୧୫-୧୫ କୋଟି ଟଙ୍କା ଅଫର୍ ଅଭିଯୋଗ ମାମଲାରେ ଆକ୍ସନ, ଅରବିନ୍ଦ କେଜ୍ରିୱାଲଙ୍କ ଘରେ ACB ଟିମ୍

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପରିଣାମ ଆସିବାକୁ ଏବେ ୨୪ ଘଣ୍ଟାରୁ କମ ସମୟ ବାକି ରହିଛି । ଏହାର ଭିତରେ କିନ୍ତୁ ରାଜଧାନୀରେ ରାଜନୀତି ଜୋରଦାର ହୋଇଛି । ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ପ୍ରାର୍ଥୀଙ୍କୁ ଫୋନ୍ କରି କୋଟି କୋଟି ଟଙ୍କା ଅଫର୍ ଦେଉଛି । ଏହି ଅଭିଯୋଗ ଉପରେ ବିଜେପି ବି ତୀବ୍ର ପ୍ରତିକ୍ରିୟା ଦେଇଛି । ଏହାରି ଭିତରେ ଏସିବି (ଆଣ୍ଟି କରପସନ୍ ବ୍ୟୁରୋ) ଆକ୍ସନ ମୋଡକୁ ଆସିଛି । ତଦନ୍ତ ନିର୍ଦ୍ଦେଶ ପରେ ଏସିବି ଟିମ୍ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲଙ୍କ ଅଭିଯୋଗ ପରେ ବିଜେପି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲା ।

ଉପରାଜ୍ୟପାଳ ବିଜେପିର ଅଭିଯୋଗକୁ ଗୁରୁତ୍ୱର ସହ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ଏଲଜି ଏହି ମାମଲାର ତଦନ୍ତ ଦାୟିତ୍ୱ ଏସିବିକୁ ଦେଇଥିଲେ । ଏବେ ମାମଲାର ତଦନ୍ତ ପାଇଁ ଏସିବି ଟିମ୍ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି । ତେବେ ଅଧିକାରୀଙ୍କୁ କେଜ୍ରିୱାଲଙ୍କ ଘରେ ଏଣ୍ଟ୍ରି ମିଳିପାରି ନାହିଁ । ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରାଯାଉନଥିବା ଜଣାପଡ଼ିଛି । ଅନ୍ୟପଟେ ମନୀଷ ସିସୋଦିଆ କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି । ସୂତ୍ର ଅନୁସାରେ ଏସିବି ଆମ୍ ଆଦମୀ ପାର୍ଟି ଦ୍ୱାରା ଅଣାଯାଇଥିବା ଅଭିଯୋଗ ଉପରେ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ବୟାନ ରେକର୍ଡ କରିବ । ସଞ୍ଜୟ ସିଂ କିଛି ସମୟ ପୂର୍ବରୁ ମିଡିଆରେ ଆସି ତାଙ୍କ ଦଳର ୧୬ ପ୍ରାର୍ଥୀଙ୍କୁ ଟଙ୍କା ଅଫର୍ କରାଯାଉଥିବା ଅଭିଯୋଗ କରିଥିଲେ ।

କେଜ୍ରିୱାଲଙ୍କ ଓକିଲ ଋଷିକେଷ କୁମାର କହିଛନ୍ତି, 'ତଦନ୍ତ କିମ୍ୱା ଯାଞ୍ଚ ଲାଗି କାହା ବାସଭବନରେ ପ୍ରବେଶ କରିବା ପାଇଁ ଏଜେନ୍ସି ପାଇଁ ଲିଖିତ ଆଦେଶ ରହିବା ଦରକାର । ଆଇନଗତ ଆଦେଶ ବିନା କାହାରି ସମ୍ପତ୍ତିରେ ପ୍ରବେଶ କରିବା ବେଆଇନ ଏବଂ ଜବରଦଖଲ ଅଟେ ।'

କେଜ୍ରିୱାଲ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଥିଲେ, 'କିଛି ଏଜେନ୍ସି ଦେଖାଉଛନ୍ତି ଯେ ଗାଳିଗୁଲଜ ପାର୍ଟିକୁ ୫୫ରୁ ଅଧିକ ଆସନ ମିଳୁଛି । ଗତ ଦୁଇ ଘଣ୍ଟାରେ ଆମର ୧୬ ପ୍ରାର୍ଥୀଙ୍କୁ ଫୋନ ଆସିଛି । ଆପ୍ ଛାଡ଼ି ତାଙ୍କ ପାର୍ଟିକୁ ଆସିବା ପାଇଁ କୁହାଯାଇଛି । ମନ୍ତ୍ରୀ ପଦ ଦେବେ ଏବଂ ପ୍ରତ୍ୟେକଙ୍କୁ ୧୫-୧୫ କୋଟି ଟଙ୍କା ଦେବେ ।' ଜେକ୍ରିୱାଲ ଲେଖିଥିଲେ, 'ଯଦି ସେମାନଙ୍କ ଦଳର ୫୫ରୁ ଅଧିକ ଆସନ ଆସୁଛି, ତେବେ ଆମ ପ୍ରାର୍ଥୀଙ୍କୁ ଫୋନ୍ କରିବାର ଆବଶ୍ୟକତା କ'ଣ ? ମିଛ ସର୍ଭେ କରାଯାଇଛି, ଏହାଦ୍ୱାରା ମାହୋଲ ସୃଷ୍ଟି କରି ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ନେଇପାରିବେ । କିନ୍ତୁ ଗାଳିଗୁଲଜ ପାର୍ଟି, ଆମର ଜଣେ ବି ପ୍ରାର୍ଥୀ ଦଳରୁ ଅଲଗା ହେବନି ।'

  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.