ନୂଆଦିଲ୍ଲୀ,୦୫/୧୦: ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ପୃଥିବୀ ଉପରେ ପଡ଼ୁଛି । ଗ୍ଲୋବାଲ୍ ଓ୍ବାର୍ମିଂରୁ ବାଦ୍ ପଡ଼ିନାହିଁ ବିଶ୍ବର ସବୁଠୁ ଥଣ୍ଡା ସ୍ଥାନ ଆଣ୍ଟାର୍କଟିକା । ସବୁବେଳେ ବରଫରେ ଢାଙ୍କି ହୋଇରହିଥିବା ଅଞ୍ଚଳରେ ଏବେ ଦେଖିବାକୁ ମିଳିଛି ସବୁଜବଳୟ । ଆଣ୍ଟାର୍କଟିକାର କିଛି ଅଂଶ ଏବେ ସବୁଜିମା ଦେଖାଯାଉଛି । ବିଶେଷକରି ଏଠାରେ ଶୈବାଳ ଜାତୀୟ ଉଦ୍ଭିଦ ବିପଜ୍ଜନକ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ବୈଜ୍ଞାନିକମାନେ ସଦ୍ୟ ଗବେଷଣା ରିପୋର୍ଟରେ ଆଣ୍ଟାର୍କଟିକା ଉପଦ୍ୱୀପରେ ଗଛଲତା ବୃଦ୍ଧି ପାଉଥିବା ଉପଗ୍ରହର ଫଟୋ ସ୍ପଷ୍ଟ ହୋଇଛି ।
ବିଗତ ୪ ଦଶନ୍ଧି ମଧ୍ୟରେ ଏଠାରେ ଶୈବାଳ ଜାତୀୟ ଉଦ୍ଭିଦ ୧୦ ଗୁଣରୁ ଅଧିକ ବଢ଼ିଛି । ଇଂଲଣ୍ଡର ଏକ୍ସଟେର ଓ ହାର୍ଟଫୋର୍ଡସାୟାର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ବ୍ରିଟିଶ୍ ଆଣ୍ଟର୍କଟିକ୍ ସର୍ଭେ ପକ୍ଷରୁ କରାଯାଇଥିବା ଏହି ଅନୁଧ୍ୟାନ ଶୁକ୍ରବାର ‘ଜର୍ଣ୍ଣାଲ ନେଚର୍ ଜିଓସାଇନ୍ସ’ରେ ପ୍ରକାଶିତ ହୋଇଛି । ଏହି ମହାଦେଶର ପରିବର୍ତ୍ତିତ ଦୃଶ୍ୟପଟ୍ଟ ସଂପର୍କରେ ଉଦ୍ବେଗ ପ୍ରକାଶ ପାଇଛି । ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଏହା ଉପରେ ପଡ଼ିଛି ବୋଲି କୁହାଯାଉଛି ।
ଅଧ୍ୟୟନ ଅନୁସାରେ, ୧୯୮୬ରେ ଆଣ୍ଟାର୍କଟିକା ଉପଦ୍ୱୀପରେ ୦.୪ ବର୍ଗ ମାଇଲ୍ରୁ କମ୍ କ୍ଷେତ୍ରରେ ଗଛଲତା ଥିଲା । କିନ୍ତୁ ୨୦୨୧ରେ ଏହା ପ୍ରାୟ ୫ ବର୍ଗ ମାଇଲ୍ ଯାଏ ପହଞ୍ଚିଯାଇଛି । ଗତ ୪ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ସବୁଜିମା ବୃଦ୍ଧି ପାଇବାର ହାର ମଧ୍ୟ ବଢ଼ିଛି । ୨୦୧୬ରୁ ୨୦୨୧ ମଧ୍ୟରେ ସେଥିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଏକ୍ସଟେର ବିଶ୍ୱବିଦ୍ୟାଳୟରେ ପରିବେଶ ବୈଜ୍ଞାନିକ ତଥା ଅଧ୍ୟୟନରେ ସାମିଲ ଥିବା ଥୋମାସ୍ ରୋଲାଣ୍ଡ କହିଛନ୍ତି, ଆଣ୍ଟାର୍କଟିକା ଏବେ ମଧ୍ୟ ପୂରା ବରଫ ଓ ପଥର ଦ୍ୱାରା ଆବୃତ୍ତ । କିନ୍ତୁ ଏହି ଛୋଟିଆ ସବୁଜ ଅଞ୍ଚଳ ନାଟକୀୟ ଭାବେ ୧୯୮୦ର ମଧ୍ୟଭାଗରୁ ବଢ଼ିଚାଲିଛି । ଆମର ନିଷ୍କର୍ଷରୁ ସ୍ପଷ୍ଟ ହୋଇଛି ଯେ, ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବର କୌଣସି ସୀମା ନାହିଁ । ଏପରିକି ଆଣ୍ଟାର୍କଟିକା ଉପଦ୍ୱୀପର ଏହି ଦୁର୍ଗମ ଅଞ୍ଚଳରେ ମଧ୍ୟ ଦୃଶ୍ୟପଟ୍ଟ ବଦଳୁଛି । ଏହାର ପ୍ରଭାବକୁ ମହାକାଶରୁ ସ୍ପଷ୍ଟ ଭାବେ ଦେଖିହେଉଛି ।
ପୃଥିବୀର ସବୁଠୁ ଥଣ୍ଡା ସ୍ଥାନ ଆଣ୍ଟାର୍କଟିକା ନିକଟରେ ଅତ୍ୟଧିକ ଗରମ ଜନିତ ଘଟଣା ଯୋଗୁ ପ୍ରଭାବିତ ହେଉଛି । ଚଳିତବର୍ଷ ଗ୍ରୀଷ୍ମଦିନରେ ଏହି ମହାଦେଶର କିଛି ଅଂଶରେ ହିଟ୍ ୱେଭ୍ ରେକର୍ଡ ଭାଙ୍ଗିଥିଲା । ଜୁଲାଇ ମାସର ମଧ୍ୟଭାଗରେ ତାପମାତ୍ରା ସ୍ୱାଭାବିକ ଠାରୁ ୫୦ ଡିଗ୍ରୀ ଫାରେନ୍ହାଇଟ୍ ଉପରକୁ ଉଠିଥିଲା । ଜୀବାଶ୍ମ ଇନ୍ଧନ ଜନିତ ପ୍ରଦୂଷଣ ସାରା ବିଶ୍ୱକୁ ଉତ୍ତପ୍ତ କରିଚାଲିଥିବାବେଳେ ଆଣ୍ଟାର୍କଟିକା ଆଗରୁ ଆହୁରି ଉତ୍ତପ୍ତ ହୋଇଚାଲିବ ଓ ଏହି ସବୁଜିମା ମଧ୍ୟ ବଢ଼ିଚାଲିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ସବୁଜିମା ଯେତେ ଅଧିକ ବଢ଼ିବ ସେତେ ଅଧିକ ମାଟି ସୃଷ୍ଟି ହେବ ।
ଏଥିସହ ଏହି କ୍ଷେତ୍ର ବିଦେଶୀ ପ୍ରଜାତି ଲାଗି ଅଧିକ ଅନୁକୂଳ ହୋଇଯିବ । ଫଳରେ ଦେଶୀ ବନ୍ୟଜୀବଙ୍କ ଲାଗି ବିପଦ ସୃଷ୍ଟି ହେବ । ବୀଜ, ବୀଜାଣୁ ଓ ଗଛର ଅଂଶ ସହଜରେ ପର୍ଯ୍ୟଟକ ଓ ଗବେଷକମାନଙ୍କର ଜୋତା କିମ୍ବା ଉପକରଣ ମାଧ୍ୟମରେ କିମ୍ବା ପ୍ରବାସୀ ପକ୍ଷୀ ଓ ବାୟୁ ସହ ଜଡ଼ିତ ଅଧିକ ପାରମ୍ପରିକ ମାର୍ଗ ଦ୍ୱାରା ଆଣ୍ଟାର୍କଟିକ ଯାଏ ନିଜର ରାସ୍ତା ଖୋଜିନେବେ । ସେଥିଯୋଗୁ ଏଠାରେ ବିପଦ ସ୍ପଷ୍ଟ ବୋଲି ସେ କହିଛନ୍ତି । ଏହି ସବୁଜିମା ଯୋଗୁ ଉପଦ୍ୱୀପର ସୌର ବିକିରଣକୁ ପୁଣି ଅନ୍ତରୀକ୍ଷକୁ ପ୍ରତିବିମ୍ବିତ କରିବାର କ୍ଷମତା ମଧ୍ୟ କମିପାରେ। କାରଣ ଗାଢ଼ ରଙ୍ଗର ପୃଷ୍ଠ ଅଧିକ ଉତ୍ତାପକୁ ଅବଶୋଷନ କରିଥାଏ ।