ଦିଲ୍ଲୀରେ ହେବ ଅସ୍ଥିର ସରକାର, ୫ ବର୍ଷରେ ବଦଳିବେ ୩ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଆଉ କ’ଣ କହିଛି AAP

Published By : Prameya-News7 Bureau | February 17, 2025 IST

ନୂଆଦିଲ୍ଲୀ ୧୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ ଆଦମୀ ପାର୍ଟି (ଆପ) ଦିଲ୍ଲୀରେ ସବୁ ପଦାଧିକାରୀଙ୍କ ବୈଠକ କରିଛି। ବୈଠକରେ ୧୦ ଦିନ ପୂର୍ବେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର ଗଢ଼ା ଯାଇ ନପାରିବା ଘଟଣାରେ ଚିନ୍ତା ବ୍ୟକ୍ତ କରାଯାଇଛି। ବୈଠକରେ ପୂର୍ବର ବିଜେପି ସରକାର ଭଳି ଏଥର ମଧ୍ୟ ଦିଲ୍ଲୀରେ ଅସ୍ଥିର ସରକାର ଗଢାହେବା ନେଇ ଆଶଙ୍କା ପ୍ରକାଶ କରାଯାଇଛି ଓ ଜାତୀୟ ରାଜଧାନୀରେ ୫ ବର୍ଷରେ ୩ ମୁଖ୍ୟମନ୍ତ୍ରୀ ବଦଳିବେ ବୋଲି କୁହାଯାଇଛି। 

ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ତଥା ଆମ ଆଦମୀ ପାର୍ଟିର ଦିଲ୍ଲୀ ସଂଯୋଜକ ଗୋପାଲ ରାୟ ବୈଠକରେ କହିଛନ୍ତି ଯେ ନିର୍ବାଚନରେ ଆପକୁ ୪୩ ପ୍ରତିଶତ ଭୋଟ ମିଳିଛି ଓ ବିଜେପିକୁ ୪୫.୬ ପ୍ରତିଶତ ଭୋଟ ମିଳିଛି। ଆପଠାରୁ ମାତ୍ର ୨ ପ୍ରତିଶତ ଅଧିକ ଭୋଟ ବିଜେପିକୁ ମିଳିଥିବା ଓ ନିର୍ବାଚନରେ ବିଜେପି ଦିଲ୍ଲୀରେ ଖୋଲାଖୋଲି ନିର୍ବାଚନ ଆୟୋଗଙ୍କ ଅବମାନନା କରିଥିଲା ବୋଲି କହିଛନ୍ତି। ଏଣୁ ଆପ ସଙ୍ଗଠନ ଦିଲ୍ଲୀ ଜନତାଙ୍କ ସହିତ ଦୃଢତାର ସହ ଛିଡା ହେବ ବୋଲି ଗୋପାଳ ରାୟ ବୈଠକରେ କହିଛନ୍ତି। 

ଗୋପାଳ ରାୟ କହିଛନ୍ତି ଯେ ୧୦ ଦିନ ହେଲାଣି ବିଜେପି ଏପର୍ଯ୍ୟନ୍ତ ଦିଲ୍ଲୀରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସ୍ଥିର କରିପାରୁ ନାହିଁ। ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିଥିବା ଦଳ ଆଜିବି ମୁଖ୍ୟମନ୍ତ୍ରୀ ସ୍ଥିର କରିପାରୁ ନାହିଁ। ପ୍ରଥମେ କୁହାଯାଉଥିଲା ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରୁ ଫେରିଲେ ଦିଲ୍ଲୀ ସରକାରର ରୂପରେଖ ନିର୍ଦ୍ଧାରଣ କରିବେ। ତାରିଖ ବଦଳି ଯାଉଛି ହେଲେ ଦଳ ନିଷ୍ପତ୍ତିରେ ପହଞ୍ଚି ପାରୁ ନାହିଁ। ଗୋପାଳ ରାୟ କହିଛନ୍ତି ଯେ ଏଥିରୁ ଏହି ସଂକେତ ମିଳୁଛି ଯେ ପ୍ରଥମେ ଯେବେ ସରକାର ବଦଳିଥିଲେ ସେତେବେଳେ ଦିଲ୍ଲୀରେ ୫ ବର୍ଷରେ ୩ ମୁଖ୍ୟମନ୍ତ୍ରୀ ବଦଳିଥିଲେ। ଏଣୁ ଦେଖାଯାଉଛି ଆଗାମୀ ୫ ବର୍ଷରେ ମଧ୍ୟ ସେଇଆ ହେବ। 

ଗୋପାଳ ରାୟ କହିଛନ୍ତି ଯେ ଜନତା ଆପକୁ ବିରୋଧୀ ଦଳରେ ବସିବାର ଦାୟିତ୍ୱ ଦେଇଛନ୍ତି। ଏଣୁ ଆମେ ବିଧାନସଭାରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବାରେ ସାମାନ୍ୟତମ ତ୍ରୁଟି ବି କରିବୁନି। ଏହା ସହିତ ଆପ ସଙ୍ଗଠନର ପୁନର୍ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବୁ। ଦଳରେ ଯେଉଁ ସବୁ ଦୁର୍ବଳତା ରହିଛି ତାକୁ ଦୂର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ବିରୋଧୀଦଳ ନେତା କିଏ ହେବ ବୋଲି ପ୍ରଶ୍ନ କରାଯିବାରେ ଗୋପାଳ ରାୟ କହିଛନ୍ତି ଯେ ପ୍ରଥମେ ସରକାର ଶପଥଗ୍ରହଣ କରନ୍ତୁ, ତା ପୂର୍ବରୁ ଆମେ ବିଧାୟକ ଦଳ ନେତା ବାଛି ନେବୁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.