ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

Published By : Prameya-News7 Bureau | January 14, 2025 IST

ପୁରୀ ୧୪/୦୧: ପୁରୀରେ କଂସ ମହାରାଜ।‌ ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି କଂସ ମହାରାଜ। ବରଗଡ଼ ଚାଲିଥିବା ଧନୁଯାତ୍ରା ଶେଷ ହେବା ପରେ କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଆସିଛନ୍ତି ପୁରୀ। ଶଙ୍କରାଚାର୍ଯ୍ୟ ମଠରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନ କରିବା ପରେ ଶ୍ରୀମନ୍ଦିର ଯାଇ କ୍ଷମାପ୍ରାର୍ଥନା କରିଛନ୍ତି । 

ସୂଚନା ଥାଉକି, ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ଭୁବନେଶ୍ୱର ପ୍ରଧାନ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତରାତିରେ ଯବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ଭୁବନେଶ୍ୱର ପ୍ରଧାନ । 

ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ । ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ କୃଷ୍ଣ-ବଳରାମଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ସେହିପରି ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିଥିବାରୁ କ୍ଷମା ମାଗିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.