ମୁଁ ନିଶ୍ଚିତ ଯେ ଆକଳନ ଠାରୁ ଭାରତ ଅର୍ଥନୈତିକ ଅଭିବୃଦ୍ଧି ଅଧିକ ହେବ: ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | October 04, 2024 IST

indianexpress.com

ନୂଆଦିଲ୍ଲୀ: ବିଶ୍ୱରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତକୁ ଏକ ଆକର୍ଷଣୀୟ ସ୍ଥଳ ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର କୌଟଲ୍ୟ ଆର୍ଥିକ ସମ୍ମେଳନୀର ତୃତୀୟ ସଂସ୍କରଣରେ ଯୋଗ ଦେଇ ମୋଦୀ କହିଛନ୍ତି ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିର ଯାତ୍ରା ଜାରି ରଖିବା ପାଇଁ ଦେଶ ବ୍ୟାପକ ପରିବର୍ତ୍ତନ କରୁଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ତାଙ୍କ ସରକାର ଗଠନମୂଳକ ସଂଶୋଧନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି। 

ମୋ ଦୀ ଆହୁରି କହିଛନ୍ତି ଯେ ଚାକିରି ସୃଷ୍ଟି କରିବା, ଦକ୍ଷତା ବିକାଶ, ନିରନ୍ତର ଅଭିବୃଦ୍ଧି ଏବଂ ଦ୍ରୁତ ବିସ୍ତାର ଉପରେ ତାଙ୍କର ତୃତୀୟ କାର୍ଯ୍ୟକାଳର ବିଶେଷ ଗୁରୁତ୍ୱ ରହିଛି। ଏଥିପାଇଁ କାମ ଜୋରସୋରରେ ଚାଲିଛି ବୋଲି ପିଏମ୍ କହିଛନ୍ତି। 

ସେ କହିଛନ୍ତି ଭାରତ ଦୁଇ ଚକିଆ ଯାନ ଓ ଟ୍ରାକ୍ଟର ଉତ୍ପାଦନରେ ଆଗରେ ରହିଥିବା ବେଳେ ମୋବାଇଲ୍ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ଦେଶ ହୋଇଛି। ଏହା ବାଦ୍ ବିଶ୍ୱର ଫିନଟେକ୍‌କୁ ଆପଣାଇଥିବା ଦେଶ ମଧ୍ୟରେ ଭାରତ ନମ୍ବର ୱାନ୍ ହୋଇଥିବା ବେଳେ ଡାଟା ଖର୍ଚ୍ଚରେ ଏକ ନମ୍ବର ଓ ଡାଟା ବ୍ୟବହାରରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ମୋଦୀ କହିଛନ୍ତି। 

ବିଶ୍ୱର ରିୟଲ ଟାଇମ୍ ଟ୍ରାଞ୍ଜାକ୍ସନ ଅଧାରୁ ଅଧିକ ଭାରତରେ ହୋଇଥାଏ। ଆମେ ଦୁନିଆର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍। ଅକ୍ଷୟ ଶକ୍ତି କ୍ଷମତା ଦୃଷ୍ଟିରୁ ଆମେ ଚତୁର୍ଥ ସ୍ଥାନରେ ରହିଛୁ। ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା କିମ୍ବା ନବସୃଜନ ହେଉ, ଭାରତ ଏକ ଭଲ ସ୍ଥାନରେ ରହିଛି ବୋଲି ମୋଦୀ କହିଛନ୍ତି। 

କେନ୍ଦ୍ର ସରକାର ଦେଶରେ ଆର୍ଥିକ ଅସମାନତା ଦୂର କରିବା, ଚାକିରି ସୃଷ୍ଟି କରିବା ସହିତ ଦକ୍ଷତା ବିକାଶ କରିବା ଦିଗରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପୂର୍ବରୁ ଆର୍ଥିକ ଅସମାନତା ବଢ଼ୁଥିଲା। ହେଲେ ଆଜି ଆମେ ସମସ୍ତଙ୍କୁ ନେଇ ଚାଲିଛୁ। ଗତ ୧୦ ବର୍ଷରେ ୫୦ ହଜାର ଲୋକ ଅତି ଦରିଦ୍ର ଶ୍ରେଣୀରୁ ବାହାରକୁ ଆସିଛନ୍ତି। ଦ୍ରୁତ ବିକାଶରେ ଅସମାନତା କମୁଛି। ସମସ୍ତେ ଲାଭ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ସେହିପରି ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍‌ ଯୋଜନାରେ ଏକ କୋଟି ଯୁବକଙ୍କୁ ଗତ ୫ ବର୍ଷ ମଧ୍ୟରେ ୫୦୦ ଶ୍ରେଷ୍ଠ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍‌ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପୋର୍ଟାଲ୍‌ରେ ୧୧୧ କମ୍ପାନୀ ପଞ୍ଜୀକରଣ କରିସାରିଲେଣି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ତା ସହିତ ପିଏଲ୍‌ଆଇ ଯୋଜନାରେ ଗତ ଗତ ୩ ବର୍ଷରେ ୧.୨୫ ଲକ୍ଷ କୋଟି ନିବେଶ ଆସିଛି। ଯେଉଁଥରେ ୧୧ ଟ୍ରିଲିଅନ ଡଲାର ମୂଲ୍ୟର ଉତ୍ପାଦନ ହୋଇଛି। 

ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଭିବୃଦ୍ଧି ଚମତ୍କାର ହୋଇଛି। ସ୍ପେସ୍ ସେକ୍ଟରରେ ୨୦୦ ରୁ ଅଧିକ ଷ୍ଟାର୍ଟଅପ୍ ଅଛି। ସମୁଦାୟ ପ୍ରତିରକ୍ଷା ଉତ୍ପାଦନର ପ୍ରାୟ ୨୦ ପ୍ରତିଶତ ଘରୋଇ କମ୍ପାନୀ ଦ୍ୱାରା କରାଯାଉଛି ବୋଲି ମୋଦୀ କହିଛନ୍ତି। 

ସୁଧାର, ପ୍ରଦର୍ଶନ ଓ ପରିବର୍ତ୍ତନକୁ ତାଙ୍କ ସରକାରର ମାର୍ଗଦର୍ଶକ ମନ୍ତ୍ର ବୋଲି କହି ପିଏମ କହିଛନ୍ତି “ଯେତେବେଳେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସେ, ସେମାନେ ନିଜ ଦେଶରେ ବିଶ୍ୱାସ କରିବା ଆରମ୍ଭ କରନ୍ତି। ଯାହା ଜନାଦେଶ ମାଧ୍ୟମରେ ପ୍ରତିଫଳିତ ହୁଏ। ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଆମର ଶକ୍ତି। ଭାରତର ଉନ୍ନତି ପାଇଁ ଆମେ ଅଧିକ ଗଠନମୂଳକ ସଂସ୍କାର ଆଣିବାକୁ ପ୍ରତିଶ୍ରୁତିବଦ୍ଧ।” 

ଭାରତର ଅଭିବୃଦ୍ଧିର କାହାଣୀରେ ମିଳିମିଶି ରହିବାର ଭାବନା ଭାରତର ବିକାଶ ଗାଥାର ଅନ୍ୟ ଏକ ଉଲ୍ଲେଖନୀୟ କାରଣ। ଏହି କାରଣରୁ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି ବୋଲି ମୋଦୀ କହିଛନ୍ତି। ଏଥିସହିତ ତାଙ୍କ ସରକାର ଉପଲବ୍ଧି ଗଣାଇ ମୋଦୀ କହିଛନ୍ତି ସରକାର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ମଜବୁତ କରିଛନ୍ତି, ଜିଏସ୍‌ଟି ଲାଗୁ କରିଛନ୍ତି, ଦେବାଳିଆ ସଂହିତା ପ୍ରଣୟନ କରିଛନ୍ତି, ଘରୋଇ ପୁଞ୍ଜି ବିନିଯୋଗ ପାଇଁ ଖଣି ଏବଂ ପ୍ରତିରକ୍ଷା କ୍ଷେତ୍ର ସମସ୍ତଙ୍କ ପାଇଁ ଖୋଲାଯାଇଛି। ବିଦେଶୀ ପୁଞ୍ଜି ବିନିଯୋଗ ନିୟମକୁ ଅଧିକ ଉଦାର କରିବା ସହ ନିୟମ ଅନୁପାଳନ ଚାପ ମଧ୍ୟ ହ୍ରାସ କରାଯାଇଛି ବୋଲି ମୋଦୀ କହିଛନ୍ତି।

ସେହିପରି ଅର୍ଥନୀତିକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ବର୍ଷ ଭାରତର ଅର୍ଥନୀତି ୭ ପ୍ରତିଶତ ହାରରେ ବିକାଶ କରିବା ବୋଲି କୁହାଯାଉଛି। ହେଲେ ମୁଁ ନିଶ୍ଚିତ ଯେ ଏହି ଆକଳନ ଠାରୁ ବି ଅଧିକ ଅଭିବୃଦ୍ଧି ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.