସିଲର ଜଣେ ବାବୁ ଭୁଲରେ ମାତ୍ର ୨ ଟଙ୍କା ଲେଖିଦେଲେ ।

ଏମିତିକି ତହସିଲଦାର ମଧ୍ୟ ପ୍ରମାଣପତ୍ର ଉପରେ ଧ୍ୟାନ ଦେଲେ ନାହିଁ । ୨ ଟଙ୍କା ଆୟ ପ୍ରମାଣପତ୍ରରେ ଦସ୍ତଖତ କରିଦେଲେ । 

ତହସିଲଦାରଙ୍କ ଅବହେଳାର ମୂଲ୍ୟ ଏବେ ବଲରାମଙ୍କୁ ଦେବାକୁ ପଡୁଛି । ତାଙ୍କ ପୁଅଙ୍କୁ ମିଳିପାରୁନି ସ୍କଲାରସିପ୍‌ । ସେ ଯେତେବେଳେ ଏଥିଲାଗି ଆବେଦନ କରୁଛନ୍ତି, ଭୁଲ ଆୟ ପ୍ରମାଣପତ୍ର କହି ଖାରଜ କରି ଦିଆଯାଉଛି । ଭୁଲ ପ୍ରମାଣପତ୍ର ସଂଶୋଧନ କରାଯିବା ନେଇ ବଣ୍ଡା ତହସିଲଦାର କହିଛନ୍ତି । 

ସେ କହିଛନ୍ତି ବଳରାମଙ୍କ ୨ ଟଙ୍କା ବାର୍ଷିକ ଆୟର ପ୍ରମାଣପତ୍ର ମାମଲା ସେ ଜାଣିବାକୁ ପାଇଛନ୍ତି । ଏହି ମାମଲା ତାଙ୍କ ନିଯୁକ୍ତି ପୂର୍ବର । ମାମଲାର ଯାଞ୍ଚ୍‌ ଚାଲିଛି । ଭୁଲ ପ୍ରମାଣପତ୍ରରେ ସଂଶୋଧନ କରି ନୂଆ ଜାରି କରାଯିବ ବୋଲି ସେ କହିଛନ୍ତି । ତେବେ ସେପର୍ଯ୍ୟନ୍ତ ବଲରାମଙ୍କ ପରିବାର ବିଶ୍ୱର ସବୁଠୁ ଗରିବ ଭାବେ ବିବେଚିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.